• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pragyan Paramita Behera

ଦିନ କେଇଟା ପରେ ଆଗତ ହେବ ସାଧାରଣ ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ ରେ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବେ । ଚଳିତଥର ବଜେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ବିଭିନ୍ନ କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି, ଯାହା ଦେଶର ଅର୍ଥ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ସାଧାରଣ ଜନତାଙ୍କୁ ଆରାମ ଯୋଗାଇବ । ଅର୍ଥମନ୍ତ୍ରୀଙ୍କୁ ଏବେ ସୁଦ୍ଧା ମିଳିଥିବା ପରାମର୍ଶ ଏବଂ ବିଭିନ୍ନ ଉତ୍ସରୁ ମିଳିଥିବା ସୂଚନା ଆଧାରରେ ବଜେଟର ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ ଉପରେ ଧ୍ୟାନ କେନ୍ଦ୍ରିତ କରାଯିବାର ସମ୍ଭାବନା ରହିଛି । ୨୦୨୫ ସାଧାରଣ ବଜେଟରେ ଆୟକର ସମ୍ପର୍କରେ ଅନେକ ବଡ଼ ଘୋଷଣା ହୋଇପାରେ।

ତେବେ କେନ୍ଦ୍ର ବଜେଟ ପ୍ରସ୍ତୁତି ପ୍ରକ୍ରିୟାର ଅନ୍ତିମ ପର୍ଯ୍ୟାୟ ପୂର୍ବରୁ ପାରମ୍ପରିକ ହାଲୱା ସେରିମନି ଆୟୋଜିତ ହୋଇଛି। ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା। ପରମ୍ପରା ଅନୁଯାୟୀ ବଜେଟ୍ ଡକ୍ୟୁମେଣ୍ଟ୍ ମୁଦ୍ରଣ ଆରମ୍ଭ ହେବା ପୂର୍ବରୁ ଅର୍ଥ ମନ୍ତ୍ରଣାଳୟରେ ହାଲୱା ସେରିମନି ଆୟୋଜିତ ହୋଇଥାଏ । ଅର୍ଥ ମନ୍ତ୍ରଣାଳୟର ବ୍ୟକ୍ତିଗତ ପ୍ରେସରେ ବଜେଟ୍ କାଗଜପତ୍ର ମୁଦ୍ରିତ ହୁଏ ।

ଶୁକ୍ରବାର ଦିନ ପାରମ୍ପରିକ ହାଲୱା ସମାରୋହରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯୋଗ ଦେଇଥିଲେ । ଏହା ସହିତ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ ଡକ୍ୟୁମେଣ୍ଟ ଚୂଡ଼ାନ୍ତ କରିବାର କାର୍ଯ୍ୟ ଆରମ୍ଭ ହୋଇଥିଲା । ହାଲୱା ସେରିମନି ପ୍ରତିବର୍ଷ ଆୟୋଜିତ ହୋଇଥାଏ । ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ରାଜ୍ୟ ଅର୍ଥମନ୍ତ୍ରୀଙ୍କ ସମେତ ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ଏବଂ ବଜେଟ ପ୍ରେସର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ଏହାପରେ ସମସ୍ତଙ୍କୁ ହାଲୱା ବଣ୍ଟନ କରାଯାଇଥିଲା। ଏହି ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ବଜେଟ୍ ପ୍ରେସ୍ ପରିଦର୍ଶନ କରିବା ସହ ପ୍ରସ୍ତୁତିର ସମୀକ୍ଷା କରି ସଂପୃକ୍ତ ଅଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ହାଲୱା ସେରିମନି କ’ଣ ?

ହାଲୱା ସେରିମନି ପଛରେ ବିଶ୍ୱାସ ରହିଛି, ପ୍ରତ୍ୟେକ ଶୁଭ କାମ କରିବା ପୂର୍ବରୁ କିଛି ମିଠା ଖାଇବା ଉଚିତ୍। ଭାରତୀୟ ପରମ୍ପରାରେ ହାଲୱାକୁ ମଧ୍ୟ ବହୁତ ଶୁଭ ବୋଲି କୁହାଯାଇଥାଏ । ପରମ୍ପରା ଅନୁଯାୟୀ ଅର୍ଥମନ୍ତ୍ରୀ ବଜେଟ ସହିତ ଜଡିତ କର୍ମଚାରୀ, ବଜେଟ ମୁଦ୍ରଣ ସହିତ ଜଡିତ କର୍ମଚାରୀ ଏବଂ ଅର୍ଥ ଅଧିକାରୀଙ୍କୁ ହାଲୱା ବଣ୍ଟନ କରନ୍ତି । ଏହି ମିଠା କେବଳ ପ୍ରସ୍ତୁତି ପର୍ଯ୍ୟାୟର ସମାପ୍ତିକୁ ଦର୍ଶାଏନି, ବରଂ ଏହା ଦଳଗତ କାର୍ଯ୍ୟ ଏବଂ ସହଯୋଗର ଭାବନାକୁ ପ୍ରକାଶ କରିଥାଏ ।

ଲକ୍ ଇନ୍ ପ୍ରକ୍ରିୟା କ’ଣ ?

ପ୍ରତିବର୍ଷ ବଜେଟ୍ ପ୍ରସ୍ତୁତି କାର୍ଯ୍ୟରେ ଜଡିତ ଅଧିକାରୀଙ୍କ ଲକ୍ ଇନ୍ ପ୍ରକ୍ରିୟା ହୁଏ । ଏହାପୂର୍ବରୁ ହାଲୱା ସେରିମନି ପାଳନ ହୁଏ । ସମାରୋହ ପରେ, ଏହି ବ୍ୟକ୍ତିମାନେ ଏକ ନିର୍ଦ୍ଦିଷ୍ଟ ଲକ-ଇନ ଅବଧିରେ ପ୍ରବେଶ କରନ୍ତି । ଉତ୍ସବ ପରେ ବଜେଟ କାର୍ଯ୍ୟରେ ଜଡିତ ଅଧିକାରୀ ନର୍ଥ ବ୍ଳକରେ ବନ୍ଦ ରୁହନ୍ତି । ବଜେଟ ଉପସ୍ଥାପିତ ନହେବା ପର୍ଯ୍ୟନ୍ତ ସେମାନଙ୍କୁ ବାହାରକୁ ଆସିବାକୁ ଦିଆଯାଏ ନାହିଁ। ଏଥିସହ ସେମାନେ ନିଜ ପରିବାର ସଦସ୍ୟଙ୍କ ସହିତ କୌଣସି ସମ୍ପର୍କ ରଖିନ୍ତି ନାହିଁ ଏବଂ ସେମାନଙ୍କୁ ଘରକୁ ଯିବାକୁ ମଧ୍ୟ ଅନୁମତି ନଥାଏ । ତାଙ୍କ ପାଖରେ ଥାଏ ଗୋଟିଏ ଫୋନ୍, ଯେଉଁଥିରେ କେବଳ କଲ ରିସିଭ କରିବାର ସୁବିଧା ଥାଏ ।

ମନ୍ତ୍ରଣାଳୟ ପରିସରରେ ପୃଥକ ହୋଇ ଅନ୍ତିମ ବଜେଟ ଡକ୍ୟୁମେଣ୍ଟର ରହସ୍ୟ ରକ୍ଷା କରିବା ପାଇଁ ସେମାନେ ପରିବାର ଠାରୁ ମଧ୍ୟ ଅଲଗା ହୋଇଯାଇଥାନ୍ତି । ଏହି ଲକ୍ ଇନ ସମାପ୍ତି ସମୟସୀମା ମଧ୍ୟରେ ମୋବାଇଲ ଫୋନ ତଥା ଇଣ୍ଟରନେଟର ବ୍ୟବହାରରେ ମଧ୍ୟ ପ୍ରତିବନ୍ଧକ ଲାଗିଥାଏ । କର୍ମଚାରୀମାନଙ୍କୁ ପ୍ରାୟ କିଛି ଦିନ କଡା ସୁରକ୍ଷା ମଧ୍ୟରେ ରଖା ଯାଇଥାଏ। ଅର୍ଥମନ୍ତ୍ରୀଙ୍କ ଦ୍ବାରା ବଜେଟର ଉପସ୍ଥାପନା ହେବା ପରେ କର୍ମଚାରୀଙ୍କୁ ସେହି ଉତ୍ତର ବ୍ଲକରୁ ବାହାରିବା ପାଇଁ ଅନୁମତି ମିଳିଥାଏ ।

ହାଲୱା ସେରିମନିର ମହତ୍ତ୍ୱ
କେନ୍ଦ୍ର ବଜେଟ୍ ପ୍ରକ୍ରିୟା ପରିପ୍ରେକ୍ଷୀରେ ହାଲୱା ସମାରୋହ ଗୁରୁତ୍ୱପୂର୍ଣ୍ଣ । ଏହା ଅର୍ଥ ମନ୍ତ୍ରଣାଳୟରେ ଲକ୍-ଇନ୍ ପର୍ଯ୍ୟାୟର ଆରମ୍ଭ ବୋଲି ଚିହ୍ନିତ କରେ , ଯେଉଁଥିରେ ଗୋପନୀୟତା ବଜାୟ ରଖିବା ପାଇଁ ବଜେଟ୍ ପ୍ରସ୍ତୁତ କରୁଥିବା କୌଣସି ବି ବ୍ୟକ୍ତି ମନ୍ତ୍ରଣାଳୟ ଛାଡି ପାରିବେ ନାହିଁ। ଏହାର ଉଦ୍ଦେଶ୍ୟ ହେଉଛି ସଂସଦରେ ଉପସ୍ଥାପିତ ହେବା ପୂର୍ବରୁ ବଜେଟ୍ ସମ୍ବନ୍ଧୀୟ କୌଣସି ସୂଚନା ଲିକ୍ ହେବ ନାହିଁ। ୧୯୫୦ ମସିହାରେ କେନ୍ଦ୍ର ବଜେଟ ପ୍ରସ୍ତୁତି ସମୟରେ ଅର୍ଥମନ୍ତ୍ରୀ ଜନ ମାଥାଇଙ୍କ କାର୍ଯ୍ୟକାଳ ସମୟରେ ଘଟିଥିବା ଏକ ଗୁରୁତ୍ୱପୂର୍ଣ୍ଣ ଲିକ କାରଣରୁ ଏଭଳି କଠୋର ପଦକ୍ଷେପ ଗୁଡ଼ିକୁ ନିଆଗଲା ।

ରାଷ୍ଟ୍ରିୟ ଭବନରେ ମୁଦ୍ରଣ ସମୟରେ ବଜେଟର ଏକ ଅଂଶ ଲିକ ହୋଇଥିଲା । ଏହି କାରଣରୁ ସମଗ୍ର ଦେଶରେ ଉତ୍ତେଜନା ଦେଖା ଦେଇଥିଲା। କେବଳ ଏତିକି ନୁହେଁ, ଏଥିପାଇଁ ତତ୍କାଳୀନ ଅର୍ଥମନ୍ତ୍ରୀ ଜନ୍ ମାଥାଇଙ୍କୁ ମଧ୍ୟ ଗାଦିଚ୍ୟୁତ ହେବାକୁ ପଡ଼ିଥିଲା। ୧୯୫୦ ମସିହା ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଭବନରେ ବଜେଟ୍ ମୁଦ୍ରିତ ହୋଇ ଆସୁଥିଲା । କିନ୍ତୁ ବଜେଟ୍ ପେପର୍ ଲିକ୍ ହେବା ପରେ ବର୍ତ୍ତମାନର ନୂଆଦିଲ୍ଲୀର ମିଣ୍ଟୋ ରୋଡରେ ଅବସ୍ଥିତ ପ୍ରେସରେ ବଜେଟ୍ ଛାପିବାକୁ ନିଷ୍ପତ୍ତି ନିଆ ଯାଇଥିଲା । ୧୯୮୦ ପରଠାରୁ ଦିଲ୍ଲୀର ସଚିବାଳୟ ବିଲ୍ଡିଂରେ ଥିବା ଉତ୍ତର ବ୍ଲକ୍ ବେସମେଣ୍ଟ ବଜେଟ ମୁଦ୍ରଣ ପାଇଁ ସ୍ଥାୟୀ ସ୍ଥାନ ଭାବରେ ପ୍ରତିଷ୍ଠିତ ହେଲା । ଆଜି ବି ଏଠାରେ ବଜେଟ୍ ଛପା ହେଉଛି।

ପ୍ରିଣ୍ଟିଂ ପ୍ରକ୍ରିୟାର ଆରମ୍ଭ

ଏହି କାର୍ଯ୍ୟ ମୁଦ୍ରଣ ପ୍ରକ୍ରିୟାର ଆରମ୍ଭକୁ ସଙ୍କେତ କରେ, ଯାହା ୧୯୮୦ ରୁ ଉତ୍ତର ବ୍ଲକର ତଳ ମହଲାରେ କରାଯାଇଥାଏ । ଏହି ପର୍ଯ୍ୟାୟରେ ୟୁନିୟନ ବଜେଟର ଅନ୍ତିମ କପି ଛପାହୁଏ, ଯାହା ଆନୁଷ୍ଠାନିକ ଭାବରେ ସଂସଦରେ ଉପସ୍ଥାପିତ ହୋଇଥାଏ । ଏହି ପ୍ରକ୍ରିୟା ବଜେଟ୍ ପ୍ରକ୍ରିୟାରେ ଏକ ମହତ୍ୱପୂର୍ଣ୍ଣ ମୋଡ଼କୁ ଦର୍ଶାଇଥାଏ, ଯେତେବେଳେ ସମସ୍ତ ବିବରଣୀ ଚୂଡ଼ାନ୍ତ ହୋଇସାରିଥାଏ ।

ଦଳଗତ ପ୍ରୟାସର ପରମ୍ପରା

ହାଲୱା ସମାରୋହ କେବଳ ଏକ ପ୍ରତୀକାତ୍ମକ ଇସାରା ନୁହେଁ, ଏହା କେନ୍ଦ୍ର ବଜେଟ୍ ପ୍ରସ୍ତୁତ କରିବାରେ ସାମୂହିକ ପ୍ରୟାସର ଉତ୍ସବ ଅଟେ । ସମାରୋହର ପ୍ରଥମ ସପ୍ତାହରେ ଅନେକ ଅଧିକାରୀ ଆର୍ଥିକ ଯୋଜନା, ଆବଣ୍ଟନ, ଅନୁସନ୍ଧାନ ଏବଂ ଡକ୍ୟୁମେଣ୍ଟେସନ୍ ଭଳି ବଜେଟର ବିଭିନ୍ନ ଦିଗ ଉପରେ ନିରନ୍ତର କାର୍ଯ୍ୟ କରନ୍ତି । ଏହି କ୍ରମରେ ହଲୱା ଥାଳି କଠିନ ପରିଶ୍ରମ, ସମନ୍ୱୟ ଏବଂ ଉତ୍ସର୍ଗର ପ୍ରତୀକ ଅଟେ ।

ସଂସଦର ବଜେଟ୍ ଅଧିବେଶନ

ସଂସଦର ବଜେଟ୍ ଅଧିବେଶନ ୩୧ ଜାନୁୟାରୀ ୨୦୨୫ରେ ଆରମ୍ଭ ହେବ, ଯେଉଁଥିରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହର ମିଳିତ ବୈଠକକୁ ସମ୍ବୋଧିତ କରିବେ। ବଜେଟ ଅଧିବେଶନ ୪ ଏପ୍ରିଲ ୨୦୨୫ ରେ ଶେଷ ହେବ। ଏହି ଅଧିବେଶନରେ ସଂସଦର ସଦସ୍ୟମାନେ ୨୦୨୫-୨୬ ପାଇଁ କେନ୍ଦ୍ର ବଜେଟ୍ ଉପରେ ବିଚାର କରିବେ, ଯାହା ଫେବୃଆରୀ ୧ ରେ ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଉପସ୍ଥାପିତ ହେବ ।

 

OTV is now on Whatsapp

Join and get latest news update delivered to you via whatsapp

Join Now