Joshimath
ରସାତଳଗାମୀ ହେବ କି ଦେବଭୂମି ଉତ୍ତରାଖଣ୍ଡର ଯୋଶୀମଠ? କାରଣ ସହରର ଅସ୍ଥିତ୍ୱ ପ୍ରତି ବିପଦ ସୃଷ୍ଟି କରିଛି । କ୍ରମାଗତ ଭୁସ୍ଖଳନ ହିମାଳୟ ପାଦଦେଶରେ ଅବସ୍ଥିତ ପୂରା ଯୋଶୀମଠ ସହର ମାଟି ତଳକୁ ଚାଲିଯିବା ଆଶଙ୍କା ସୃଷ୍ଟି ହୋଇଛି । ଏଠାକାର ଅଧିକାଂଶ କୋଠାବାଡ଼ିର କାନ୍ଥ ଫାଟି ଯାଇଥିବା ବେଳେ ୫ଶହରୁ ଅଧିକ ପରିବାର ଅତି ବିପଦସଂକୁଳ ଅବସ୍ଥାରେ ରହିଛନ୍ତି । ଘର ଭିତରେ ନିଜକୁ ସୁରକ୍ଷିତ ନମଣିବାରୁ ଶୀତୁଆ ରାତିରେ ଲୋକେ ବାହାରେ ନିଆଁ ଜାଳି ବସୁଥିବା ଦେଖିବାକୁ ମିଳିଛି । ବହୁ ଲୋକ ଘର ଛା଼ଡ଼ି ଚାଲିଯିବାକୁ ମଧ୍ୟ ଉଚିତ ମଣୁଛନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦ ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ବେଳେ, ଲୋକଙ୍କ ମଧ୍ୟରେ ତେଜିଲାଣି ବିଦ୍ରୋହର ବହ୍ନି ।
ଦେବଭୂମି ଉତ୍ତରାଖଣ୍ଡର ଯୋଶୀମଠ ଏକ ପରିଚିତ ସ୍ଥାନ । ଖାସ୍ କରି ହିନ୍ଦୁ ଶ୍ରଦ୍ଧାଳୁଙ୍କ ଲାଗି ଏହା ଅତି ପବିତ୍ର । ବଦ୍ରିନାଥ ଓ ହେମକୁଣ୍ଡ ସାହିବ୍ ଯାତ୍ରାର ଉତ୍ପତ୍ତି ସ୍ଥଳ ହେଉଛି ହିମାଳୟ ପାଦଦେଶରେ ଅବସ୍ଥିତ ଏହି ସୁନ୍ଦର ସହର । ତେବେ ମନୁଷ୍ୟକୃତ ହେଉ କି ପ୍ରାକୃତିକ, ସହର ଉପରେ ମାଡ଼ି ଆସୁଛି ବପତ୍ତି । ଦବିବାକୁ ଆରମ୍ଭ କରିଛି ଏଠିକାର ଭୂମିରୂପ ... । ରାସ୍ତାଘାଟ ସବୁ ଫାଟିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ସହରର ୫୬୧ଟି ଘରେ ଫାଟ ସୃଷ୍ଟି ହୋଇଛି ।
ରବିଗ୍ରାମରେ ୧୫୩, ଗାନ୍ଧିନଗରର ୧୨୭, ମୋହନବାଗ୍ର ୭୧, ସିଙ୍ଗଧାରର ୫୧, ପରସାରୀର ୫୦, ଅପର୍ ବାଜାରର ୨୯, ସୁନୀଲରେ ୨୭, ମାରଓ୍ୱାଡ଼ିରେ ୨୮ ଏବଂ ଲୋୟର ବଜାର ଅଞ୍ଚଳରେ ୨୪ଟି ଘର କ୍ଷତିଗ୍ରସ୍ତ ହୋଇଛି କେବଳ ଘର କାନ୍ଥ ନୁହେଁ, ରାସ୍ତାରେ ବଡ଼ ବଡ଼ ଫାଟ ସୃଷ୍ଟି ହେବା ସହ ଏଥିରୁ ପାଣି ବାହାରିବାକୁ ଆରମ୍ଭ କରିଛି । ମାଟିତଳୁ ଅଦ୍ଭୁତ ଶଦ୍ଦ ଶୁଭୁଥିବା ବେଳେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ପୂରା ସହର ବିପର୍ଯ୍ୟୟ ମୁହାଁ ହେବା ପରେ, ଏକପ୍ରକାର ସମୂହ ପଳାୟନର ଆଶଙ୍କା ସୃଷ୍ଟି ହୋଇଛି ।
ତେବେ କେଉଁ କାରଣରୁ ଦବୁଛି ମାଟି? କାହିଁକି ନିଶ୍ଚିହ୍ନ ହେବାକୁ ବସିଛି ପ୍ରକୃତି କୋଳରେ ଅବସ୍ଥିତ ଏହି ସୁନ୍ଦର ସହର? ସ୍ଥାନୀୟ ଲୋକଙ୍କ ଅଭିଯୋଗ ଯେ, ଏନଟିପିସି ଦ୍ୱାରା ନିର୍ମାଣ କରାଯାଉଥିବା ତପୋବନ-ବିଷ୍ଣୁଗଡ଼ ଜଳବିଦ୍ୟୁତ୍ ପ୍ରକଳ୍ପ ହିଁ ବିପର୍ଯ୍ୟୟର ମୂଳ କାରଣ ।
ସେହିପରି ବଦ୍ରିନାଥକୁ ସଂଯୋଗ ଲାଗି ହେଲାଙ୍ଗ ଓ ମାରଓ୍ୱାଡ଼ି ମଧ୍ୟରେ ନିର୍ମାଣ କରାଯାଉଥିବା ଟନେଲ୍ ଯୋଗୁଁ ଭୁସ୍ଖଳନ ଘଟୁଥିବା କହିଛନ୍ତି ଯୋଶୀମଠ ବାସିନ୍ଦା । କାମ ବନ୍ଦ ସହ ସେମାନଙ୍କୁ ତୁରନ୍ତ ଥଇଥାନ କରିବା ଲାଗି ଲୋକେ ଦାବି କରିଛନ୍ତି । ଅନ୍ୟପକ୍ଷରେ ଜୋରଦାର ବିରୋଧକୁ ଦେଖି ଚାମୋଲି ଜିଲ୍ଲା ପ୍ରଶାସନ ଯୋଶୀମଠ ଅଞ୍ଚଳରେ ସମସ୍ତ ନିର୍ମାଣ କାମ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି ।
୨ ହଜାର ଉଠା ଘରର ବ୍ୟବସ୍ଥା କରିବାକୁ ଏନ୍ଟିପିସି ଓ ହିନ୍ଦୁସ୍ତାନ କନଷ୍ଟ୍ରକସନ କଂପାନିକୁ ନିର୍ଦ୍ଦେଶ ଦିଆଯାଇଛି । ଏନଟିପିସିର ଜଳବିଦ୍ୟୁତ୍ ପ୍ରକଳ୍ପ ଏବଂ ବର୍ଡର ରୋଡ୍ ଅର୍ଗାନାଇଜେସନ ଦ୍ୱାରା ଚାଲିଥିବା ଟନେଲ ନିର୍ମାଣ କାମକୁ ବି ସ୍ଥଗିତ ରଖାଯାଇଛି । ସେହିପରି ଏସିଆର ସର୍ବବୃହତ୍ତମ ରୋପ୍ ୱେ ଓ ପର୍ଯ୍ୟଟକଙ୍କ ଲାଗି ଉଦ୍ଦିଷ୍ଟ ହୋଟେଲ୍କୁ ବି ବନ୍ଦ କରିଦିଆଯାଇଛି .... ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)