• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୋଭିଡ ଟିକାକୁ ନେଇ ସୁପ୍ରିମକୋର୍ଟ ବଡ ନିଷ୍ପତ୍ତି ନେଇଛନ୍ତି । ସର୍ବସାଧାରଣ ସ୍ଥାନକୁ ଟିକା ନେଇ ନଥିବା ବ୍ୟକ୍ତିଙ୍କ ଉପରେ କଟକଣାକୁ ନାପସନ୍ଦ କରିବା ସହ ଏଥିପାଇଁ କାହାକୁ ବାଧ୍ୟ କରାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟଳୟ କହିଛନ୍ତି । ଟିକା ନେଇନଥିବା ବ୍ୟକ୍ତିଙ୍କୁ ସାଧାରଣ ସ୍ଥାନକୁ ଆସିବା ଉପରେ ରୋକ୍ ଲଗାଇବା ବେଆଇନ୍ । ଟିକାକରଣ ତଥ୍ୟ ଏବଂ ଟିକାକରଣ ବାଧ୍ୟତାମୂଳକ କରିବାକୁ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଏପରି କହିଛନ୍ତି । ଏହା ସହିତ ସୁପ୍ରିମକୋର୍ଟ ମଧ୍ୟ କ୍ଲିନିକାଲ ଟ୍ରାଏଲର ତଥ୍ୟ ପ୍ରକାଶ କରିବାକୁ ସରକାରଙ୍କୁ କହିଛନ୍ତି ।

କିଛି ରାଜ୍ୟ ସରକାରଙ୍କ ଦ୍ୱାରା ଲଗାଯାଇଥିବା କଟକଣା ସ୍ୱେଚ୍ଛାଚାରିତା ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏହାକୁ ଅନ୍ୟାୟ ବୋଲି ସେ ଅଭିହିତ କରିଛନ୍ତି । ଏପରି ପ୍ରତିବନ୍ଧକ ହଟାଇବାକୁ ରାଜ୍ୟମାନଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି । ତେବେ  ସରକାରଙ୍କ ବର୍ତ୍ତମାନର ଟିକା ନୀତିକୁ ଅନ୍ୟାୟ ଏବଂ ମନମୁଖୀ ବୋଲି କୁହାଯାଇପାରିବ ନାହିଁ। ସରକାର ଜନସାଧାରଣଙ୍କ ହିତ ନିମନ୍ତେ ସ୍ୱାସ୍ଥ୍ୟ ନୀତି ପ୍ରସ୍ତୁତ କରିପାରିବେ ଏବଂ କିଛି ସର୍ତ୍ତ ରଖିପାରିବେ ।

ସେହିପରି କରୋନା ଟିକା ନେବା ଦ୍ୱାରା କେଉଁ ପ୍ରକାରର ପାର୍ଶ୍ୱ ପ୍ରତିକ୍ରିୟା ଘଟୁଛି, ତାହାର ତଥ୍ୟ ସାର୍ବଜନୀନ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି । ଏହା ସହିତ କ୍ଲିନିକାଲ ଟ୍ରାଏଲର ତଥ୍ୟ ମଧ୍ୟ ସରକାରଙ୍କୁ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ପିଲାମାନଙ୍କୁ ଟିକାକରଣ ନିଷ୍ପତ୍ତି ଆନ୍ତର୍ଜାତୀୟ ମାନଦଣ୍ଡ ଅନୁଯାୟୀ ହେବା ଉଚିତ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ଅନ୍ୟପଟେ ବୈଜ୍ଞାନିକ ପ୍ରମାଣ ଉପରେ ନିଷ୍ପତ୍ତି ନେବାକୁ କୋର୍ଟର ଅଭିଜ୍ଞତା ନାହିଁ ବୋଲି କହିଛନ୍ତି । ସ୍ପଷ୍ଟ ଆଭିମୁଖ୍ୟ ଥିଲେ ହେଁ କୋର୍ଟ ରାୟ ଶୁଣାଇପାରିବେ ।