• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହତ୍ୟାର ପ୍ରତିଶୋଧ ହତ୍ୟାରେ ! ମାଙ୍କଡ଼ ଛୁଆର ମୃତ୍ୟୁ ପରେ ଖୋଜି ଖୋଜି କୁକୁର ଛୁଆଙ୍କୁ ମାରୁଛନ୍ତି ମାଙ୍କଡ଼ ପଲ । କୁକୁର ଓ ମାଙ୍କଡ଼ଙ୍କ ମଧ୍ୟରେ ଜାରି ରହିଛି ଖୁନୀ ସଂଘର୍ଷ । ମାସ ମାସ ଧରି ଚାଲିଛି ଗ୍ୟାଙ୍ଗୱାର୍ । ଆଉ ଏଥିରେ ବର୍ତ୍ତମାନ ସୁଦ୍ଧା ୮୦ରୁ ଅଧିକ କୁକୁର ଛୁଆଙ୍କର ମୃତ୍ୟୁ ହୋଇଛି । ବନ ବିଭାଗର ସମସ୍ତ ଚେଷ୍ଟା ସତ୍ତ୍ୱେ ଏହି ଖୁନୀ ସଂଘର୍ଷରେ ଫୁଲଷ୍ଟପ୍ ଲାଗୁନି । ମହାରାଷ୍ଟ୍ରର ବିଡରେ ଏପରି ଅଭାବନୀୟ ଘଟଣା ଘଟିଛି । ମାଙ୍କଡ଼ଙ୍କ ରୌଦ୍ର ରୂପ ଦେଖି ସ୍ଥାନୀୟ ଲୋକେ ମଧ୍ୟ ଭୟରେ ଅଛନ୍ତି ।

କୁକୁରଙ୍କ ହାବୁଡ଼ରେ ପଡ଼ି ଗୋଟିଏ ମାଙ୍କଡ଼ ଛୁଆର ଜୀବନ ଚାଲିଯିବା ପର ଠାରୁ ଆରମ୍ଭ ହୋଇଛି ଏହି ପ୍ରତିଶୋଧର ଖେଳ । ଗତ ତିନି ମାସ ମଧ୍ୟରେ ମାଙ୍କଡମାନେ ଅନେକ କୁକୁର ଛୁଆକୁ ହତ୍ୟା କରିଥିବା କହିଛନ୍ତି ଗ୍ରାମବାସୀ। ଆଉ ସେବେଠାରୁ କୁକୁର ଓ ମାଙ୍କଡ଼ ଗୋଷ୍ଠୀ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । କୁକୁର ଏବଂ ମାଙ୍କଡ ମଧ୍ୟରେ ଝଗଡା ହେତୁ ପୁରା ଗାଁରେ ଆତଙ୍କ ଖେଳିଯାଇଛି । ଏହି ଘଟଣା ସମ୍ପର୍କରେ ଗ୍ରାମବାସୀ ଜଙ୍ଗଲ ବିଭାଗକୁ ସୂଚନା ଦେଇଛନ୍ତି।

ପାଞ୍ଚ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗାଁର ଲୋକମାନେ ମାଙ୍କଡ଼ଙ୍କ ଦୌରାତ୍ମ୍ୟ ଯୋଗୁଁ ଅସନ୍ତୁଷ୍ଟ ଅଛନ୍ତି । ଅନେକ ସମୟରେ ରାସ୍ତାରେ ଯାଉଥିବା ଲୋକଙ୍କୁ ମାଙ୍କଡମାନେ ଆକ୍ରମଣ ମଧ୍ୟ କରନ୍ତି । କିଛି ମାଙ୍କଡକୁ ଜାଲ ବିଛାଇ ଧରା ଯାଇଥିବା ବନବିଭାଗ ପକ୍ଷରୁ କୁହାଯାଉଛି । ହେଲେ ଏଥିରେ ବିଶେଷ କିଛି ସୁଫଳ ମିଳିନଥିବା ଅଭିଯୋଗ ରହିଛି । ଗ୍ରାମବାସୀ ଅନୁସାରେ ଦଳ ବଳ ହୋଇ ମାଙ୍କଡ ପଲ ଆସନ୍ତି, ଆଉ ଖୋଜି ଖୋଜି ଛୁଆକୁ ଉଠାଇ ନେଇ ନିଜ ପାଖରେ ରଖନ୍ତି ।

ଅନେକ ଦିନ ମାଙ୍କଡ଼ଙ୍କ ପାଖରେ ଖାଇବା ପିଇବା ବିହୁନରେ ରହିବା ପରେ କୁକୁର ଛୁଆ ମରିଯାଏ । ଦୀର୍ଘ ସମୟ ଧରି ଏପରି ଚାଲି ଆସୁଛି । ଏହିପରି ଭାବେ ପ୍ରାୟ ୮୦ରୁ ଅଧିକ କୁକୁର ଛୁଆଙ୍କୁ ମାରିସାରିଲେଣି ମାଙ୍କଡ଼ ପଲ । ଗ୍ରାମବାସୀଙ୍କ ଅଭିଯୋଗ ପରେ ବନ ବିଭାଗର ଅଧିକାରୀମାନେ କିଛି ମାଙ୍କଡ ଧରିଛନ୍ତି, କିନ୍ତୁ ଏବେ ବି ଗାଁରେ ବହୁ ସଂଖ୍ୟାରେ ଉପସ୍ଥିତ ଅଛନ୍ତି । ଏହାସହ କୁକୁରମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ଅନେକ ଲୋକ ଆହତ ହୋଇଥିବା କଥା ମଧ୍ୟ ସୂଚନା ରହିଛି। କୁକୁର ଏବଂ ମାଙ୍କଡ ମଧ୍ୟରେ ଲଢ଼େଇର ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।