• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାରାଣସିର କାଶୀ ବିଶ୍ୱନାଥ କରିଡର ତୁଳନାରେ ଉଜୈନ ମହାକାଳ କରିଡର (Ujjain Mahakal Corridor), ଆକାର ଓ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଢେର ଆଗରେ । ଏହି ସ୍ଥାନ ବାବା ମହାକାଳଙ୍କ ପ୍ରତି ଆସ୍ଥା ରଖୁଥିବା ଶ୍ରଦ୍ଧାଳୁଙ୍କୁ ଦିବ୍ୟ ଅନୁଭୂତି ଦେବ । ପ୍ରାୟ ୫୦ ହେକ୍ଟର ଜମିରେ ନିର୍ମାଣ ହୋଇଛି ଏହି ସୌନ୍ଦର୍ଯ୍ୟମୟ କରିଡର । ଏହାର ବିହଙ୍ଗମ ଦୃଶ୍ୟ ଉଭୟ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ।

ରାଜସ୍ଥାନରୁ ଅଣାଯାଇଥିବା ସ୍ୱତନ୍ତ୍ର ପଥରରେ ଏଠାରେ କଳାକୃତି ନିର୍ମାଣ କରାଯାଇଛି । କରିଡରରେ ମୋଟ ୩ଟି ଦ୍ୱାର ରହିଛି । ନନ୍ଦି ଦ୍ୱାର ଦେଇ ଭକ୍ତ କରିଡର ମଧ୍ୟରେ ପ୍ରବେଶ କରିପାରିବେ । ନନ୍ଦି ଦ୍ୱାରରୁ ମୁଖ୍ୟ ମନ୍ଦିରର ଗର୍ଭଗୃହର ଦୂରତା ପ୍ରାୟ ୯ଶହ ମିଟର । ନନ୍ଦି ଦ୍ୱାରରେ ପ୍ରବେଶ କଲା ପରେ ନିର୍ମାଣ ହୋଇଛି ବିରାଟ ଅଗଣା । ଏଠାରେ ଭକ୍ତମାନେ ସ୍ୱଚ୍ଛନ୍ଦରେ ବିଚରଣ କରିପାରିବେ ।

ନନ୍ଦି ଦ୍ୱାରରୁ ୪ ମିଟର ଅର୍ଥାତ୍ କରିଡରର ଠିକ୍ ମଝିରେ ରହିଛି ପୌରାଣିକ କଥାବସ୍ତୁ । ସମୁଦ୍ର ମନ୍ଥନ ଉପରେ ଆଧାରିତ କଳାକୃତି । ସେହିପରି କରିଡର ମଧ୍ୟରେ ଦେବଦେବ ମହାଦେବଙ୍କ ଉତ୍ପତ୍ତି ଓ ରହସ୍ୟକୁ ନେଇ ୨ ଶହରୁ ଅଧିକ ଦେବାଦେବୀଙ୍କ ମୂର୍ତ୍ତି ନିର୍ମାଣ ହୋଇଛି । କରିଡର ମଧ୍ୟରେ ଅନ୍ୟତମ ଆକର୍ଷଣ କମଲ କୁଣ୍ଡ ବା ପଦ୍ମ କୁଣ୍ଡ । ୧୦୮ କାରୁକାର୍ଯ୍ୟ ସଂପନ୍ନ ସ୍ତମ୍ଭ କରିଡରର ଶୋଭା ବର୍ଦ୍ଧନ କରୁଛି ।

ମହାଦେବ ଶିବଙ୍କ ତାଣ୍ଡବ ନୃତ୍ୟର ବିଭିନ୍ନ ମୁଦ୍ରାକୁ ଏଥିରେ ଦର୍ଶାଯାଇଛି । କରିଡର ମଧ୍ୟରେ ରହିଛି ମହାକାଳ ବାଟିକା । ଦେବ ଦେବଙ୍କୁ ପସନ୍ଦ ବିଭିନ୍ନ ବୃକ୍ଷରାଜିକୁ ଏଠାରେ ସ୍ଥାନିତ କରାଯାଇଛି । କରିଡରର ଅପରୂପ ସୌନ୍ଦର୍ଯ୍ୟ ଭକ୍ତି ଭାବ ଉଦ୍ରେକ କରିବା ସହ ଶ୍ରଦ୍ଧାଳୁଙ୍କ ମନ୍ତ୍ରମୁଗ୍ଧ କରିବ ବୋଲି କୁହାଯାଉଛି ।

ଏହି ଭବ୍ୟ କରିଡରକୁ ଅଧିକ ଆକର୍ଷଣୀୟ କରିବ ଏଠାରେ ପ୍ରସ୍ତାବିତ ରୋପ୍ ୱେ । ଉଜୈନ ଷ୍ଟେସନରୁ ମନ୍ଦିର ପର୍ଯ୍ୟନ୍ତ ୨ କିଲୋମିଟର ଦୀର୍ଘ ରୋପ୍ ୱେ ନିର୍ମାଣ କରାଯିବ । ବୃଦ୍ଧବୃଦ୍ଧା ଓ ଶାରିରୀକ ଭିନ୍ନକ୍ଷମଙ୍କ ସୁବିଧା ଲାଗି ରୋପ୍ ୱେ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସଡ଼କ ପରିବହନ ମନ୍ତ୍ରୀ ନିତିନ୍ ଗଡକରିଙ୍କୁ ଅନୁରୋଧ କରିଥିଲେ । ୨୧୦ କୋଟିର ଏହି ପ୍ରକଳ୍ପ ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଟେଣ୍ଡର ଡକାଯାଇଛି । ୧୮ ମାସ ସମୟ ଭିତରେ ନିର୍ମାଣ କାମ ଶେଷ କରାଯିବ ।