ଲୋକସଭା ପରେ ରାଜ୍ୟସଭାରେ ପାରିତ ହେଲା ସଂଶୋଧିତ ୱାକଫ୍ ବିଲ୍ । ଗତକାଲି ବିଳମ୍ବିତ ରାତିରେ ବିଲ୍ ରାଜ୍ୟସଭାରେ ପାସ୍ ହୋଇଛି । ବିଲ୍ ଉପରେ ରାଜ୍ୟସଭାରେ ଦୀର୍ଘ ୧୨ ଘଣ୍ଟାରୁ ଅଧିକ ସମୟ ଧରି ମାରାଥନ ବିତର୍କ ହୋଇଥିଲା । ରାତି ପ୍ରାୟ ସାଢେ ୨ରେ ପାରିତ ହୋଇଥିଲା ସଂଶୋଧିତ ବିଲ୍ । ବିଲ୍ ସପକ୍ଷରେ ୧୨୮ଟି ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ଭୋଟ୍ ଦେଇଥିଲେ ୯୫ ସାଂସଦ । ଏବେ ବିଲକୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଯିବ । ସେଠାରେ ମଞ୍ଜୁରୀ ମିଳିବା ପରେ ଏହା ଆଇନରେ ପରିଣତ ହେବ ।
କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପର ମନ୍ତ୍ରୀ କିରଣ ରିଜିଜୁ ରାଜ୍ୟସଭାରେ ୱାକଫ୍ ସଂଶୋଧନ ବିଲ୍ ଉପସ୍ଥାପିତ କରିଥିଲେ । ବିଲ୍ ପାସ୍ ହେବା ପରେ କିରଣ ରିଜିଜୁ କହିଥିଲେ, ଏହି ବିଲରୁ ଜଣେ ହେଲେ ମୁସଲମାନଙ୍କ କ୍ଷତି ହେବ ନାହିଁ । କୋଟି କୋଟି ମୁସଲମାନଙ୍କୁ ଫାଇଦା ହେବ । ୱାକଫ ସଂଶୋଧନ ବିଲକୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ବିରୋଧୀ ଚେଷ୍ଟା କରୁଛନ୍ତି । ଏଥିସହ ଏଥିରେ ଅଣମୁସଲମାନମାନଙ୍କ ହସ୍ତକ୍ଷେପର ପ୍ରଶ୍ନ ଉଠୁନି ବୋଲି ପ୍ରତିଶ୍ରୁତି ଦେଇଥିଲେ କେନ୍ଦ୍ରମନ୍ତ୍ରୀ ।
ଅଧିକ ପଢ଼ନ୍ତୁ: ଇଂରେଜ ସରକାରଙ୍କ ଅମଳରୁ ଆରମ୍ଭ ହୋଇଥିବା ୱାକଫ୍ ଆଇନ କ'ଣ?
ଅନ୍ୟପଟେ ବିରୋଧୀ ଅଭିଯୋଗ କରିଛନ୍ତି, ସରକାର ସାଂପ୍ରଦାୟିକ ଧ୍ରୁବୀକରଣ କରୁଛନ୍ତି । ବିଲ୍ ମୁସଲିମ୍ ସମ୍ପ୍ରଦାୟଙ୍କ ବିରୋଧି । ନୂଆ ବିଲରେ ସଂଶୋଧନ କମ୍ ଓ ଷଡଯନ୍ତ୍ର ବେଶୀ ବୋଲି ସେମାନେ ଅଭିଯୋଗ ଆଣିଛନ୍ତି । ଏହାର ପ୍ରତିବାଦରେ ଡିଏମକେ ସାଂସଦମାନେ କଳା ସାର୍ଟ ପିନ୍ଧି ସଂସଦ ପରିସରରେ ବିକ୍ଷୋଭ କରିଥିଲେ ।
ରାଜ୍ୟସଭା ପୂର୍ବରୁ ଲୋକସଭାରେ ବିଲ୍ ସପକ୍ଷରେ ୨୮୮ଟି ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ଭୋଟ୍ ଦେଇଥିଲେ ୨୩୨ ଜଣ ସଦସ୍ୟ । ଲୋକସଭାରେ ମଧ୍ୟ ଦୀର୍ଘ ୧୨ ଘଣ୍ଟା ଧରି ଚର୍ଚ୍ଚା ପରେ ରାତି ୨ଟା ବେଳେ ପାରିତ ହୋଇଥିଲା ।
ସଂଶୋଧିତ ୱକଫ୍ ବିଲରେ ରହିଛି କ'ଣ ?
ଦେଶରେ ସେନା ଓ ରେଲୱେ ପରେ ତୃତୀୟ ସର୍ବାଧିକ ଜମିବାଡ଼ି ସଂପତ୍ତିର ମାଲିକ ୱାକଫ୍ ବୋର୍ଡ । ଏହି ସବୁ ସଂପତ୍ତି ପରିଚାଳନା କ୍ଷେତ୍ରରେ ରହିଥିବା ବିବାଦ ଓ ଅସୁବିଧା ଦୂର ଉଦ୍ଦେଶ୍ୟରେ ଏହି ବିଲ୍ ଅଣାଯାଇଛି । ଏହି ବିଲରେ ଇସଲାମ ଧର୍ମରେ ଧାର୍ମିକ ଓ ବଦାନ୍ୟ କାର୍ଯ୍ୟ ଲାଗି ଉତ୍ସର୍ଗୀକୃତ ଥିବା ୱାକଫ୍ ସମ୍ପତ୍ତିର ପରିଚାଳନା ଓ ପ୍ରଶାସନିକ ଦିଗକୁ ଗୁରୁତ୍ବ ମିଳିବ । ନୂଆ ବିଲରେ ସମ୍ପତ୍ତି ମାଲିକ ୱାକଫ୍ ଟ୍ରିବ୍ୟୁନାଲ୍ ବ୍ୟତୀତ ରେଭିନ୍ୟୁ କୋର୍ଟ, ସିଭିଲ କୋର୍ଟ କିମ୍ବା ଅନ୍ୟ ଉଚ୍ଚ ଅଦାଲତରେ ଅପିଲ୍ କରିପାରିବେ ।
ୱାକଫ୍ ଟ୍ରିବ୍ୟୁନାଲ୍ ଫୈସଲା ବିରୋଧରେ ହାଇକୋର୍ଟରେ ଅପିଲ୍ କରାଯାଇପାରିବ । ନୂଆ ବିଲରେ ଯେପର୍ଯ୍ୟନ୍ତ କାହାର ସମ୍ପତ୍ତି ୱାକଫକୁ ଦାନ ଆକାରରେ ନମିଳିଛି ସେଯାଏଁ ସମ୍ପତ୍ତି ୱାକଫ୍ ସମ୍ପତ୍ତି ହୋଇପାରିବ ନାହିଁ । ସେହି ସମ୍ପତ୍ତି ଉପରେ ମସଜିଦ ଥିଲେ ବି ସେଠାରେ ଲାଗୁ ହୋଇଫାରିବ ନାହିଁ ୱାକଫ୍ ଆଇନ । ୱାକଫ୍ ବୋର୍ଡ ପରିଚାଳନାରେ ଟେକ୍ନୋନୋଲୋଜି ପ୍ରୟୋଗ ସାଙ୍ଗକୁ ଜିଲ୍ଲାପାଳଙ୍କୁ କ୍ଷମତା ଦିଆଯିବ ।
ୱାକଫ୍ ବୋର୍ଡରେ ମୁସଲମାନ ମହିଳାଙ୍କୁ ପ୍ରତିନିଧିତ୍ବ ମିଳିବ। ଏଥିରେ ୨ ଜଣ ମହିଳା ଓ ଅନ୍ୟ ଧର୍ମର ୨ ଜଣ ସଦସ୍ୟଙ୍କୁ ନିଯୁକ୍ତି ଦିଆଯାଇପାରିବ । ୱକଫ ସଂଶୋଧିତ ବିଲ୍ ଆଇନ ହେବାର ୬ ମାସ ଭିତରେ ପ୍ରତ୍ୟେକ ୱାକଫ୍ ସମ୍ପତ୍ତି ସେଣ୍ଟ୍ରାଲ୍ ଡାଟାବେସରେ ପଞ୍ଜୀକୃତ ହେବା ବାଧ୍ୟତାମୂଳକ ହେବ ।
ୱାକଫ୍ ସମ୍ପତ୍ତିର ରେଜିଷ୍ଟ୍ରେସନ୍ ଜିଲ୍ଲାପାଳଙ୍କ ଅଫିସରେ କରାଯିବ। ୱାକଫ୍ ବୋର୍ଡର ପଂଜୀକରଣ, ପ୍ରକାଶନ ଓ ହିସାବପତ୍ର ମଧ୍ୟ କେନ୍ଦ୍ର ସରକାରଙ୍କ ପରିଚାଳନାଧୀନ ରହିବ। ସିଏଜି କିମ୍ବା ଅନ୍ୟ ଅଧିକୃତ ଅଧିକାରୀଙ୍କ ଦ୍ବାରା ୱାକଫ୍ ବୋର୍ଡର ଅଡିଟ୍ ପାଇଁ ସରକାର ନିର୍ଦ୍ଦେଶ ଦେଇପାରିବେ ।