• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁଣି ଚର୍ଚ୍ଚାରେ ବଲିଉଡ୍ ଓ ସରୋଗେସି । ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ସ୍ୱାମୀ ନିକ୍ ଜୋନାସ ସରୋଗେସି ଜରିଆରେ ସନ୍ତାନ ପ୍ରାପ୍ତି କଲା ପରେ ପିଲା ଜନ୍ମ ପାଇଁ ଏହି ପ୍ରକ୍ରିୟା କେତେ ଠିକ୍, କେତେ ଭୁଲ୍ ଏହାକୁ ନେଇ ୨ ଭାଗ ସୋସିଆଲ୍ ମିଡିଆ । କିଏ ଏହାକୁ ଠିକ୍ କହୁଛି, ତ କିଏ କହୁଛି ସରୋଗେସି ଠାରୁ ମା ନହେବା ଭଲ । ସେପଟେ ପ୍ରଖ୍ୟାତ ଲେଖିକା ତସଲିମା ନସରିନଙ୍କ ଏକାଧିକ ଟୁଇଟ୍ ପରେ ଝଡ଼ ଆହୁରି ତୀବ୍ର ହୋଇଛି ।

ଗର୍ଭଧାରଣ ନକରି ମାଆ ହୋଇଛନ୍ତି ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା । ସରୋଗେସି ଜରିଆରେ ସେ ସନ୍ତାନ ଲାଭ କରିବା ନେଇ ନିଜେ ଓ ସ୍ୱାମୀ ନିକ୍ ଜୋନସ୍ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି । ତେବେ ଏହି ସନ୍ତାନ ପୁତ୍ର କି କନ୍ୟା ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ, ଏଥିରେ ଯବନିକା ଟାଣି ରାଜ୍ ଖୋଲିଛନ୍ତି ପ୍ରିୟଙ୍କାଙ୍କ ସଂପର୍କୀୟ ଭଉଣୀ ମୀରା ଚୋପ୍ରା । ପ୍ରିୟଙ୍କାଙ୍କର କନ୍ୟା ସନ୍ତାନ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଜାନୁଆରୀ ୧୫ରେ ଏହି କନ୍ୟା ସନ୍ତାନ ଜନ୍ମଲାଭ କରିଛି । ତେବେ ସମୟର ୧୨ ସପ୍ତାହ ପୂର୍ବରୁ ଶିଶୁଟି ଜନ୍ମ ହୋଇଥିବାରୁ ହସ୍ପିଟାଲରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହିଛି । ପ୍ରିୟଙ୍କା ୨୦୧୮ ମସିହାରେ ଆମେରିକୀୟ ଗାୟକ ନିକ୍ ଜୋନସଙ୍କୁ ବିବାହ କରିଥିଲେ । ତେବେ ସେ ପିଲା ପାଇଁ ସରୋଗେସି ପ୍ରକ୍ରିୟା ଆପଣାଇଥିବାରୁ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ସୋସିଆଲ୍ ମିଡିଆରେ କିଏ ଏହାକୁ ସମର୍ଥନ କରୁଛି ତ ଆଉ କିଏ ବିରୋଧ ।

ତେବେ କଣ ଏହି ସରୋଗେସି ? କାହିଁକି ଏହାକୁ ନେଇ ବିବାଦ? ସରଳ ଭାଷାରେ କହିଲେ, ଯଦି କୌଣସି ଦଂପତି ନିଜର ସନ୍ତାନ ପ୍ରାପ୍ତି ପାଇଁ ଅନ୍ୟ ମହିଳାଙ୍କ ଗର୍ଭକୁ ଭଡ଼ାରେ ନିଅନ୍ତି, ତେବେ ତାହାକୁ ସରୋଗେସି କୁହାଯାଏ । ଏହାର ଅନେକ କାରଣ ରହିଛି ଯଦି ସ୍ୱାସ୍ଥ୍ୟଗତ କାରଣରୁ ମହିଳା ନିଜେ ଗର୍ଭଧାରଣ କରିବାକୁ ଅକ୍ଷମ, ଗର୍ଭଧାରଣ କଲେ ମହିଳାଙ୍କ ଜୀବନକୁ ବିପଦ କିମ୍ବା କୌଣସି ଜଟିଳ ସମସ୍ୟା ଥାଏ, କିମ୍ବା ମହିଳା ଯଦି ନିଜେ ଗର୍ଭଧାରଣ ଓ ସନ୍ତାନପ୍ରସବ ପାଇଁ ଅନିଚ୍ଛୁକ ତେବେ, ସରୋଗେସି ଏକ ବିକଳ୍ପ । ଯେଉଁ ମହିଳା ଅନ୍ୟର ଭ୍ରୁଣକୁ ନିଜ ଗର୍ଭରେ ଧାରଣ କରନ୍ତି, ତାଙ୍କୁ ସରୋଗେଟ୍ ମଦର କୁହାଯାଏ ।

ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସରୋଗେସି ଜରିଆରେ ସନ୍ତାନ ଲାଭ କରିଥିବା ଜଣାଇବା ପରେ ଏକାଧିକ ଟୁଇଟ୍ କରି କଟାକ୍ଷ କରିଛନ୍ତି ପ୍ରଖ୍ୟାତ ଲେଖିକା ତସଲିମା ନସରିନ୍ । ସେ ଲେଖିଛନ୍ତି- ଯେଉଁ ମାଆ ମାନେ ସରୋଗେସି ଜରିଆରେ ରେଡିମେଡ୍ ବେବି ପାଆନ୍ତି, ସେମାନେ କେମିତି ଅନୁଭବ କରନ୍ତି? ସନ୍ତାନ ପ୍ରତି ସେମାନଙ୍କର ଜନ୍ମକଲା ମାଆ ଭଳି ମନୋଭାବ ଥାଏ କି?

ଗରିବ ମହିଳା ଅଛନ୍ତି ବୋଲି ସରୋଗେସି ସମ୍ଭବ ହେଉଛି । ଧନୀ ଲୋକମାନେ ସର୍ବଦା ସ୍ୱାର୍ଥ ପାଇଁ ସମାଜରେ ଗରିବଙ୍କ ଉପସ୍ଥିତି ଚାହିଁଥାନ୍ତି । ଯଦି ତୁମେ ପ୍ରକୃତରେ ଏକ ସନ୍ତାନ ଚାହୁଁଛ, ତେବେ ଏକ ନିରାଶ୍ରୟକୁ ପୋଷ୍ୟ ଭାବେ ଗ୍ରହଣ କର । ତେବେ ପ୍ରିୟଙ୍କାଙ୍କ ପ୍ରଶଂସକ ଓ ସରୋଗେସି ସମର୍ଥକମାନେ ସୋସିଆଲ୍ ମିଡିଆରେ ତାଙ୍କର ଏହି ମତକୁ ଜୋରଦାର ବିରୋଧ କରିବା ପରେ ତସଲିମା ଟୁଇଟ୍ କରିଛନ୍ତି ଯେ, ତାଙ୍କର ଏହି ମତ ସହ ପ୍ରିୟଙ୍କା ଓ ନିକଙ୍କର କୌଣସି ସଂପର୍କ ନାହିଁ ।