• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜଣେ ଚିଟଫଣ୍ଡ୍ ଏଜେଣ୍ଟରୁ ଦୋକାନୀ, ଆଉ ଜଣେ ୱେଲ୍ଡର । ଟେଲର୍ କହ୍ନେୟା ଲାଲଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିଥିବା ଏହି ୨ ଅପରାଧୀଙ୍କୁ ଗିରଫ କରାଯାଇଥିବା ବେଳେ ଏହି ଘଟଣାକୁ ଆତଙ୍କବାଦୀ କାର୍ଯ୍ୟକଳାପ ବୋଲି ପୋଲିସ ଘୋଷଣା କରିଛି ।

ଗସ୍ ମହମ୍ମଦ ଓ ରିୟାଜ୍ ଅନସାରୀ । ଏହି ହତ୍ୟାକାରୀଙ୍କର କେବଳ ପାକିସ୍ତାନ ଲିଙ୍କ୍ ନୁହେଁ, ସାମ୍ନାକୁ ଆସୁଛି ଆହୁରି ଅନେକ ରୋଚକ ତଥ୍ୟ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ମହମ୍ମଦ ରିୟାଜ୍ ଭିଲଓ୍ୱାଡ଼ା ଆସିନ୍ଦ ବାସିନ୍ଦା ଏବଂ ସେ ୨୦ ବର୍ଷ ହେଲା ଉଦୟପୁରରେ ରହୁଥିଲା । ରିୟାଜ କାହା ଯୋଗାଯୋଗରେ ରହୁଥିବା ଜାଣିବା ପାଇଁ, ପୋଲିସ ତାର ପରିବାର, ସଂପର୍କୀୟ ଓ ସାଙ୍ଗସାଥିଙ୍କ ଖୋଜ୍ ଖବର ନେଉଥିବା ବେଳେ ରିୟାଜଙ୍କ ମୂଳ ଘରେ ତାଲା ପଡ଼ିଥିବା ଦେଖିବାକୁ ମିଳିଛି ।

ସେଠାରେ ପୋଲିସ ପହରା ଦେଉଛି । ରିୟାଜ୍ ୱେଲ୍ଡିଂ କାମ କରୁଥିଲା ଏବଂ ତାର ଏଭଳି ହିଂସ୍ର ଉଦ୍ଦେଶ୍ୟ ସଂପର୍କରେ ପାଖ ପଡ଼ୋଶୀ ପୂରା ଅଜ୍ଞ ଥିଲେ । କେବଳ ଏତିକି ନୁହେଁ, ରିୟାଜ୍ ମୁମ୍ବାଇ ହମଲା ତାରିଖ ୨୬-୧୧କୁ ଶୁଭ ମାନୁଥିଲା ଏବଂ ଆରଟିଓରେ ୫ ହଜାର ଟଙ୍କା ଦେଇ ନିଜ ବାଇକ୍ ପାଇଁ ସେହି ନମ୍ବର ନେଇଥିଲା ବୋଲି କୁହାଯାଉଛି । ତା ଛଡ଼଼ା, ରିୟାଜ ବାରମ୍ବାର ଭଡ଼ାଘର ବଦଳାଉଥିବା ଏବଂ ଘରଭଡ଼ା ଟଙ୍କା ବାକି ରଖିଥିବା ଜଣାପଡ଼ିଛି ।

ଅପରାଧରେ ତାର ସାଥି ଗସ୍ ମହମ୍ମଦ ଥିଲା ଜଣେ ଦୋକାନୀ । ରାଜା କଲୋନୀରେ ତାର ଜେନେରାଲ୍ ଷ୍ଟୋର୍ ରହିଛି । ସେ କାହା ସହିତ ବେଶି ମିଳାମିଶା କରୁନଥିଲା ଏବଂ କୌଣସି ହିଂସାକାଣ୍ଡରେ ପୂର୍ବରୁ ତାର ସଂପୃକ୍ତି ସମ୍ପର୍କରେ ଆମେ ଶୁଣିନାହୁଁ ବୋଲି ଗସର ପଡ଼ୋଶୀମାନେ କହିଛନ୍ତି । ଜେନେରାଲ୍ ଷ୍ଟୋର୍ କରିବା ଆଗରୁ ଚିଟଫଣ୍ଡ୍ ଏଜେଣ୍ଟ ଥିଲା ଗସ୍ ମହମ୍ମଦ ।

ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଟଙ୍କା ଲଗାଇବାକୁ ପ୍ରବର୍ତ୍ତାଉଥିଲା । ବହୁ ଲୋକ ତା କଥାରେ ଭଳି ଚିଟଫଣ୍ଡରେ ଟଙ୍କା ଲଗାଇଥିବା ମଧ୍ୟ କୁହାଯାଉଛି । ତେବେ ଚିଟଫଣ୍ଡ୍ କଂପାନୀ ଠକ ବୋଲି ଜଣାପଡ଼ିବା ପରେ ଅଡ଼ୁଆରେ ପଡ଼ିଯାଇଥିଲା ଗସ୍ । ଏହାପରେ ସେ ଜେନେରାଲ୍ ଷ୍ଟୋର୍ ଖୋଲିଥିଲା, ତା ଘର ଲୋକ ମଧ୍ୟ ତାଲା ପକାଇ କୁଆଡ଼େ ଚାଲିଯାଇଛନ୍ତି ।

ଏଭିତରେ ସୂଚନା ମିଳିଛି ଯେ, ଉଦୟପୁର ଟେଲର୍ କିଲିଂକୁ ପ୍ରୋତ୍ସାହିତ କରୁଥିବା ପ୍ରଶଂସା କରୁଥିବା କିମ୍ବା ଉଚିତ ଦର୍ଶାଉଥିବା ପୋଷ୍ଟ ଓ ବିଷୟବସ୍ତୁକୁ ନିଜ ପ୍ଲାଟଫର୍ମରୁ ହଟାଇବା ଲାଗି ବିଭିନ୍ନ ସୋସିଆଲ ମିଡିଆ କଂପାନୀଙ୍କୁ ନିର୍ଦ୍ଦେଶ ଦେଇଛି ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ ।