• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାଡମେର : ଆଠ ବର୍ଷ ପରେ ଧରା ପଡ଼ିଗଲା ମିଛୁଆ ସ୍ୱାମୀର ମିଛ । ସ୍ତ୍ରୀକୁ ଅନ୍ଧାରରେ ରଖି ବିଦେଶରେ ଅୟସ୍‌ କରୁଥିବା ଜୀବନସାଥୀର କଳା କାରନାମା ଏବେ ସର୍ବସମ୍ମୁଖକୁ ଆସିଛି । ରାଜସ୍ଥାନର ବାଡମେର ଅଞ୍ଚଳର ଜଣେ ମହିଳା ସ୍ୱାମୀ ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ମସ୍କୋ ଯିବା ପରେ ତାଙ୍କ ସ୍ୱାମୀ ସେଠାରେ ଦ୍ୱିତୀୟ ବିବାହ କରିଛନ୍ତି, ତେଣୁ ତାଙ୍କ ଭିସା ରିନ୍ୟୁ ନକରିବା ସହ ନ୍ୟାୟ ଦେବାକୁ ଅନୁରୋଧ କରିଛନ୍ତି । ଭରଣପୋଷଣ ପାଇଁ ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ବିରୋଧରେ ମକଦ୍ଦମା ଦାୟର କରିଛନ୍ତି । ଉଭୟଙ୍କର ୧୦ ବର୍ଷର ପୁଅଟିଏ ଥିବାବେଳେ ମହିଳାଙ୍କ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ପୀଡ଼ିତା ମହିଳା ଦୀପିକା ୧ ସେପ୍ଟେମ୍ବର ୨୦୦୯ରେ ଯୋଧପୁରର ବାସିନ୍ଦା ଭଗବାନ୍ ଦାସଙ୍କୁ ବିବାହ କରିଥିଲେ। ୨୦୧୪ ପର୍ଯ୍ୟନ୍ତ ସବୁକିଛି ଠିକ୍ ଚାଲିଥିଲା, ହସଖୁସିରେ କଟୁଥିଲା ସଂସାର । ​​କିନ୍ତୁ ଭଗବାନ୍ ଦାସ ୨୦୧୪ରେ କାମ କରିବାକୁ ମସ୍କୋ ଚାଲି ଯାଇଥିଲେ । ଆଉ ସେବେଠାରୁ ଦୀପିକା ଏବଂ ତାଙ୍କ ଶାଶୁଘର ଲୋକଙ୍କ ମଧ୍ୟରେ ଲଗାତାର ଝଗଡା ହେଉଥିଲା । ଶାଶୁଘର ଲୋକେ ତାଙ୍କୁ ହଇରାଣ କରୁଥିଲେ ବୋଲି କହିଛନ୍ତି ଦୀପିକା । ସ୍ୱାମୀ ୨ ବର୍ଷରେ ଥରେ ଆସୁଥିଲେ ଏବଂ ଆଉ ଥରେ ଆସିଲେ ସାଥୀରେ ବିଦେଶକୁ ନେଇଯିବି ବୋଲି କହି ଚାଲିଯାଉଥିଲେ ।

୨୦୨୦ ମସିହାରେ ଭଗବାନ୍‌ ଦାସ୍ ଯୋଧପୁରକୁ ନିଜ ଘରକୁ ଫେରିବା ପରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପୁଣି ଥରେ ସେଇ କଥାକୁ ନେଇ ଝଗଡ଼ା ହୋଇଥିଲା । ସାଥୀରେ ଯିବାପାଇଁ ଜିଦ୍ ଧରିଥିଲେ ଦୀପିକା । ଝଗଡ଼ା ଅତ୍ୟଧିକ ହେବାରୁ ଭଗବାନ୍‌ ଦାସଙ୍କ ମୁହଁରୁ ସତ ବାହାରି ଯାଇଥିଲା । ସେଠାରେ ଦ୍ୱିତୀୟ ବିବାହ କରିଥିବା କହିଦେଲେ । ଏକଥା ଶୁଣିବା ପରେ ଦୀପିକାଙ୍କ ପାଦ ତଳୁ ମାଟି ଖସିଯାଇଥିଲା ।

ଯେଉଁ ମଣିଷକୁ ଅପେକ୍ଷା କରି କରି ସେ ଶାଶୁଘର ଲୋକଙ୍କ ନିର୍ଯାତନା ସହୁଛନ୍ତି, ସେ ତାଙ୍କୁ ଧୋକା ଦେଇଥିବା ଜାଣି ଚାରିଦିଗ ଅନ୍ଧାର ଦେଖାଯାଇଥିଲା । ଏହି ଘଟଣା ପରେ ସେ ନିଜ ବାପଘରକୁ ପଳାଇ ଯାଇଥିଲେ । ଏହା ପରେ ସାମାଜିକ ସ୍ତରରେ ସମାଧାନର ରାସ୍ତା ବାହାର କରିବା ପାଇଁ ଚେଷ୍ଟା ହୋଇଥିଲା । ହେଲେ ସେଥିରୁ ମଧ୍ୟ କୌଣସି ସମାଧାନ ନମିଳିବା ପରେ ଶେଷରେ ସ୍ୱାମୀଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଦୀପିକା ଏବଂ ନ୍ୟାୟ ଦାବି କରିଛନ୍ତି ।

ଦୀପିକାଙ୍କ ଅଭିଯୋଗ ଆଧାରରେ ମହିଳା ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି । ଏହି କେସ୍ ସମ୍ପର୍କରେ ବିଶେଷଜ୍ଞଙ୍କ ପରାମର୍ଶ ନେବା ପରେ ପାସପୋର୍ଟ ରିନ୍ୟୁ ବନ୍ଦ କରିବାକୁ ଚେଷ୍ଟା କରାଯିବ । ଏଥିସହ ଅଭିଯୁକ୍ତ ଭାରତ ଆସିବା ମାତ୍ରେ ତାଙ୍କୁ ଅଟକାଇବା ପାଇଁ ଉଦ୍ୟମ କରାଯିବ ବୋଲି ଦକହିଛନ୍ତି ଥାନାଧିକାରୀ ।