• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାମରିକ ଶକ୍ତି ଦ୍ୱାରା ହୋଇପାରିବନି ୟୁକ୍ରେନ ବିବାଦର ସମାଧାନ । ଏହି ବିବାଦର ଅତିଶୀଘ୍ର ଶେଷ ହେବା ଜରୁରୀ । ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡିମିରି ଜେଲେନସ୍କିଙ୍କ ସହ ଟେଲିଫୋନ ଜରିଆରେ ଆଲୋଚନା କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫୋନ ଯୋଗେ ଦୁଇ ନେତାଙ୍କ ଆଲୋଚନା ବେଳେ ଜାତିସଂଘର ନିୟମାବଳି, ଆନ୍ତର୍ଜାତିକ ଆଇନ୍, ରାଷ୍ଟ୍ରର ସ୍ୱତନ୍ତ୍ରତା ଏବଂ ଆଞ୍ଚଳିକ ଐକ୍ୟତା ଉପରେ ଗୁରୁତ୍ୱାରୋପ କରିଥିଲେ ମୋଦି ।

ସେହିଭଳି ପରମାଣୁ ଭୟବହତା ଉପରେ ଆଲୋକପାତ କରି ମୋଦି କହିଛନ୍ତି, ଏହା ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ପରିବେଶ ଲାଗି ଅଭିଶାପ ପାଲଟିଯିବ । ଏହାସହ ଶତ୍ରୁତା ଆଚରଣ ଛାଡ଼ି ଆଲୋଚନା ଏବଂ କୁଟନୀତି ଜରିଆରେ ବିବାଦର ଶୀଘ୍ର ସମାଧାନ ପାଇଁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ । ଶାନ୍ତି ପାଇଁ ଭାରତ ପଦକ୍ଷେପ ନେବାକୁ ପ୍ରସ୍ତୁତ ବୋଲି ଜେଲେନସ୍କିଙ୍କୁ କହିଛନ୍ତି ମୋଦି । ଏନେଇ ପିଏମଓ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଗୋଟିଏ ବିବୃତିରେ କୁହାଯାଇଛି ଯେ “ରୁଷ ସହ ଚାଲିଥିବା ଶତ୍ରୁତାକୁ ଶୀଘ୍ର ବନ୍ଦ କରିବା, ଆଲୋଚନା ଓ କୂଟନୀତିକ ସମ୍ପର୍କ ବଢ଼ାଇବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ କହିଛନ୍ତି । ବିବାଦର କୌଣସି ସାମରିକ ସମାଧାନ ନାହିଁ। ଶାନ୍ତି ଓ ସ୍ଥିରତା ସ୍ଥାପନ ପାଇଁ ଭାରତ ସବୁବେଳେ ପ୍ରୟାସ କରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।”

ଦୁଇ ଦେଶର ନେତା ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ତିକ୍ତତା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ପୁଣିଥରେ ବିବାଦ ଶୀଘ୍ର ସମାଧାନ ହେବା ପାଇଁ ଦୁଇ ଦେଶ ଆଲୋଚନାକୁ ଫେରନ୍ତୁ ବୋଲି କହିଛନ୍ତି । ମିଳିତ ଜାତିସଂଘର ଚାର୍ଟର୍, ଅନ୍ତର୍ଜାତୀୟ ଆଇନ ଓ ସମସ୍ତ ଦେଶର ସାର୍ବଭୌମତ୍ୱ ତଥା ଆଞ୍ଚଳିକ ଅଖଣ୍ଡତା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।

ସେ କହିଛନ୍ତି ଯେ, ୟୁକ୍ରେନ ସମେତ ସବୁ ସ୍ଥାନରେ ଥିବା ଆଣବିକ ପ୍ରତିଷ୍ଠାନର ସୁରକ୍ଷାକୁ ଭାରତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରେ । ଏହି ପ୍ରତିଷ୍ଠାନଗୁଡିକ ପାଇଁ ବିପଦ ସୃଷ୍ଟି ହେଲେ ଅତ୍ୟନ୍ତ ଭୟଙ୍କର ସ୍ଥିତି ସୃଷ୍ଟି  ହୋଇପାରେ। ତେଣୁ ସମସ୍ତେ ଏହାର ସୁରକ୍ଷା ଉପରେ ଗୁରୁତ୍ୱ ଦେବା ଦରକାର ବୋଲି ମୋଦି ଫୋନ ଯୋଗେ ଜେଲେନସ୍କିଙ୍କୁ କହିଛନ୍ତି ।

ଆଲୋଚନା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ୟୁକ୍ରେନକୁ ସମର୍ଥନ କରିଥିବାରୁ ଫୋନ୍ କରି ମୋଦିଙ୍କୁ ଧନ୍ୟବାଦ ଜଣାଇଲେ । ବର୍ତ୍ତମାନ ଯୁଦ୍ଧର ସମୟ ନୁହେଁ କହିଥିବା ମୋଦିଙ୍କ ମନ୍ତବ୍ୟକୁ ପ୍ରଶଂସା କଲେ । ଏହାସହ ପୁଟିନଙ୍କ ସହ କୌଣସି ପ୍ରକାର ଆଲୋଚନା ସମ୍ଭବ ନୁହେଁ କହିଲେ ଜେଲେନସ୍କି ।