/odishatv-khabar/media/post_attachments/uploadimage/library/16_9/16_9_0/IMAGE_1666848783.jpg)
Kali idol vandalism
କାଳୀପୂଜା ପାଇଁ ତିଆରି ହୋଇଥିବା ମା’ଙ୍କ ମୂର୍ତ୍ତି ଭଙ୍ଗାରୁଜାକୁ ନେଇ ଉତ୍ତେଜନା । ପୂଜା ସମୟରେ ଏପରି ଘଟଣା ଲୋକଙ୍କ ଧର୍ମୀୟ ଭାବନାକୁ ଆଘାତ କରିବା ସହ ଏହାକୁ ନେଇ ପ୍ରତିବାଦ କରାଯାଇଥିଲା । ହେଲେ ଅସଲ କଥା ଜଣା ପଡ଼ିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । କାରଣ ଅଭିଯୋଗକାରୀ ହିଁ ବାହାରିଲେ ଅଭିଯୁକ୍ତ । କାରିଗର ନିଜେ ତିଆରି କରିଥିବା ମାଆ କାଳୀଙ୍କ ପ୍ରତିମୂର୍ତ୍ତିକୁ ନଷ୍ଟ କରିଦେଇଥିଲେ । ଆଉ କେହି ତାଙ୍କ ମୂର୍ତ୍ତି ଭାଙ୍ଗି ଦେଇଥିବା ପ୍ରଘଟ କରିଥିଲେ । ପଶ୍ଚିମବଙ୍ଗର ଡାଇମଣ୍ଡ୍ ହାରବର୍ ଟାଉନରେ ଏକ ନିଆରା ମାମଲା ସାମ୍ନାକୁ ଆସିଛି ।
ଡାଇମଣ୍ଡ୍ ହାରବର୍ ଟାଉନର ମୁକୁନ୍ଦପୁର ଅଞ୍ଚଳରେ ଦୀପାବଳି ତଥା କାଳୀପୂଜା ଦିନ ଶିଳ୍ପୀ ପ୍ରଭାତ ସରଦାର୍ଙ୍କ ୱାର୍କସପରେ ଥିବା ମୂର୍ତ୍ତି ଭଙ୍ଗାରୁଜା ହୋଇଥିବା କୁହାଯାଇଥିଲା । ରାତିର ଘନ ଅନ୍ଧକାରେ କେହି ଦୁର୍ବୃତ୍ତ ତାଙ୍କ ୱାର୍କସପରେ ପଶି ମୂର୍ତ୍ତି ନଷ୍ଟ କରିଥିବା ନିଜେ ଶିଳ୍ପୀ ଅଭିଯୋଗ କରିଥିଲେ । ଏକଥା ଜଣାପଡ଼ିବା ପରେ ଘଟଣାସ୍ଥଳରେ ଅନେକ ସଂଖ୍ୟାରେ ଲୋକ ରୁଣ୍ଡ ହୋଇଥିଲେ । ମୂର୍ତ୍ତିଭଙ୍ଗାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା । ଖବର ପାଇବା ପରେ ତୁରନ୍ତ ସେଠାରେ ପହଞ୍ଚିଥିଲା ପୋଲିସ୍ । ଦଙ୍ଗା ଭୟରେ ପୋଲିସ୍ ଛାଉଣୀ କରାଯାଇଥିଲା । ଆଉ ତା’ପରେ ପୂରା ଘଟଣାର ଛାନଭିନ୍ ଆରମ୍ଭ କରିଥିଲା ପୋଲିସ୍ ।
ତେବେ ସିସିଟିଭି ଫୁଟେଜରୁ ଚୋର ଧରାପଡ଼ିଥିଲା । ପଚରାଉଚରା ପରେ ନିଜେ ଶିଳ୍ପୀ ଏ କାଣ୍ଡ ଘଟାଇଥିବା କହିଥିଲେ । କାଳୀପୂଜାରେ ତାଙ୍କର ମୂର୍ତ୍ତି ବିକ୍ରି ହୋଇପାରିଲା ନାହିଁ, ଆଉ ଏକଥା ପ୍ରଘଟ ହୋଇଗଲେ ତାଙ୍କ ସୁନାମରେ ଆଞ୍ଚ ଆସିବ ଭାବି ସେ ମାଆଙ୍କୁ ବି ଛାଡ଼ିଲେନି । ଭବିଷ୍ୟତରେ ବ୍ୟବସାୟ ଯେପରି ପ୍ରଭାବିତ ନହେବ ସେଥିପାଇଁ ଷଡ଼ଯନ୍ତ୍ର ରଚିଥିଲେ । ନିଜେ ଭାଙ୍ଗିଦେଇ ଆଉ କେହି ଭାଙ୍ଗି ଦେଇଥିବା କହିଥିଲେ ।
ବର୍ତ୍ତମାନ ଅଭିଯୁକ୍ତଙ୍କ ସମେତ ୩ଜଣଙ୍କୁ ଅଟକ ରଖାଯାଇଛି । ଏପଟେ ଏପରି ମିଛ ଖବର ଉପରେ ବିଶ୍ୱାସ ନକରିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)