• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି । ବିଧାନସଭାରେ ଏନେଇ ଅଭିଭାଷଣ ଦେଉଛନ୍ତି ରାଜ୍ୟପାଳ ରଘୁବର ଦାସ । ବଜେଟ୍ ଅଧିବେଶନ ଆରମ୍ଭ ପୂର୍ବରୁ ରାଜ୍ୟପାଳ କହିଛନ୍ତି, ମୋର ସରକାର ନିରପେକ୍ଷତାର ସହ କାମ କରିବ । ଯୁବକଙ୍କୁ ରୋଜଗାର ମୋ ସରକାରର ପ୍ରାଥମିକତା ହେବ । ଏହା ସହ ଯେଉଁ ପ୍ରତିଶ୍ରୁତି ଦିଆଯାଇଛି, ତାହା ପୂରଣ କରାଯିବ ବୋଲି କହିଛନ୍ତି ରାଜ୍ୟପାଳ ।

ସରକାର ଗଠନ ହେବା ମାତ୍ରେ କିଛି ପ୍ରତିଶ୍ରୁତି ପୂରଣ ହୋଇଛି । ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଅସ୍ମିତା ପାଇଁ କାମ କରାଯିବ । କୃଷକଙ୍କ ଉନ୍ନତି ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯିବ ବୋଲି କହିଲେ । ବିକାଶର ସ୍ୱପ୍ନ ଦେଖାଇ ରାଜ୍ୟପାଳ କହିଛନ୍ତି, କୃଷକଙ୍କୁ ସଶକ୍ତ କରିବା ପାଇଁ ପିଏମ୍‌ କିଷାନ ଲାଗୁ କରିବୁ । ମତ୍ସ୍ୟଚାଷ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ।

ଅଧିକ ପଢ଼ନ୍ତୁ: ଆଜିଠୁ ବଜେଟ୍ ଅଧିବେଶନ; ୨୭ଟି କାର୍ଯ୍ୟଦିବସ, ନୂଆ ସରକାରକୁ ଟାର୍ଗେଟ୍ ଯୋଜନା

ବିକଶିତ ଓଡ଼ିଶା ଗଠନ ମୂଳ ଲକ୍ଷ୍ୟ ବୋଲି ବିଧାନସଭାରେ ମନ୍ତବ୍ୟ ଦେଇଛନ୍ତି ରାଜ୍ୟପାଳ । ମୋ ସରକାର ଏକ ବିକଶିତ ଓଡ଼ିଶା ଗଠନ କରିବାକୁ ଚାହୁଁଛି । ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ସ୍ୱପ୍ନ ପୂରଣ କରିବା ଆମ ଲକ୍ଷ୍ୟ । କୃଷକ, ଶ୍ରମିକ, ଜନଜାତି, ଯୁବଶକ୍ତି, ଅନ୍ନ-ଦାତାଙ୍କୁ ଗୁରୁତ୍ୱ ଦିଆଯିବ । ପ୍ରଯୁକ୍ତି ବିଦ୍ୟା ଜରିଆରେ ଓଡ଼ିଶାକୁ ପୂର୍ବ ଭାରତର ଶକ୍ତିଶାଳି ରାଜ୍ୟ କରାଯିବ ବୋଲି କହିଲେ ।

ସମୃଦ୍ଧ କୃଷି ନୀତି ପ୍ରଚଳନ କରି କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣିବୁ । ଏହି ନୀତି ଅଧିନରେ ଧାନ କ୍ୱିଣ୍ଟାଲ ପିଛା ୩୧ ଶହ ଟଙ୍କା ଦିଆଯିବ । ଏହା ସହ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ୪୮ ଘଣ୍ଟା ମଧ୍ୟରେ ପ୍ରଦାନ କରାଯିବ ବୋଲି କହିଛନ୍ତି ରାଜ୍ୟପାଳ । କୃଷକଙ୍କ ଆୟ ବୃଦ୍ଧି ମୋ ସରକାରର ମୂଲ ଲକ୍ଷ୍ୟ । ଶୀତଳ ଭଣ୍ଡାର ସୁବିଧା, ପ୍ରକ୍ରିୟାକରଣ ୟୁନିଟ, ଯୋଗାଣ ଶୃଙ୍ଖଳିତ ହେବ ।

ମଣ୍ଡିରେ ଶସ୍ୟ ଭଣ୍ଡାର, କୃଷକ ବିଶ୍ରାମ ଗୃହ ରହିବ । ବଜାର ଜାତୀୟ ଶସ୍ୟ ଉତ୍ପାଦନ, ବ୍ୟବହାର ବୃଦ୍ଧି ପଦକ୍ଷେପ ନେବୁ । ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି କହିଲେ । ଶିକ୍ଷକ ପ୍ରଶିକ୍ଷଣ, ଗ୍ରାମାଞ୍ଚଳରେ ଡିଜିଟାଲ ଭିତ୍ତିଭୂମି ସମ୍ପ୍ରସାରଣ ହେବ । ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ନେଇ ରାଜ୍ୟପାଳ କହିଛନ୍ତି, ସାରା ରାଜ୍ୟରେ ୩ ହଜାର ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ ।

ଜିଲ୍ଲା ମେଡିକାଲ୍‌ରେ ପ୍ରସୂତୀ, ଶିଶୁ ରୋଗ ବିଶେଷଜ୍ଞ ନିଶ୍ଚିତ ରହିବେ । ଉପକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନାଁ ‘ଆରୋଗ୍ୟ ମନ୍ଦିର’ କରାଯିବ । ଏହା ସହ ପ୍ରତି ସିଏଚ୍‌ସିରେ ଗୋଟିଏ ଭ୍ରାମ୍ୟମାଣ ୟୁନିଟ୍‌ ରହିବ । ୨୦୩୦ ସୁଦ୍ଧା ରାଜ୍ୟକୁ ମ୍ୟାଲେରିଆ ମୁକ୍ତ କରାଯିବ ବୋଲି କହିଛନ୍ତି । ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ କରାଯିବ ।

ଏହା ସମସ୍ତ ଯୋଗ୍ୟ ଓଡ଼ିଶାବାସୀଙ୍କ ପାଇଁ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଦେବ । ଗର୍ଭବତୀଙ୍କୁ ପୁଷ୍ଟିକର ଆବଶ୍ୟକତା ପୂରଣ ପାଇଁ ଆର୍ଥିକ ସହାୟତା ମିଳିବ ବୋଲି କହିଛନ୍ତି । ସେହିପରି ୨ ବର୍ଷରେ ୬୫ ହଜାର ନିଯୁକ୍ତି ସୃଷ୍ଟି କରାଯିବ ବୋଲି କହିଲେ । ୨୦୨୯ ସୁଦ୍ଧା ରାଜ୍ୟରେ ୩.୫ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ନିରପେକ୍ଷ ଓ ସ୍ୱଚ୍ଛ ଭାବରେ ୧.୫ ଲକ୍ଷ ସରକାରୀ ନିଯୁକ୍ତି ସୁନିଶ୍ଚିତ ହେବ । ଆସନ୍ତା ୨ ବର୍ଷ ମଧ୍ୟରେ ୬୫ ହଜାର ସରକାରୀ ପଦବୀ ପୂରଣ ହେବ ବୋଲି କହିଛନ୍ତି ରାଜ୍ୟପାଳ ।

OTV is now on Whatsapp

Join and get latest news update delivered to you via whatsapp

Join Now