• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଟ୍ରୋଲ ନେଲା ଜୀବନ । ଅତ୍ୟଧିକ ଗ୍ଲାନି ଓ ଲଜ୍ଜାରେ ଜର୍ଜରିତ ହୋଇ ଆତ୍ମହତ୍ୟା କଲେ ମହିଳା । ଗତ ସପ୍ତାହରେ ଟ୍ରେନ ସମ୍ମୁଖକୁ ଆସି ଜୀବନ ହାରିଥିଲେ ମହିଳା ଜଣକ । ତେବେ ମହିଳାଙ୍କ ମୃତ୍ୟୁ ପରେ ତାହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଘଟଣାଟି ହେଉଛି ଆନ୍ଧ୍ର ପ୍ରଦେଶର । ଶାସକ ଦଳ YSR କଂଗ୍ରେସ ପାର୍ଟି ଅଭିଯୋଗ କରିଛି ଯେ, ତେଲୁଗୁ ଦେଶମ ପାର୍ଟି (ଟିଡିପି) ଏବଂ ଜନସେନା ପାର୍ଟି (ଜେଏସପି) ର ସୋସିଆଲ ମିଡିଆ ସେଲ ଦ୍ୱାରା ଅତ୍ୟଧିକ ଟ୍ରୋଲ ହେବା ଫଳରେ ମହିଳା ଜଣକ ଆତ୍ମହତ୍ୟା କରିଛନ୍ତି ।

ସୂଚନା ଅନୁସାରେ ଗତ ମାର୍ଚ୍ଚ ୪ ରେ YSR କଂଗ୍ରେସ ପାର୍ଟିର ଏକ କାର୍ଯ୍ୟକ୍ରମରେ ଗୀତାଞ୍ଜଳି ଦେବୀ ଆନ୍ଧ୍ରପ୍ରଦେଶ ସରକାରଙ୍କ 'ଜଗନ୍ନ ଗୃହ ଯୋଜନା' ଅଧୀନରେ ଏକ ପ୍ଲଟ ନେଇଥିଲେ । ଏହାକୁ ନେଇ ସେ ସରକାରଙ୍କୁ ପ୍ରଶଂସା କରିଥିଲେ । ଭାଇରାଲ ହୋଇଥିବା ଏକ ଭିଡିଓରେ ମହିଳାଜଣକ କହିଥିଲେ ଯେ, ସେ ଜଗନ ମୋହନ ରେଡ୍ଡୀଙ୍କ ସରକାରଙ୍କ ବହୁ କଲ୍ୟାଣକାରୀ ଯୋଜନାର ହିତାଧିକାରୀ । ଘରଟି ନିଜ ନାଁରେ ଥିବାରୁ ତାଙ୍କର ସ୍ୱପ୍ନ ସାକାର ହୋଇଥିବା କହିଥିଲେ ଗୀତାଞ୍ଜଳି।

ଅଧିକ ପଢ଼ନ୍ତୁ: ଟିକିଏ ବିଳମ୍ୱ ପାଇଁ ପରୀକ୍ଷା ଦେଇପାରିଲେନି ଛାତ୍ର; କୋହଭରା ଚିଠି ଲେଖି ହାରିଲେ ଜୀବନ

ଏନେଇ ତାଙ୍କୁ ସୋସିଆଲ ମିଡିଆରେ ପ୍ରବଳ ମାତ୍ରାରେ ଟ୍ରୋଲ କରାଯାଇଥିଲା । ବହୁ ଲୋକ ଏହାକୁ ନେଇ ତାଙ୍କ ପ୍ରତି ଅପମାନଜନକ ଶବ୍ଦ ବ୍ୟବହାର କରିଥିଲେ । ଅନ୍ୟପଟେ ତାଙ୍କୁ ଗୁଣ୍ଟୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାଙ୍କର ଚିକିତ୍ସା ସମୟରେ ମୃତ୍ୟୁ ହୋଇଥିଲା । ପୋଲିସକୁ ଦେଇଥିବା ବୟାନରେ ଗୀତାଞ୍ଜଳି କହିଛନ୍ତି, ଏପରି ସୋସିଆଲ ମିଡିଆରେ ଅପଶବ୍ଦ ବ୍ୟବହାର ତାଙ୍କୁ ବହୁ ବ୍ୟଥିତ କରିଥିଲା । ଏଣୁ ସେ ଚାଲୁଥିବା ଟ୍ରେନ୍ ଆଗରେ ଡେଇଁପଡିଥିଲେ ।

ଲଗାତାର ଟ୍ରୋଲ ହେବା ତାଙ୍କୁ ମାନସିକ ଭାବେ ଅତ୍ୟନ୍ତ ଦୁର୍ବଳ କରିଦେଇଥିଲା । ଏହାର ମୁକାବିଲା କରିବାରେ ଅସମର୍ଥ ହୋଇ ସେ ଗତ ମାର୍ଚ୍ଚ ୭ ରେ ଜନ୍ମଭୂମି ଏକ୍ସପ୍ରେସ ଆଗରେ ଡେଇଁ ପଡିଥିଲେ । ଏନେଇ ଆନ୍ଧ୍ରପ୍ରଦେଶ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷ ବସାଭି ପଦ୍ମ କହିଛନ୍ତି ଯେ, ଟାର୍ଗେଟ କରିଥିବା ସୋସିଆଲ ମିଡିଆ ହ୍ୟାଣ୍ଡେଲ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଉକ୍ତ ଭିଡିଓରେ ମୁଖ୍ୟମନ୍ତ୍ରୀ ୱାଇ. ଏସ୍. ଜଗନ୍ ମୋହନ ରେଡ୍ଡୀଙ୍କୁ ଜିତାଇବା ପାଇଁ ଭୋଟ୍ ଦେବେ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ସ୍ୱପ୍ନ ସାକାର କରିଛନ୍ତି । ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ପାଇଛି । ବର୍ତ୍ତମାନ ସ୍ୱପ୍ନର ଘର ମଧ୍ୟ ଯୋଗାଇ ଦେଇଛନ୍ତି । ଏଣୁ ମୁଖ୍ୟମନ୍ତ୍ରୀଙ୍କୁ ହିଁ ଭୋଟ ଦେବେ ବୋଲି କହିଥିଲେ ଗୀତାଞ୍ଜଳି ।

ପରବର୍ତ୍ତୀ ସମୟରେ YSR କଂଗ୍ରେସ ପାର୍ଟି ଉକ୍ତ ଭିଡିଓକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲା । ଅଭିଯୋଗ ହୋଇଛି ଯେ ଟିଡିପି ଏବଂ ଜେଏସପିର ଲୋକମାନେ ମହିଳାଙ୍କ ପାଇଁ ଅପମାନଜନକ ଶବ୍ଦ ବ୍ୟବହାର କରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବା ପାଇଁ ସେ ଟଙ୍କା ନେଇଥିଲେ ବୋଲି ଆକ୍ଷେପ କରିଥିଲେ । ତେବେ ଏନେଇ ଏକ ଅପମୃତ୍ୟୁ ମାମଲା ଦାୟର ହୋଇ ତଦନ୍ତ ଜାରି ରହିଛି ବୋଲି ପୋଲିସ କହିଛି ।