• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବ୍ରିଟିଶ ସରକାର ବିରୋଧରେ ସ୍ୱର ଉତ୍ତୋଳନ ଲାଗି ୧୯୩୮ ମସିହାରେ ଜବାହାରଲାଲ ନେହରୁ ଓ ଅନ୍ୟ ସ୍ୱାଧୀନତା ସଂଗ୍ରାମୀ ପ୍ରତିଷ୍ଠା କରିଥିଲେ ନ୍ୟାସନାଲ ହେରାଲ୍ଡ ନ୍ୟୁଜ ପେପର୍ । ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଲିମିଟେଡ୍ ନାମକ ସଂସ୍ଥା ନ୍ୟାସନାଲ ହେରାଲ୍ଡ ସମେତ ଅନ୍ୟ ଦୁଇଟି ଖବର କାଗଜ- ଉର୍ଦ୍ଦୁରେ କ୍ୱାମି ଆଓ୍ୱାଜ୍ ଓ ହିନ୍ଦୀରେ ନବଜୀବନ ମଧ୍ୟ ପ୍ରକାଶନ କରୁଥିଲା । ତେବେ ଏହା ବ୍ୟକ୍ତିଗତ ସଂପତ୍ତି ନଥିଲା ।

ଆରମ୍ଭରୁ ପ୍ରାୟ ୫ ହଜାର ସ୍ୱାଧୀନତା ସଂଗ୍ରାମୀ ଏହାର ସେୟାର୍ ହୋଲ୍ଡର୍ ଥିଲେ ।୨୦୧୦ରେ ବି ଏହାର ୧୦୫୭ ସେୟାର ହୋଲଡର୍ ଥିବା ସୂଚନା ମିଳିଛି । କ୍ରମଶଃ ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଋଣଗ୍ରସ୍ତ ହୋଇପଡ଼ିଥିଲା । କଂଗ୍ରେସ ଦଳ ୯୦ କୋଟିର ଋଣ ଦେବା ସତ୍ତ୍ୱେ ଏହାକୁ କାର୍ଯ୍ୟକ୍ଷମ କରାଯାଇ ପାରିନଥିଲା । ଫଳରେ ଏହାକୁ ବନ୍ଦ କରିଦେବା ଲାଗି ୨୦୦୮ରେ ସୋନିଆ ଗାନ୍ଧୀ ନିର୍ଦ୍ଦେଶ ଦେଇଥିଲେ । ପରେ ୨୦୧୦ରେ ନ୍ୟାସନାଲ ହେରାଲ୍ଡକୁ କିଣିଥିଲା ୟଙ୍ଗ ଇଣ୍ଡିଆ ନାମକ କଂପାନୀ, ଯାହାର ବୋର୍ଡ ଅଫ୍ ଡିରେକ୍ଟର୍ସ ଥିଲେ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ।

୨୦୧୨ ମସିହାରେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ନ୍ୟାସନାଲ ହେରାଲ୍ଡର ମାଲିକାନା ପରିବର୍ତ୍ତନକୁ ନେଇ କୋର୍ଟରେ ମାମଲା ରୁଜୁ କରିଥିଲେ । ସୋନିଆ, ରାହୁଲଙ୍କ ସମେତ ଅନ୍ୟ କଂଗ୍ରେସ ନେତାଙ୍କ ବିରୋଧରେ ସେ ଠକେଇ ଓ ଆସ୍ଥା ଭଙ୍ଗ ଅଭିଯୋଗ ଆଣିଥିଲେ । ଆୟକର ନିୟମ ଅନୁଯାୟୀ, ଏକ ରାଜନୈତିକ ସଂଗଠନ କୌଣସି ତୃତୀୟ ପକ୍ଷ ସହ ଆର୍ଥିକ ନେଣଦେଣ କରିପାରିବ ନାହିଁ ବୋଲି ସେ ଯୁକ୍ତି ଦର୍ଶାଇ ଥିଲେ ।

ୟଙ୍ଗ ଇଣ୍ଡିଆ ନ୍ୟାସନାଲ ହେରାଲ୍ଡକୁ କିଣିବା ଦ୍ୱାରା ସଂସ୍ଥା ନାଁରେ ଥିବା ୨ ହଜାର କୋଟିରୁ ଅଧିକ ଟଙ୍କାର ସଂପତ୍ତି ସୋନିଆ ଓ ରାହୁଲଙ୍କୁ ନିକଟକୁ ଚାଲି ଯାଇଥିବା ସେ ଅଭିଯୋଗ କରିଥିଲେ । ସେହିପରି ମାତ୍ର ୫୦ ଲକ୍ଷ ଟଙ୍କା ବଦଳରେ ନ୍ୟାସନାଲ ହେରାଲ୍ଡକୁ କଂଗ୍ରେସ ଦେଇଥିବା ୯୦ କୋଟି ଟଙ୍କାର ଋଣ ପରିଶୋଧ ହୋଇଯାଇଥିବା ଦର୍ଶାଯାଇଥିଲା । ଅର୍ଥାତ୍ ନ୍ୟାସନାଲ ହେରାଲ୍ଡକୁ ୮୯.୫ କୋଟିର ଋଣ ଛାଡ଼ କରାଯାଇଥିବା ସ୍ୱାମୀ ଉଲ୍ଲେଖ କରିଥିଲେ । ସୋନିଆ ଓ ରାହୁଲଙ୍କୁ ଲାଭ ପହଞ୍ଚାଇବା ଲାଗି ବେଆଇନ ଉପାୟରେ ଏସବୁ କରାଯାଇଥିବା ଅଭିଯୋଗ ନେଇ ମାମଲା ରୁଜୁ କରିଥିଲେ ସୁବ୍ରମଣ୍ୟମ ସ୍ୱାମୀ ।

ସେପଟେ ଏହି ମାମଲାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଆଜି ପଚରାଉଚରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କାର୍ଯ୍ୟାଳୟରେ ହାଜର ପରେ ତାଙ୍କୁ ଜେରା କରୁଛି ୩ ଜଣିଆ ଟିମ୍ । ଦଳୀୟ ନେତା ଓ ଶତାଧିକ ସମର୍ଥକଙ୍କ ଗହଣରେ ରାହୁଲ ଇଡି ଅଫିସକୁ ଯାଇଥିଲେ । ରାହୁଲଙ୍କୁ ଇଡି ନୋଟିସ କରିବା ପ୍ରତିବାଦରେ କଂଗ୍ରେସ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦେଶବ୍ୟାପୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ଆଗରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ କରିଛନ୍ତି । ବିରୋଧୀଙ୍କ ସ୍ୱରକୁ ଦବାଇ ଦେବାକୁ ବିଭିନ୍ନ ସଂସ୍ଥା ଜରିଆରେ କେନ୍ଦ୍ର ସରକାର ଚେଷ୍ଟା କରୁଥିବା ଅଭିଯୋଗ କରିଛି କଂଗ୍ରେସ ।

ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କୁ ଆସନ୍ତା ୨୩ ତାରିଖରେ ବି ହାଜର ହେବାକୁ ନିର୍ଦ୍ଦେଶ ରହିଛି । ସୋନିଆ କରୋନା ସଂକ୍ରମିତ ଥିବାରୁ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ଏପଟେ ଗାନ୍ଧି ପରିବାର ବିରୋଧରେ ଆକ୍ରୋଶ ମୂଳକ ପଦକ୍ଷେପ ପାଇଁ ବିଜେପି ସରକାର ବିରୋଧରେ ସତ୍ୟାଗ୍ରହ ଜାରି ରହିବ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ରଣଦୀପ ସୂରଜେୱାଲା । କଂଗ୍ରେସର ଏଭଳି ଅଭିଯୋଗର ଜବାବ ରଖିଛି ବିଜେପି । ଏପଟେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି କହିଛନ୍ତି, ତଦନ୍ତକାରୀ ସଂସ୍ଥା ଉପରେ ଚାପ ଚେଷ୍ଟା କରାଯାଉଛି ।