• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭଦୋଦ୍ରା: ମଡେଲିଂର ଯାକଜମକ ଓ ଷ୍ଟାରଡଷ୍ଟ ଦୁନିଆକୁ ଛାଡି ପଞ୍ଚାୟତ ନିର୍ବାଚନ ମଇଦାନକୁ ଓହ୍ଲାଇଲେ ମୁମ୍ବାଇର ସୁପର ମଡେଲ ଅଏଶ୍ରା ପଟେଲ୍। ଗୁଜୁରାଟର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ନିଜ ଜନ୍ମମାଟି ଛୋଟା ଉଦପୁରର ସରପଞ୍ଚ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

୩୪ ବର୍ଷୀୟ ଅଏଶ୍ରା ଗୁଜୁରାଟ ଭଦୋଦ୍ରାର ସାନଖେଡା ତାଲୁକାରେ ଥିବା ଗାଁ କବିଥାରେ ଜନ୍ମଗ୍ରହଣ କରିଥିଲେ । ସେ କୋଭିଡ ମାହାମାରୀର ଲକଡାଉନ୍ ସମୟଟି ନିଜ ଗାଁ କବିଥାରେ ଅତିବାହିତ କରିଥିଲେ । ଏହି ସମୟରେ ସେ ଜାଣିବାକୁ ପାଇଥିଲେ ଯେ ଗାଁ ଲୋକେ ସରକାରଙ୍କ ଅନେକ ସୁବିଧାରୁ ବଞ୍ଚିତ ହୋଇଛନ୍ତି । ଗାଁରେ ଅନେକ ଉନ୍ନୟନମୂଳକ କାର୍ଯ୍ୟର ଅଭାବ ମଧ୍ୟ ରହିଛି ।

ଅଏଶ୍ରାଙ୍କ କହିବାନୁଯାୟୀ କବିଥା ଗ୍ରାମରେ ବିଦ୍ୟାଳୟ, ପରିବହନ, ସ୍ୱାସ୍ଥ୍ୟସେବାର ଅଭାବ ରହିଛି । ସେ କହିଛନ୍ତି ଯେ କୋଭିଡ ମହାମାରୀ ସମୟରେ ଗାଁ ଲୋକେ ଏହି ରୋଗଟି ବିଷୟରେ କିଛି ମଧ୍ୟ ଜାଣିନଥିଲେ । ତୁରନ୍ତ ଚିକିତ୍ସା ଲାଗି ସେଠାରେ କୌଣସି ଡାକ୍ତର ମଧ୍ୟ ଉପଲବ୍ଧ ନଥିଲେ । ସେ ଆହୁରି କହିଛନ୍ତି ଯେ, ଲକଡାଉନ ସମୟରେ ଚିତ୍ର ଏମିତି କିଛି ଥିଲା ଯେ କୋଭିଡ ଲକ୍ଷଣ ଦେଖାଯାଉଥିବା କିଛି ଗାଁ ଲୋକଙ୍କ ପାଇଁ ସେ ଡାକ୍ତରଙ୍କ ସହ ଯୋଗାଯୋଗ କରି ଔଷଧ ମଧ୍ୟ ଆଣିଥିଲେ ।

ଅଏଶ୍ରା ଜଣେ କୃଷକ ପରିବାରର ଝିଅ । ତାଙ୍କ ବାପା ନରହରି ପଟେଲ ୧୯୮୯ ରୁ ୧୯୯୪ ଏବଂ ୨୦୧୨ ରୁ ୨୦୧୭ ପର୍ଯ୍ୟନ୍ତ ଗାଁର ସରପଞ୍ଚ ଭାବେ କାର୍ଯ୍ୟ କରିଛନ୍ତି । ତାଙ୍କ ବାପା ରାଜ୍ୟ ବିଜେପିର ସଦସ୍ୟ ମଧ୍ୟ ଥିଲେ। ଅଏଶ୍ରା ୧୭ ବର୍ଷ ବୟସରୁ ହିଁ ଗାଁ ଛାଡି ଏକ ଘରୋଇ କଲେଜରୁ ଫିଜିଓଥେରାପି ଅନୁସରଣ କରିଥିଲେ ଓ ପରେ ମୁମ୍ବାଇରେ ଏକ ସଫଳ ମଡେଲିଂ କ୍ୟାରିୟର ଆରମ୍ଭ କରିଥିଲେ । ଅଏଶ୍ରା ୨୦୧୦ରେ ମିସ ଇଣ୍ତିଆ ଟାଇଟଲ ଜିତିଥିଲେ ।

ଗତକାଲି ଅଏଶ୍ରା ସରପଞ୍ଚ ନିର୍ବାଚନ ଲଢିବା ନେଇ ନିଷ୍ପତ୍ତି ନେଇଛନ୍ତି । ସେ କହିଛନ୍ତି ଯେ, ଗାଁ ଲୋକଙ୍କ ପ୍ରତି ସେ ବେଶ ଚିନ୍ତିତ, ଗାଁ ଲୋକେ ତାଙ୍କୁ ବେଶ ଭଲ ଭାବରେ ଚିହ୍ନିଛନ୍ତି । ସେଥିପାଇଁ ଗାଁ ଲୋକେ ତାଙ୍କୁ ଏଥର ନିର୍ବାଚନ ଲଢିବା ପାଇଁ ଅନୁରୋଧ କରିଛନ୍ତି । ମୁଁ ମୋ ବାପାଙ୍କୁ ବହୁତ ଅନୁସରଣ କରେ । ତାଙ୍କ ବାପା ସବୁ ସମୟରେ ଗାଁ ଲୋକଙ୍କ ସୁବିଧା ନିମନ୍ତେ କାର୍ଯ୍ୟ କରିଥାନ୍ତି । ତେଣୁ ବାପାଙ୍କୁ ଅନୁସରଣ କରି ମୁଁ ମଧ୍ୟ ଗ୍ରାମବାସୀଙ୍କ ପାଇଁ କିଛି କରିବାକୁ ଚାହୁଁଛି ।