• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ସତ ହେବାକୁ ଯାଉଛି ମୋଦିଙ୍କ ସ୍ୱପ୍ନ

  • ମାତ୍ର ୨ ବର୍ଷ ପରେ ଖୋଲିବ ଲମ୍ବା ଏକ୍ସପ୍ରେସ୍‌ ୱେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ। ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରିଙ୍କ ପରିକଳ୍ପନା। ଅତ୍ୟାଧୁନିକ ଇଂଜିନିୟରିଂର ଚମତ୍କାରିତା। ୨୦୨୩ ମାର୍ଚ୍ଚରେ ଖୋଲିବ ବିଶ୍ୱର ଦୀର୍ଘତମ ରାଜପଥ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେ। ଦିଲ୍ଲୀରୁ- ମୁମ୍ବାଇ ୧୩୮୦ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ଲାଗିବ ମାତ୍ର ୧୨ ଘଣ୍ଟା। ସ୍ୱପ୍ନ ଭଳି ଲାଗୁ ଥାଇପାରେ। ମାତ୍ର ଏହା ସ୍ୱପ୍ନ ନୁହେଁ ବାସ୍ତବତା। ପ୍ରାୟ ଏକ ଲକ୍ଷ କୋଟି ଟଙ୍କା ବିନିଯୋଗରେ ନିର୍ମିତ ୮ ଲେନ୍ ବିଶିଷ୍ଟ ଏହି ଏକ୍ସପ୍ରେସ-ୱେକୁ ମାତ୍ର ୪ ବର୍ଷରେ ନିର୍ମାଣ କରି ନୂଆ କୀର୍ତ୍ତିମାନ ସ୍ଥାପନ କରିବାକୁ ଯାଉଛି NHAI।

ବିଜୁଳି ବେଗରେ ଯିବ ଟ୍ରକ୍, ବସ୍। ରାସ୍ତାରେ ଗଡ଼ିବନି, ସତେକି ଉଡ଼ିବ କାର୍। ଅନ୍ୟ ଯାନବାହାନ ବି ସାଏଁ ସାଏଁ ଯିବ । ନା ଥିବ କେହି ସାମ୍ନାକୁ ହଠାତ୍ ପଶିଆସିବାର ଡର, ନା କୌଣସି ଦୁର୍ଘଟଣା ଘଟିବାର ଆଶଙ୍କା । ଆପଣ ଯଦି ଡ୍ରାଇଭିଂରେ କୁଶଳ ଓ ଆପଣଙ୍କ ନିକଟରେ ଦ୍ରୁତ ଗତିରେ ଯାଇପାରୁଥିବା ଯାନ ରହିଛି, ତେବେ ଡରିବାର କିଛି ନାହିଁ । ଆମେ କହୁଛୁ ନିର୍ମାଣାଧୀନ ବିଶ୍ୱର ସବୁଠୁ ଲମ୍ବା ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍-ୱେର କଥା। କାରରେ ବସିଛନ୍ତି ନିଜେ କେନ୍ଦ୍ର ଭୂପୃଷ୍ଠ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରି । ତେବେ ଇଏ ତ ନମୁନା ମାତ୍ର। ଆକ୍ସେସ୍ କଣ୍ଟୋ୍ରଲ୍ଡ ଏହି ଏକ୍ସପ୍ରେସ-ୱେରେ ଆପଣ ଏହାଠୁ ଅଧିକ ବେଗରେ ବି ଯାତ୍ରା କରିପାରିବେ। ଦିଲ୍ଲୀରୁ ମୁମ୍ବାଇ । ୧୩୮୦ କିଲୋମିଟର ଦୂରତା ଅତିକ୍ରମ କରିବାକୁ ଲାଗିବ ମାତ୍ର ୧୨ ଘଣ୍ଟା । ଅର୍ଥାତ୍ ଯାତ୍ରା ସମୟ ୨୪ ଘଣ୍ଟାରୁ ସିଧା ୧୨ ଘଣ୍ଟାକୁ ଖସି ଆସିବ। ଦିଲ୍ଲୀରୁ ଆରମ୍ଭ ହୋଇ ମୁମ୍ବାଇ ପର୍ଯ୍ୟନ୍ତ ଲମ୍ବିଥିବା ଏହି ଏକ୍ସପ୍ରେସ ୱେ ହରିୟାଣା, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଗୁଜରାଟ ଦେଇ ଅତିକ୍ରମ କରିବ। ଯାନବାହନ ସଂଖ୍ୟାକୁ ଦେଖି ଭବିଷ୍ୟତରେ ଏହାକୁ ୧୨ ଲେନ୍ ବିଶିଷ୍ଟ ବି କରାଯାଇପାରିବ।

୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭ ଦେଇଥିବା ବେଳେ, ୨୦୨୩ ମାର୍ଚ୍ଚ ଅର୍ଥାତ୍ ଠିକ୍ ୪ ବର୍ଷରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏକ୍ସପ୍ରେସ-ୱେ କାର୍ଯ୍ୟକ୍ଷମ ହେଲେ ମାସକୁ ହଜାରେରୁ ଦେଢ ହଜାର କୋଟି ଟଙ୍କାର ରାଜସ୍ୱ ମିଳିବ ବୋଲି କହିଛନ୍ତି ଗଡକରି। ଗଡ଼କରିଙ୍କ ମତରେ, ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେ ଭାରତୀୟ ରାଜପଥର ନକ୍ସାକୁ ବଦଳାଇ ଦେବ। ୨୦୩୦ ସୁଦ୍ଧା ଦେଶର ସମସ୍ତ ରାଜପଥକୁ ବିଶ୍ୱସ୍ତରୀୟ କରିବା ଲାଗି କେନ୍ଦ୍ର ସରକାର ରଖିଥିବା ଟାର୍ଗେଟକୁ ଏହା ବଳ ଯୋଗାଇବ। NHAIକୁ ସୁନାଖଣି ବୋଲି କହିଛନ୍ତି ଗଡକରି। ପ୍ରାୟ ୧ ଲକ୍ଷ କୋଟି ଟଙ୍କା ବ୍ୟୟରେ ନିର୍ମିତ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ-ୱେ ଜୟପୁର, କିଶନଗଡ଼, ଆଜମେର, କୋଟା, ଚିତ୍ତୋରଗଡ଼, ଉଦୟପୁର, ଭୋପାଳ, ଇନ୍ଦୋର, ଅହମ୍ମଦାବାଦ୍, ଭଦୋଦରା ଓ ସୁରଟ ଭଳି ଦେଶର ବୃହତ୍ ବ୍ୟବସାୟିକ ଓ ଶିଳ୍ପ ନଗରୀକୁ ସଂଯୋଗ କରିବ। ଫଳରେ ଏହି ଏକ୍ସପ୍ରେସ-ୱେ ଦ୍ୱାରା ଦେଶର ଅର୍ଥନୈତିକ ବିକାଶ ତ୍ୱରାନ୍ୱିତ ହେବ।

ସେହିପରି ଯେଉଁ ୬ ରାଜ୍ୟ ଦେଇ ଏହି ଏକ୍ସପ୍ରେସ ୱେ ଯିବ, ସେସବୁ ରାଜ୍ୟର ଅନୁନ୍ନତ ଅଞ୍ଚଳଗୁଡିକର ବି ଦ୍ରୁତ ଆର୍ଥିକ ବିକାଶରେ ଏହା ସହାୟକ ହେବ ବୋଲି ଆଶା ରହିଛି । କରୋନା କାଳରେ ଏହି ଏକ୍ସପ୍ରେସ ୱେ ନିର୍ମାଣ ହଜାର ହଜାର ଶ୍ରମିକଙ୍କ ସମେତ ସିଭିଲ ଇଂଜିନିୟର ଓ ଟେକ୍ନିସିଆନଙ୍କ ଲାଗି ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି। ଏହି ରାଜପଥ ନିର୍ମାଣ ଦୈନିକ ୫୦ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରିପାରିଛି।

ପରିବେଶର ସୁରକ୍ଷା ଲାଗି ଏକ୍ସପ୍ରେସ-ୱେର ଉଭୟ ପାର୍ଶ୍ୱରେ ୨୦ ଲକ୍ଷ ଗୁଳ୍ମ ଗଛ ଲଗାଯାଇଛି। ଏହି ଏକ୍ସପ୍ରେସ-ୱେ ଦ୍ୱାରା ବାର୍ଷିକ ୩୨୦ ମିଲିୟନ ଲିଟର ପେଟ୍ରୋଲ ଓ ଡିଜେଲର ସଂରକ୍ଷଣ ହେବ। ୮୫୦ ମିଲିୟନ କିଲୋଗ୍ରାମ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇବ, ଯାହା କି ୪ କୋଟି ଗଛ ଲଗାଇବା ସହ ସମାନ। ଦୁର୍ଘଟଣାଗ୍ରସ୍ତଙ୍କୁ ତୁରନ୍ତ ହସପିଟାଲ ନେବା ପାଇଁ ହେଲିକପ୍ଟର ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି।

ଏଥିପାଇଁ ଏକ୍ସପ୍ରେସ-ୱେ କଡ଼ରେ ହେଲିପ୍ୟାଡ୍ ବି ନିର୍ମାଣ ହୋଇଛି। ଯାତ୍ରୀ ଓ ଡ୍ରାଇଭରଙ୍କ ସୁବିଧା ଲାଗି ଏକ୍ସପ୍ରେସ-ୱେର ଦୁଇ ପାର୍ଶ୍ୱରେ ହୋଟେଲ, ରିସର୍ଟ, ଫୁଡ୍ କୋର୍ଟ, ପେଟ୍ରୋଲ ପମ୍ପ, ବିଦ୍ୟୁତ ଚାଳିଚ ଯାନ ଲାଗି ଚାର୍ଜିଂ ପଏଣ୍ଟ, ଲଜିଷ୍ଟିକ୍ ପାର୍କର ବ୍ୟବସ୍ଥା ରହିଛି। ଏକ୍ସପ୍ରେସ-ୱେର ନିର୍ମାଣରେ ୧୨ ଲକ୍ଷ ଟନ୍ ଷ୍ଟିଲ ବ୍ୟବହାର ହୋଇଛି, ଯେଉଁଥିରେ ୫୦ଟି ହାଓ୍ୱଡା ବ୍ରିଜ୍ ନିର୍ମାଣ କରାଯାଇପାରିବ। ସେହିପରି ଏଥିରେ ଦେଶରେ ବାର୍ଷିକ ସିମେଣ୍ଟ ଉତ୍ପାଦନର ୨ ପ୍ରତିଶତ ଅର୍ଥାତ୍ ବ୍ୟବହାତ ୮୦ଲକ୍ଷ ଟନ୍ ସିମେଣ୍ଟ ବ୍ୟବହାର କରାଯାଇଛି। ଏକ୍ସପ୍ରେସ-ୱେ ନିର୍ମାଣ ଲାଗି ୧୫ ହଜାର ହେର ଜମି ଅଧିଗ୍ରହଣ କରିବାକୁ ପଡିଛି।