varun gandhi
ନୂଆଦିଲ୍ଲୀ: ଗତକାଲି କୃଷି ଆଇନ୍ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣାକୁ ବିଜେପି ସାଂସଦ ବରୁଣ ଗାନ୍ଧି ସ୍ୱାଗତ କରିଛନ୍ତି। ଏନେଇ ବରୁଣ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ସେ କହିଛନ୍ତି, ’ତିନି କୃଷି ଆଇନ୍ ପ୍ରତ୍ୟାହାରକୁ ସ୍ୱାଗତ ଜଣାଉଛି। ଅନୁରୋଧ କରୁଛି, ଏମ୍ଏସ୍ପିକୁ ନେଇ ଆଇନଗତ ମାନ୍ୟତା ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଯଥାଶୀଘ୍ର ନିଷ୍ପତ୍ତି ନିଆଯାଉ। ଫଳରେ ଚାଷୀ ଭାଇମାନେ ଆନ୍ଦୋଳନ ସମାପ୍ତ କରି ସମ୍ମାନ ପୂର୍ବକ ଭାବେ ଘରକୁ ଫେରିବେ। ’
ବରୁଣ ଚିଠିରେ ଆହୁରି ଉଲ୍ଲେଖ କରିଛନ୍ତି, ‘ଦୀର୍ଘ ଦିନ ଧରି ଚାଲିଥିବା ଏହି ଆନ୍ଦୋଳନ ବେଳେ ୭୦୦ ଜଣ ଚାଷୀ ‘ସହିଦ’ ହୋଇଛନ୍ତି। ତେଣୁ ସେମାନଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଉ। ଲଖିମପୁର ଖେରି ଘଟଣାରେ ସମ୍ପୃକ୍ତ ମନ୍ତ୍ରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍। ଏହାସହ ସରକାର ଚାଷୀଙ୍କ ଦାବିକୁ ଗ୍ରହଣ କରିବା ଉଚିତ୍।
ଚାଷୀଙ୍କ ସମସ୍ୟାକୁ ନେଇ ବିଭିନ୍ନ ସମୟରେ ବରୁଣ ଗାନ୍ଧି ସ୍ୱର ଉଠାଇ ଥିବା ଦେଖିବାକୁ ମିଳିଛି। ଚାଷୀଙ୍କୁ ସମର୍ଥନ କରିବା ସହ ଲଗାତାର ଭାବେ ସେ ଟ୍ୱିଟ୍ କରିଥିବା ନଜର ମଧ୍ୟ ଆସିଛି। ତାଙ୍କ କହିବା ଅନୁସାରେ, ଯେପର୍ଯ୍ୟନ୍ତ ଏମ୍ଏସ୍ପିକୁ ଆଇନଗତ ମାନ୍ୟତା ଦିଆଯାଇ ନାହିଁ, ସେପର୍ଯ୍ୟନ୍ତ ମଣ୍ଡିରେ ଶୋଷଣକାରୀ ଚାଷୀଙ୍କୁ ଶୋଷଣ କରୁଥିବେ। ତେଣୁ ଏହି ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍। ଏହାସହ ଲଖିମପୁର ଖେରି ଘଟଣାରେ ପୀଡ଼ିତଙ୍କୁ ନ୍ୟାୟ ପ୍ରଦାନ କରିବା ଲାଗି ବରୁଣ ଦାବି କରିଛନ୍ତି।
ବହୁ ବାଦବିବାଦ ଏବଂ ଆନ୍ଦୋଳନ ପରେ ଶେଷରେ ୩ ନୂଆ କୃଷି ଆଇନ ପ୍ରତ୍ୟାହାର ହୋଇଛି। ୩ ନୂଆ କୃଷି ଆଇନ ପ୍ରତ୍ୟାହାର କରାଯିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ଗତକାଲି ଦେଶବାସୀଙ୍କୁ ସମ୍ବୋଧନ ବେଳେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ। ଶୀତ ଅଧିବେଶନରେ ଏନେଇ ସାମ୍ବିଧାନିକ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)