• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

କେରଳ ୱାୟନାଡରେ ମୃତ୍ୟୁ ବର୍ଷାର ୫ ଦିନ ପରେ ବି ପଥର ତଳୁ ସରୁନି ଜୀବନ ଖୋଜା । ଦିନ ଗଡ଼ିବା ସହ ବଢ଼ି ଚାଲିଛି ମୃତ୍ୟୁସଂଖ୍ୟା । ବେସରକାରୀ ଭାବେ ମୃତ୍ୟୁସଂଖ୍ୟା ୩୫୦ ଟପିଥିବା ବେଳେ, ଶହ ଶହ ଲୋକ ଏବେବି ନିଖୋଜ ଅଛନ୍ତି । ସେନା ଓ NDRF ସମେତ ବିଭିନ୍ନ ସଂସ୍ଥା ଓ ସ୍ବେଚ୍ଛାସେବୀ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚଳାଇଥିବା ବେଳେ, ଗ୍ରାଉଣ୍ଡ ଜିରୋରେ ପ୍ରଳୟ ପରର ସ୍ଥିତି ପରଖିଛି ଓଟିଭି । କ୍ୟାମେରା ଲେନ୍ସରେ କଏଦ ହୋଇଛି, କିପରି ଛାରଖାର ହୋଇଯାଇଛି ଗାଁ, ବିଭୀଷିକା ରଚିଛି ସେହି କାଳରାତିର କରାଳ କାୟା ।

ଏ ଘଣ୍ଟା ସମୟ କହୁନି... ବଖାଣୁଛି ଅସମୟର କାହାଣୀ...। ରାତିକ ଭିତରେ କିପରି ଛାରଖାର ହୋଇଗଲା ତିନି ତିନିଟି ଗାଁ, ମରି ହଜିଗଲେ ଶହ ଶହ ଲୋକ, ରାତାରାତି କିପରି ବଦଳିଗଲା ଏ ଅଞ୍ଚଳର ରୂପ। ୫ ଦିନ ତଳେ ଯେଉଁଠି ଚା ଓ କଫିର ସୁନ୍ଦର ବଗିଚା ଥିଲା, ଆଜି ସେଠି ପଥରର ନଈ । ଭୂସ୍ଖଳନ ପରେ ପାହାଡ଼ ଉପରୁ ଟନ୍ ଟନ୍ ଓଜନର ଅସଂଖ୍ୟ ପଥର ଓ କାଠଗଣ୍ଡି ଆସି, ଅଜାଡ଼ି ହୋଇପଡ଼ିଛି ବିସ୍ତୀର୍ଣ୍ଣ ଇଲାକାରେ । ଆଉ ତା ତଳେ ଦବିଯାଇଛି ଗାଁ, ଘର, ରାସ୍ତାଘାଟ ।

କେରଳ ୱାୟନାଡ଼ରେ ଗ୍ରାଉଣ୍ଡ ଜିରୋରୁ ବିପର୍ଯ୍ୟୟର ଚିତ୍ର କଏଦ ହୋଇଛି ଓଟିଭି କ୍ୟାମେରା ଲେନ୍ସରେ । ଭୂସ୍ଖଳନରେ ଯେଉଁ ୩ଟି ଗାଁ ନିଶ୍ଚିହ୍ନ ହୋଇଯାଇଛି, ସେଥିରୁ ଗୋଟିଏ ଗାଁ ଚୁରଲମାଲାରେ ପହଞ୍ଚି ସ୍ଥିତି ପରଖିଛି ଓଟିଭି । ନିଜ ଆଖିରେ ଦେଖିଛି ପ୍ରକୃତିର ଧ୍ବଂସଲୀଳା । ପ୍ରଳୟର ତାଣ୍ଡବ ଯେଉଁ ଘରଗୁଡ଼ିକର ଅତାପତା ପୋଛି ଦେଇଛି, ସେ ତ ଏବେ ପଥର ତଳେ । ହେଲେ ଯେଉଁସବୁ ଘରର ଭଗ୍ନାବଶେଷ ଅଳ୍ପକେ ବର୍ତ୍ତି ଯାଇଛି, ସେସବୁ ଏବେ ଭୂତକୋଠିଠୁ କିଛି କମ୍ ନୁହେଁ ।

ଜିପ୍ ଭିତରେ କାଠଗଣ୍ଡି ଜମା ହୋଇଛି, ଖଟ ପଡ଼ିଛି ବେଡରୁମ୍ ନାହିଁ, ବାଥରୁମ ପୂରା ମାଟି ମଟାଳ । କେଉଁଠି ଲୁଗା ଶୁଖୁଛି, ତ କେଉଁଠି ଥାକରେ ସଜା ହୋଇଛି କାଚବନ୍ଧେଇ ପ୍ରଶଂସାପତ୍ର, ହେଲେ କାଦୁଅ ପୋଛିବାକୁ କେହି ନାହିଁ । ଆଉ ଏ କାନ୍ଥଘଣ୍ଟା ଟିକ୍ ଟିକ୍ ଚାଲୁନି, ସତେ ଯେମିତି ଗୁମୁରି ଗୁମୁରି କାନ୍ଦୁଛି ।

ଆଜି ପଞ୍ଚମ ଦିନରେ ବି ଜାରି ରହିଛି ପଥର ତଳୁ ଜୀବନ ଖୋଜା । ଯୁଆଡ଼େ ଦେଖିବେ ଶହ ଶହ ଉଦ୍ଧାରକାରୀ ଦେବଦୂତ । ତନ୍ନତନ୍ନ ଅଣ୍ଡାଳୁଛନ୍ତି ପ୍ରତିଟି ଇଲାକା । ନିଜ ନିଜ ଅଭିଯାନରେ ମଗ୍ନ ଜେସିବି, ସନ୍ଧାନୀ କୁକୁର ଓ ଆମ୍ବୁଲାନ୍ସ। ଗୋଟିଏ ଗୋଟିଏ ପଥର ହଟାଇଲେ ସତେ ଯେମିତି ତଳୁ ଇତିହାସ ବାହାରୁଛି । କେଉଁଠି ଯାନବାହନ, ଆସବାବପତ୍ର ଉଦ୍ଧାର ହେଉଛି, ତ ଆଉ କେଉଁଠି କେଉଁ ହତଭାଗାର ଗଳିତ ମୃତଦେହ। ସେନା, ଏନଡିଆରଏଫ୍ ଓ ସ୍ବେଚ୍ଛାସେବୀଙ୍କ ସମେତ ପ୍ରାୟ ୮ଟି ସଂସ୍ଥା ଲାଗିଛନ୍ତି ରେସ୍କ୍ୟୁ ଅପରେସନରେ। ହେଲେ ବାଧକ ସାଜୁଛି ବର୍ଷା ଓ ଧୋଇଯାଇଥିବା ରାସ୍ତା ।

ଦିନ ଗଡ଼ିବା ସହ ବଢ଼ି ବଢ଼ି ଚାଲିଛି ମୃତ୍ୟୁସଂଖ୍ୟା । କାହାର ମୃତଦେହ ମିଳୁଛି, ଆଉ କାହାର କିଛି ଅଙ୍ଗପ୍ରତ୍ୟଙ୍ଗ । ହେଲେ ଏସବୁ ଭିତରେ ବି ଜୀବନ୍ତ ଉଦ୍ଧାର ହେଉଛନ୍ତି କେହି କେହି ମୃତ୍ୟୁଞ୍ଜୟୀ । ୫ ଦିନ ହେଲା ଏଇ ପଥର ଚଟାଣ ଉପରେ ଫସି ରହିଥିଲେ ୩ ଜଣ ଲୋକ । ଆଉ ଆଜି ସର୍ଚ୍ଚ ଅପରେସନ ବେଳେ ସେମାନଙ୍କୁ ଉଦ୍ଧାର କରିଛନ୍ତି କୋଷ୍ଟଗାର୍ଡ ଯବାନ । ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଦୁର୍ଗମ ଅଞ୍ଚଳରୁ ଚାଲିଛି ଏୟାରଲିଫ୍ଟ । ଏବେବି ବହୁ ଲୋକ ନିଖୋଜ ଥିବାରୁ, ଉଦ୍ଧାରକାର୍ଯ୍ୟ ସରିବାକୁ ଆହୁରି କିଛିଦିନ ଲାଗିବ ବୋଲି ଆଶା କରାଯାଉଛି ।

  • Reported by:
  • KAPILENDRA PRADHAN

OTV is now on Whatsapp

Join and get latest news update delivered to you via whatsapp

Join Now