ବିଷାକ୍ତ ମଦ ପିଇ ଜଣକର ମୃତ୍ୟୁ ଓ ୨୦ ଅସୁସ୍ଥ ଘଟଣା; ୭ ଜଣ ଗିରଫ...

ବିଷାକ୍ତ ଦେଶୀ ମଦ ପିଇ ଜଣକର ମୃତ୍ୟୁ ଓ ୨୦ ଜଣ ଅସୁସ୍ଥ ଘଟଣାରେ ୭ ଜଣ ଗିରଫ । କେ. ନୂଆଁଗାଁ ପୋଲିସ ଦ୍ୱାରା ୫ ଜଣ ଗିରଫ ହୋଇଥିବା ବେଳେ ଅବକାରୀ ବିଭାଗ ୨ ଜଣଙ୍କୁ ଗିରଫ କରିଛି । 

Odisha hooch tragedy

ଚିକିଟି କରବାଲୁଆରେ ବିଷାକ୍ତ ଦେଶୀ ମଦ ପିଇ ଜଣକର ମୃତ୍ୟୁ ଓ ୨୦ ଜଣ ଅସୁସ୍ଥ ଘଟଣାରେ ୭ ଜଣ ଗିରଫ । କେ. ନୂଆଗାଁ ପୋଲିସ ଦ୍ୱାରା ୫ ଜଣ ଗିରଫ ହୋଇଥିବା ବେଳେ ଅବକାରୀ ବିଭାଗ ୨ ଜଣଙ୍କୁ ଗିରଫ କରିଛି । ଅସୁସ୍ଥମାନେ ମାଉନ୍ଦପୁରରେ ବିକ୍ରି ହେଉଥିବା ଖୋଲା ମଦ ପିଇଥଲେ ବୋଲି କହିଛନ୍ତି ଅବକାରୀ ଅଧୀକ୍ଷକ।

ବେଆଇନ ଭାବେ ଜଙ୍ଗଲ ପାହାଡ଼ ଅଞ୍ଚଳରେ ମଦ ରାନ୍ଧି ଏହାକୁ ବିକ୍ରି କରୁଥିଲେ ମାଫିଆ । ମଦ ପିଇ ଅସୁସ୍ଥ ଘଟଣା ପରେ ପୋଲିସ ଓ ଅବକାରୀ ବିଭାଗ ଖୋଳତାଡ଼ କରୁଛନ୍ତି । ଏହି ମଦ ରାନ୍ଧି  ବିକ୍ରି କରୁଥିବା ସୁରେନ୍ଦ୍ର ମଲ୍ଲିକକୁ ମଧ୍ୟ ଗିରଫ କରାଯାଇଛି । ଦିଗପହଣ୍ଡି ଥାନା ଖେମୁଣ୍ଡାର ସୁରେନ୍ଦ୍ର ଏହି ମଦ ରାନ୍ଧି ମାଉନ୍ଦପୁର ଅଞ୍ଚଳରେ ବିକ୍ରି କରିଥିଲା ବୋଲି ଅବକାରୀ ଅଧୀକ୍ଷକ କହିଛନ୍ତି।

ଅଧିକ ପଢ଼ନ୍ତୁ: ଅପମିଶ୍ରିତ ମଦ!! ପିଇବା ପରେ ୧୫ ଅସୁସ୍ଥ, କାରଣ ଖୋଜୁଛି ପୋଲିସ୍

ସୁରେନ୍ଦ୍ର ଓ ତାର ସହଯୋଗୀ ରାମ ସମେତ ୭ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୨୦ ଲିଟରରୁ ଅଧିକ ରନ୍ଧା ମଦ ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ ପୂର୍ବରୁ ମଧ୍ୟ ଗିରଫ ହୋଇ ଜେଲ୍ ଯାଇଥିଲେ । ତେବେ ଜେଲରୁ ବାହାରିବା ପରେ ପୁଣି ଚୋରାମଦ କାରବାର କରୁଥିଲେ ବୋଲି କହିଛନ୍ତି ଅବକାରୀ ଅଧୀକ୍ଷକ।

ଏପଟେ ଗଞ୍ଜାମ ଜିଲ୍ଲା ଚିକିଟିରେ ବିଷାକ୍ତ ମଦ ପିଇ ଅସୁସ୍ଥଙ୍କ ମଧ୍ୟରୁ ଆଜି ଜଣଙ୍କ ମୃତ୍ୟୁ ଘଟିଛି । ଚିକିତ୍ସାଧୀନ ଅବସ୍ଥାରେ ଏମ୍ କେସିଜି ଆଇସିୟୁରେ ଆଖି ବୁଜିଛନ୍ତି ଜଣେ ଗୁରୁତର ଜୁର ବେହେରା । ମୃତକ ଜୁର ବେହେରାଙ୍କ ଘର ଜେନାପୁର ଅଞ୍ଚଳର ବୋଲି ଜଣାପଡ଼ିଛି । ସେପଟେ ଏବେବି ଅନ୍ୟ ୧୩ ଜଣ ଏମକେସିଜିରେ ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ମଦ ମୃତ୍ୟୁ ପରେ ମୃତକଙ୍କ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି । ମଦ ବିକ୍ରି ବନ୍ଦ ସହ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦାବିରେ ଚିକିଟି- ଜେନାପୁର ରାସ୍ତା ଅବରୋଧ କରାଯାଇଛି ।