Dubaki Bridge Collapses in Five Months
୫ ମାସ ବି ଗଲାନି ୫ କୋଟିରୁ ଅଧିକ ଟଙ୍କାରେ ନିର୍ମାଣ ହୋଇଥିବା ପୋଲ । ଦବିଗଲା ବ୍ରିଜ୍, ଉଠିଗଲା ପିଚୁ। ମାସ କେଇଟାରେ ଭାଙ୍ଗିରୁଜି ଗଲା ରାଜଗାଙ୍ଗପୁର-ଡୁବକି ପୋଲ । ନିମ୍ନମାନର କାମ ଧରାପଡ଼ିଯିବା ପରେ ଏବେ ମାଟି ପକାଇ ଦୋଷ ଘୋଡ଼ାଇବାରେ ଲାଗିପଡ଼ିଛନ୍ତି ଠିକାଦାର । ତେବେ କେମିତି ନୂଆ କରି ନିର୍ମାଣ ହୋଇଥିବା ବ୍ରିଜ ଦବିଗଲା ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ।
୫ ମାସ ପୂରିନି, ୫ କୋଟି ବ୍ରିଜରେ ଫାଟ । ପିଚୁ ଉଡ଼ିଗଲାଣି, କଂକ୍ରିଟ ଢଲେଇ ଛାଡିଗଲାଣି । ହାତରେ ଖୋଳିଦେଲେ ବାହାରି ପଡୁଛି ମାଟି । ନିମ୍ନମାନର କାମ, ଟଙ୍କା ଖାଇଗଲେ ଠିକାଦାର । ଦବୁଛି ବ୍ରିଜ୍, ଆତଙ୍କିତ ଅଞ୍ଚଳବାସୀ । ରାଜଗାଙ୍ଗପୁର ବ୍ଲକ କୁଟୁଣିଆଁ ପଂଚାୟତ ରାଜଗାଙ୍ଗପୁର-ଡୁବକି ରାସ୍ତାର ଫକରପଡା ନାଳ ଉପରେ ନିର୍ମାଣ ହୋଇଥିବା ଏହି ବ୍ରିଜର ଏମିତି ଅବସ୍ଥା। ପୂର୍ବରୁ ବ୍ରିଜଟିଏ ନଥିବାରୁ ନାନା ହଇରାଣ ହରକତ ହେଉଥିଲେ ଦୁଇଟି ପଞ୍ଚାୟତର ଲୋକ। ବହୁ ଦାବି ପରେ ନିର୍ମାଣ ହେଲା ବ୍ରିଜ। ୫ କୋଟି ବ୍ୟୟରେ ଗତ ଏପ୍ରିଲ ୪ ତାରିଖରେ କାମ ସରିଥିଲା। ଯାଆସ ଆରମ୍ଭ କରିଥିଲେ ଲୋକ। ମାସ ୫ଟା ଯାଇନି ବ୍ରିଜର ଅବସ୍ଥା ପୂରା ଖରାପ। ଲଗାଣ ବର୍ଷାରେ ପୋଲର ଦୁଇ ପଟ ଦବି ଯାଇଛି। ସେହି ସ୍ଥାନରେ ଠିକାଦାର ଏବଂ ରାସ୍ତା ଓ ଗୃହ ନିର୍ମାଣକାରୀ ମାଟି ପକାଇ ଲୁଚାଇ ଦେଇଛନ୍ତି। ଯାହାକୁ ନେଇ ଅଞ୍ଚଳବାସୀଙ୍କ ଭିତରେ ତେଜିଛି ଅସନ୍ତୋଷ। ଠିକାଦାର ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି।
ବ୍ରିଜ୍ ନିର୍ମାଣ ପାଇଁ ଗତବର୍ଷ ୫ କୋଟି ୬୫ ଲକ୍ଷ ୩୮ହଜାର ବ୍ୟୟ ବରାଦ ହୋଇଥିଲା। ୨୦୨୪ ଜାନୁଆରୀରେ ଆରମ୍ଭ ହୋଇଥିଲା ନିର୍ମାଣ କାମ। ଚଳିତବର୍ଷ ଏପ୍ରିଲରେ ସରିଥିଲା। ଏହି ବ୍ରିଜ ଉପରେ ପଡ଼ୋଶୀ ଜିଲ୍ଲା ସମ୍ବଲପୁରର ଗରପୋଷ, ଶାଗରା ଆଦି ଅଞ୍ଚଳବାସୀ ଯାଆସ କରନ୍ତି। ବର୍ଷା ଦିନ ପରେ ଦବି ଯାଇଥିବା ସ୍ଥାନଟିକୁ ମରାମତି କରି ଠିକ କରାଯିବ ବୋଲି କହିଛନ୍ତି ରାସ୍ତା ଓ ଗୃହ ନିର୍ମାଣ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ।
୫ ମାସ ପୂର୍ବେ ୫ କୋଟିରେ ନିର୍ମାଣ ବ୍ରିଜେ ଦବିଲା କେମିତି ତାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଠିକାଦାର ଓ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ନିମ୍ନମାନର କାମ ହୋଇନି ତ ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752903029.jpg)