Ayushman Bharat Yojana: ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ଆୟୁଷ୍ମାନ କାର୍ଡ, ୨୯ ହଜାରରୁ ଅଧିକ ହସ୍ପିଟାଲରେ ମିଳିବ ଚିକିତ୍ସା ସୁବିଧା

୭୦ ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କୁ ମିଳିବ ବୟୋ ବନ୍ଦନା କାର୍ଡ । ପ୍ରେସମିଟ୍‌ରେ ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସରକାରୀ କର୍ମଚାରୀ ହୁଅନ୍ତୁ କି ଆଇଟି ଦାଖଲ କରୁଥିଲେ ବି ମିଳିବ ଏହି କାର୍ଡ ।

ପ୍ରତି ସଦସ୍ୟଙ୍କୁ ‘ଆୟୁଷ୍ମାନ’ କାର୍ଡ

ଆୟୁଷ୍ମାନ ଯୋଜନାକୁ ନେଇ ବଡ଼ ଘୋଷଣା କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ଆୟୁଷ୍ମାନ କାର୍ଡ । ଏହି ଯୋଜନାରେ ରାଜ୍ୟରେ ୧ କୋଟି ୩ ଲକ୍ଷ ପରିବାରକୁ ସାମିଲ୍ କରାଯିବ । ପୂର୍ବରୁ ପ୍ରତି ପରିବାରକୁ ଗୋଟିଏ କାର୍ଡ ମିଳିଥିଲା । କିନ୍ତୁ ନୂଆ ଯୋଜନାରେ ପ୍ରତି ସଦସ୍ୟଙ୍କୁ ଗୋଟିଏ ଲେଖାଏଁ କାର୍ଡ ମିଳିବ । ସେହିପରି ପୂର୍ବରୁ କେବଳ ୯୦୦ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ମିଳୁଥିଲା । ଏବେ ଦେଶର ୨୯ ହଜାରରୁ ଅଧିକ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ବାଲିଯାତ୍ରା ପଡ଼ିଆରେ ହେବ ‘ଆୟୁଷ୍ମାନ’ ଯୋଜନାର ଶୁଭାରମ୍ଭ

ସେହିପରି ୭୦ ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କୁ ମିଳିବ ବୟୋ ବନ୍ଦନା କାର୍ଡ । ପ୍ରେସମିଟ୍‌ରେ ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସରକାରୀ କର୍ମଚାରୀ ହୁଅନ୍ତୁ କି ଆଇଟି ଦାଖଲ କରୁଥିଲେ ବି ମିଳିବ ଏହି କାର୍ଡ । ସେହିପରି ସମ୍ଭ୍ରାନ୍ତ ପରିବାରର ହୋଇଥିଲେ ବି ବୟୋ ବନ୍ଦନା କାର୍ଡ ମିଳିବ । ଜନସେବା କେନ୍ଦ୍ର କର୍ମଚାରୀ, ଆଶାକର୍ମୀ କାର୍ଡ ପ୍ରସ୍ତୁତିରେ ସାହାଯ୍ୟ କରିବେ । ଗାଁକୁ ଗାଁ ବୁଲି ହିତାଧିକାରୀଙ୍କୁ କାର୍ଡ ପ୍ରସ୍ତୁତିରେ ସାହାଯ୍ୟ କରିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ।

ସେପଟେ ଏପ୍ରିଲ୍‌ ୧୧ରେ କଟକ ବାଲିଯାତ୍ରା ପଡ଼ିଆରେ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ ହେବ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଏହି ଯୋଜନାର ଶୁଭାରମ୍ଭ କରିବେ । ବାଲିଯାତ୍ରା ପଡ଼ିଆରେ ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ମୁକେଶ ମହାଲିଙ୍ଗ । 

ସୂଚନା ଅନୁସାରେ, ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିବା ସହ ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା । ଏଥିପାଇଁ ନଡ୍ଡା ୧୦ ତାରିଖ ବିଳମ୍ବିତ ରାତିରେ ଭୁବନେଶ୍ୱରରେ ପହଞ୍ଚିବେ ଏବଂ ୧୨ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ସେ ଓଡ଼ିଶାରେ ରହିବେ । ଏମ୍ସରେ ଏକ ସରକାରୀ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ ନଡ୍ଡା । ଏହା ପରେ ବିଧାୟକ ଏବଂ ସାଂସଦ ମାନଙ୍କ ତାଲିମ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବେ । ଗସ୍ତ ଅବସରରେ ଦଳର କିଛି ନେତାଙ୍କୁ ଭେଟି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିପାରନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ।

ଅଧିକ ପଢ଼ନ୍ତୁ: ‘ସସ୍ମିତ ଭିଲେନ୍‌ ନୁହଁନ୍ତି, ମୁଖ୍ୟ ପରାମର୍ଶଦାତା ହିଁ ନାଟର ଗୋବର୍ନ୍ଧନ !’