• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପ୍ରଦୂଷଣରେ ଆକ୍ତାମାକ୍ତା ରାଜଧାନୀବାସୀ । ଚାରିଆଡ଼େ ଧୂଆଁ ଧୂଆଁ । ତେବେ ଶୀତ ଆସୁ ଆସୁ ସ୍ମଗ୍ ସମସ୍ୟା ଦେଖାଦେବା ପଛର କାରଣ କଣ ? ଧୂଳିର ମାତ୍ରା କମ୍ କରିବାକୁ ଦିଲ୍ଲୀ ସରକାର ଅଧିକାଂଶ ନିର୍ମାଣ ଓ ଉଚ୍ଛେଦ କାମ ବନ୍ଦ ରଖିଛନ୍ତି । ଲୋକଙ୍କୁ ଘରୁ କାମ କରିବାକୁ, ଅଫିସ୍ ଯାଉଥିଲେ କାର୍ ଓ ମୋଟର ସାଇକେଲ୍ ସେୟାର୍ କରିବାକୁ ଏବଂ କୋଇଲା ଓ କାଠଜାଳେଣି କମ୍ କରିବାକୁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ । ମାତ୍ର ସ୍ଥିତି ଯଥା ପୂର୍ବଂ, ତଥା ପରଂ । କାରଣ ପଞ୍ଜାବରେ ଶସ୍ୟ ଅବଶେଷ ବା ଷ୍ଟବଲ ବର୍ଣ୍ଣିଂ କମିବା ବଦଳରେ ବଢିଛି। ଏହାକୁ ନେଇ ଆମ ଆଦମି ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଦାୟୀ କରିଛି ବିଜେପି । ତେବେ ଶସ୍ୟ ଅବଶେଷ ପୋଡ଼ା ଅଭିଯୋଗକୁ ଦିଲ୍ଲୀ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ସ୍ୱୀକାର କରିଛନ୍ତି । ତେବେ ଦୋଷ ଲଦାଲଦି ଛାଡି ସମସ୍ୟାର କିଭଳି ସମାଧାନ ହେବ କେନ୍ଦ୍ର ସରକାର ସେନେଇ ଉପାୟ କରନ୍ତୁ ବୋଲି କହିଛନ୍ତି ଉଭୟ ମୁଖ୍ୟମନ୍ତ୍ରୀ ।

ଦିଲ୍ଲୀରେ ସାଂଘାତିକ ବାୟୁ ପ୍ରଦୂଷଣକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଟାର୍ଗେଟ କରିଛି ବିଜେପି । କେଜ୍ରିଓ୍ୱାଲ ଦିଲ୍ଲୀର ଶତ୍ରୁ ବୋଲି ଅଭିଯୋଗ କରିଛନ୍ତି ବିଜେପି ନେତା ମନୋଜ ତିଓ୍ୱାରୀ । ହରିୟାଣାରେ ଶସ୍ୟ ଅବଶେଷ ପୋଡ଼ା ୩୦ ପ୍ରତିଶତ ହ୍ରାସ ପାଇଥିବା ବେଳେ ପଞ୍ଜାବରେ ୩୪ ପ୍ରତିଶତ ବଢିଥିବା ସେ ଦର୍ଶାଇଛନ୍ତି । ଫଳରେ ଦିଲ୍ଲୀ ଗ୍ୟାସ ଚ୍ୟାମ୍ବରରେ ପରିଣତ ହୋଇଥିବା କହିଛନ୍ତି । ତେଣେ କେଜ୍ରିଓ୍ୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ୍ ଯୁଗ୍ମ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଦିଲ୍ଲୀ ପ୍ରଦୂଷଣ ମାତ୍ରା ନିୟନ୍ତ୍ରଣ ବାହାରକୁ ଚାଲିଯିବା ନେଇ ଉଭୟ ଉଦବେଗ ପ୍ରକାଶ କରିଛନ୍ତି ।

ସେପଟେ ସୁପ୍ରିମକୋର୍ଟରେ ପହଞ୍ଚିଛି ଦିଲ୍ଲୀ ବାୟୁ ପ୍ରଦୂଷଣ ମାମଲା । ଏୟାର କ୍ୱାଲିଟି ଇଣ୍ଡେକ୍ସକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେନେଇ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେବା ଲାଗି ଏହି ମାମଲା ହୋଇଛି । କୋର୍ଟ ଆବେଦନକୁ ଗ୍ରହଣ କରିଥିବା ବେଳେ ୧୦ ତାରିଖରେ ଶୁଣାଣି କରିବାକୁ ରାଜି ହୋଇଛନ୍ତି । ଅନ୍ୟପକ୍ଷରେ ଦିଲ୍ଲୀରେ ମାତ୍ରାଧିକ ବାୟୁ ପ୍ରଦୂଷଣ ରୋକିବାକୁ ନିଆଯାଇଥିବା ପଦକ୍ଷେପକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଜାତୀୟ ମାନବାଧିକାର କମିଶନ । ବାୟୁପ୍ରଦୂଷଣ ପ୍ରସଙ୍ଗରେ ଆଲୋଚନା ଲାଗି ମାନବାଧିକାର କମିଶନ ପ୍ରଭାବିତ ରାଜ୍ୟ ଦିଲ୍ଲୀ, ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶ ମୁଖ୍ୟ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଦୂଷଣ ରୋକିବାକୁ ଲଗାଯାଇଥିବା ସ୍ମଗ୍ ଟାଓ୍ୱାର ଓ ଆଣ୍ଟି ସ୍ମଗ ଗନ୍ କେତେ ପ୍ରଭାବଶାଳୀ ଓ କେତେକ ସଂଖ୍ୟାରେ ଏହାକୁ ଲଗାଯାଇଛି, ଜଣାଇବାକୁ କହିଛନ୍ତି ଏନଏଚ୍ଆରସି ।

ବିଶେଷଜ୍ଞଙ୍କ ମତରେ ପ୍ରତିବର୍ଷ ଶୀତଋତୁରେ କୁହୁଡ଼ି ମିଶା ବାୟୁ ଧୀରଗତିରେ ବହିଥାଏ ଏବଂ ନିର୍ମାଣସ୍ଥଳୀରୁ ନିର୍ଗତ ଧୂଳି ଓ ଗାଡ଼ି ଧୂଆଁ ତା ଭିତରେ ଫସିଯାଏ ଓ ବାହାରି ପାରେନାହିଁ । ତେବେ ପଡ଼ୋଶୀ ପଞ୍ଜାବ ଓ ହରିୟାଣାରେ ଫସଲ ଅବଶେଷ ପୋଡ଼ାଯିବା ହେଉଛି ପ୍ରଦୂଷଣର ପ୍ରମୁଖ କାରଣ ।