• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଝିଅ ଜନ୍ମ କରିବା ଅପରାଧ କି ? ଆଜିକାଲି ଝିଅ ଜନ୍ମ ହେଲେ ଲୋକେ ଖୁସିରେ ମିଠା ବାଣ୍ଟୁଛନ୍ତି । କିନ୍ତୁ କିଛି ଏପରି ଲୋକ ମଧ୍ୟ ଅଛନ୍ତି, ଯେଉଁମାନେ କନ୍ୟା ସନ୍ତାନକୁ ଏବେ ବି ବୋଝ ଭାବୁଛନ୍ତି । ଖୁସି ହେବା ପରିବର୍ତ୍ତେ ଘରର ଲକ୍ଷ୍ମୀଙ୍କୁ ପିଟାମରା କରୁଛନ୍ତି । ନିର୍ଯାତନା ଦେଉଛନ୍ତି । ଉତ୍ତରପ୍ରଦେଶର ମହୋବା ଜିଲ୍ଲାରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ଜଣେ ମହିଳା ପୁଅ ବଦଳରେ ଝିଅ ଜନ୍ମ କରିଥିବାରୁ ସ୍ୱାମୀ ଓ ଶ୍ୱଶୁର ଘର ଲୋକ ଅକଥନୀୟ ନିର୍ଯାତନା ଦେଇଛନ୍ତି ।

ଦୁଇଟି ଜନ୍ମ ଦେଇଥିବାରୁ ତାଙ୍କ ସ୍ୱାମୀ ଏବଂ ଶାଶୂ ଘର ଲୋକ ଅତି ନିର୍ମମ ଭାବରେ ମାଡ ମାରିବା ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସ୍ପଷ୍ଟ ଜଣାପଡୁଛି ମହିଳାଙ୍କୁ ପ୍ରବଳ ମାଡ଼ ମରାଯାଉଛି । ଶାଶୂଘରର ଦୁଇଜଣ ମହିଳା ପୀଡିତାଙ୍କୁ ଘର ସମ୍ମୁଖ ରାସ୍ତାରେ ନିର୍ଘାତ ପିଟୁଛନ୍ତି । ଏହା ସହିତ ଉଭୟ ମହିଳା ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ କାନ୍ଦ ବନ୍ଦ କରିବାକୁ ତାଗିଦ୍‌ କରୁଛନ୍ତି ।

ପୀଡ଼ିତାଙ୍କୁ ଉଭୟ ମହିଳା କେବେ ଗୋଇଠା ତ କେତେବେଳେ ବିଧା ମାରୁଥିବା ଦେଖିବାକୁ ମିଳୁଛି । କେତେବେଳେ ତାଙ୍କ ଚୁଟି ଟାଣି ମାରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ମହିଳା ଜଣକ ଅଭିଯୋଗ କରିଛନ୍ତି, ଦୁଇ ଝିଅ ଜନ୍ମ ହେବାରୁ ତାଙ୍କ ସ୍ୱାମୀ ଏବଂ ଶାଶୂ ବାରମ୍ବାର ମାଡ ମାରୁଛନ୍ତି । ଏକ ପୁଅ ଚାହୁଁଥିବାରୁ ସେମାନେ ସବୁବେଳେ ତାଙ୍କୁ ନିର୍ଯାତନା ଦେଉଛନ୍ତି ।

ଦ୍ୱିତୀୟ ଝିଅ ଜନ୍ମ ହେବା ପରେ ମହିଳାଙ୍କ ଉପରେ ନିର୍ଯାତନା ବଢ଼ି ଯାଇଥିଲା । ଏପରିକି ଶାଶୂଘର ଲୋକେ ତାଙ୍କୁ ଅନେକ ଥର ଭୋକରେ ରଖିଥିବା ଅଭିଯୋଗ କରିଛନ୍ତି ମହିଳା ଜଣକ । ପରେ ତାଙ୍କୁ ଘରୁ ତଡ଼ି ଦେଇଥିଲେ । ସେପଟେ ନିର୍ଯାତନା ଅସହ୍ୟ ହେବାରୁ ପିଲାଙ୍କୁ ନେଇ ସେ ବର୍ତ୍ତମାନ ଶ୍ରମିକ ଭାବେ କାମ କରି ପେଟ ପୋଷୁଛନ୍ତି ।

ବର୍ତ୍ତମାନ ତାଙ୍କ ଅଭିଯୋଗ ଓ ଭିଡିଓ ଫୁଟେଜ୍‌ ଆଧାରରେ ଛାନଭିନ୍‌ ଆରମ୍ଭ ହୋଇଛି । ପୀଡ଼ିତାଙ୍କ ଚିକିତ୍ସା ପାଇଁ ବର୍ତ୍ତମାନ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତଦନ୍ତ ପରେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ୍‌ କହିଛି ।