• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଗାୟକ ସିଦ୍ଧୁ ମୁସେୱାଲାଙ୍କ ଘରକୁ ଯାଇ ତାଙ୍କର ପରିବାର ଲୋକଙ୍କୁ ଭେଟିଛନ୍ତି । କଡ଼ା ସୁରକ୍ଷା ମଧ୍ୟରେ ସିଦ୍ଧୁଙ୍କ ଘରକୁ ଯିବାବେଳେ ମାନ୍‌ଙ୍କୁ ଗ୍ରାମରେ ପ୍ରବେଶ କରାଇ ଦଦେବାକୁ ସ୍ଥାନୀୟ ଲୋକ ଅଡ଼ି ବସିଥିଲେ । ତେବେ ସ୍ଥାନୀୟ ପୋଲିସଙ୍କ ସୁରକ୍ଷାରେ ମାନ୍‌ ସିଦ୍ଧୁଙ୍କ ପରିବାରକୁ ଭେଟିଥିଲେ । ସିଦ୍ଧୁଙ୍କ ପରିବାରକୁ ସମବେଦନା ଜଣାଇଥିଲେ ମାନ୍‌ । ସିଏମ୍ ଆସିବା ପୂର୍ବରୁ ମୁସେୱାଲାଙ୍କ ଘରର ସୁରକ୍ଷା ବଢାଇ ଦିଆଯାଇଥିଲା । ଘରର ମେନ୍ ଗେଟ୍‌ରେ ମେଟାଲ ଡିଟେର ଲଗାଯାଇଥିଲା ।

ଭଗୱନ୍ତ ମାନ୍‌ ସିଦ୍ଧୁଙ୍କ ଘରକୁ ଯିବା ପୂର୍ବରୁ ସ୍ଥାନୀୟ ଆପ୍‌ ବିଧାୟକ ଗୁରପ୍ରୀତ ସିଂ ବନାୱାଲି ମଧ୍ୟ ସିଦ୍ଧୁଙ୍କ ପରିବାରକୁ ଭେଟିବାକୁ ଯାଇଥିଲେ । କିନ୍ତୁ ଗ୍ରାମବାସୀଙ୍କ କଡ଼ା ବିରୋଧ ପରେ ସେ ନିରାଶ ହୋଇ ଫେରିଯାଇଥିଲେ । ଗ୍ରାମବାସୀ ମାନେ ରାଜ୍ୟ ସରକାର ବିରୋଧରେ ନାରାବାଜି ଦେଇଥିବାର ଦେଖିବାକୁ ମିଳିଥିଲା । ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ସିଦ୍ଧୁଙ୍କ ମୃତ୍ୟୁ ପରେ ସୁରକ୍ଷା ବଢ଼ାଯିବା କାରଣରୁ ସ୍ଥାନୀୟ ଲୋକ ଓ ତାଙ୍କର ସମ୍ପର୍କୀୟଙ୍କ ଗାଡ଼ିକୁ ଅଟକାଇ ଦିଆଯାଉଛି । ଏହି ଘଟଣା ପରେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ଲୋକଙ୍କୁ ବୁଝାଇବା ସହ ପରିସ୍ଥିତିକୁ ଆୟତ୍ତରେ ଆଣିବାକୁ ଚେଷ୍ଟା କରିଥିଲେ ।ଗୁରୁବାର ଦିନ ମନ୍ତ୍ରୀ ହରପାଲ ସିଂ ଚିମା ଏବଂ କୁଲଦୀପ ସିଂ ଧାଇୱାଲ ମଧ୍ୟ ସିଦ୍ଧୁଙ୍କୁ ଘରକୁ ଯାଇ ପରିବାରକୁ ଭେଟି ସମବେଦନା ଜଣାଇଥିଲେ ।

ଏପଟେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ପଞ୍ଜାବ ସରକାରଙ୍କ ତୋଢ଼ ଭାଙ୍ଗିଯାଇଛି । ପୁଣିଥରେ ନେତାଙ୍କୁ ସ୍ପେସାଲ ସିକ୍ୟୁରିଟି ମିଳିବ ବୋଲି କୁହାଯାଇଛି । ଗତ ସାଧାରଣ ନିର୍ବାଚନରେ ଅରବିନ୍ଦ କେଜ୍ରିୱାଲଙ୍କ ‘ଆମ୍‌ ଆଦ୍‌ମୀ ପାର୍ଟି’ ପଞ୍ଜାବରେ ବିଜୟ ହାସଲ କରିବା ପରେ ନେତା ତଥା ଭିଆଇପିମାନଙ୍କୁ ଦିଆଯାଉଥିବା ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥାକୁ ହଟାଇ ଦିଆଯାଇଥିଲା । ହେଲେ ଏବେ ପୁଣି ଥରେ ନେତାଙ୍କୁ ସୁରକ୍ଷା ଯୋଗାଇବାକୁ ବାଧ୍ୟ ହୋଇଛି ପଞ୍ଜାବ ସରକାର । ଆସନ୍ତା ଜୁନ୍ ୭ ତାରିଖରୁ ୪୨୪ ଭିଆଇପିଙ୍କୁ ପୁଣି ଥରେ ସ୍ୱତନ୍ତ୍ର ସୁରକ୍ଷା ଯୋଗାଇବେ ପଞ୍ଜାବ ସରକାର । ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣାର ୫ ଦିନ ପରେ ସରକାର ଏନେଇ ନିଷ୍ପତି ନେଇଛନ୍ତି ।