/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700921673.jpg)
Auger drilling machine
ଅଗର୍ ମେସିନର ଖେଳ ଖତମ୍ । ଉତ୍ତରକାଶୀ ଟନେଲ ରେସ୍କ୍ୟୁ ଅପରେସନରେ ମୁଖ୍ୟ ଅସ୍ତ୍ର ସାଜିଥିଲା ଏହି ୨୫ ଟନ୍ ଓଜନର ଆମେରିକୀୟ ହେଭି ଡ୍ୟୁଟି ଡ୍ରିଲିଂ ମେସିନ । ହେଲେ ପୁଣିଥରେ ଲୁହା ବିମ୍ ବାଜିବାରୁ ଖାଲି ମେସିନ ଅଟକିନି, ବରଂ ତାର ବ୍ଲେଡ୍ ଗୁଡ଼ିକ ଖଣ୍ଡ ଖଣ୍ଡ ହୋଇଯାଇଛି । ଜେସିବି ମେସିନରେ ବୁହା ହୋଇ ଆସୁଛି ପଥର ଖୋଳି ଖୋଳି ଥକି ପଡ଼ିଥିବା ଭଙ୍ଗାରୁଜା ବ୍ଲେଡ୍ ।
ଅଗର ମେସିନ ଗତ ୧୬ ତାରିଖରୁ ସେଠାରେ କାମ ଆରମ୍ଭ କରିଥିଲା ଏବଂ ମାଟିପଥର ଅତଡ଼ାକୁ କଣା କରି କାଲି ସୁଦ୍ଧା ପ୍ରାୟ ୫୦ ମିଟର ଯାଏଁ ପାଇପ ବିଛାଇବାରେ ସଫଳ ହୋଇଥିଲା । ପଥର ଖୋଳିବା ବେଳେ ପୂର୍ବରୁ ମଧ୍ୟ ଲୁହା ପାଇପ ଓ ଲୁହା ବିମ୍ ଆଦି ବାଜିବାରୁ ଚାରିଥର ଅଟକିଥିଲା ଅଗର୍ ।ତେବେ ଏହା ସବୁଠୁ ଭରସାଯୋଗ୍ୟ ଭାରି ମେସିନ ହୋଇଥିବାରୁ, ତାକୁ ମରାମତି କରି କାମ ଆରମ୍ଭ ହେଉଥିଲା ।
ହେଲେ ଏବେ ମେସିନ ଯେଉଁଭଳି କ୍ଷତିଗ୍ରସ୍ତ ହୋଇଛି, ତାକୁ ମରାମତି କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି ସେଠାରେ ମୁତୟନ ଥିବା ଅନ୍ତର୍ଜାତୀୟ ଟନେଲ୍ ଏକ୍ସପର୍ଟ ଆର୍ନଲ୍ଡ ଡିକ୍ସ । ଖାଲି ଏତିକି ନୁହେଁ, ଅଗର ମେସିନର ଏକ ଅଂଶ ପଥରରେ ଅଟକିଯାଇଥିବାରୁ, ତାକୁ ବାହାର କରିବା ବି ନୂଆ ଚ୍ୟାଲେଞ୍ଜ ଆଣିଛି ।
#ଡ୍ରିଲିଂ_ବେଳେ_ଭାଙ୍ଗି_ଫସିଗଲା_ଅଗର_ମେସିନ୍#ଅନିର୍ଦ୍ଦିଷ୍ଟ_କାଳ_ପାଇଁ_ଅଟକିଲା_ରେସ୍କ୍ୟୁ_ଅପରେସନ୍
ଅଗର୍ ମେସିନର ଖେଳ ଖତମ୍। ଉତ୍ତରକାଶୀ ଟନେଲ ରେସ୍କ୍ୟୁ ଅପରେସନରେ ମୁଖ୍ୟ ଅସ୍ତ୍ର ସାଜିଥିଲା ଏହି ୨୫ ଟନ୍ ଓଜନର ଆମେରିକୀୟ ହେଭି ଡ୍ୟୁଟି ଡ୍ରିଲିଂ ମେସିନ। #India#Uttarkashi#tunnelcollapse#TunnelTragedy#OTVpic.twitter.com/aA4qIhohlb— ଓଟିଭି (@otvkhabar) November 25, 2023
ଅଗର ମେସିନକୁ କାଟି ବାହାର କରିବା ଲାଗି ହାଇଦ୍ରାବାଦରୁ ପ୍ଲାଜମା କଟର୍ ଆସୁଛି ଏବଂ ଆସନ୍ତାକାଲି ସକାଳ ସୁଦ୍ଧା ତାହା ପହଞ୍ଚିବା ପରେ ପୁଣି ଥରେ ଅପରେସନ ଆରମ୍ଭ ହେବ ବୋଲି କହିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ।
ଅଗର ମେସିନ ଡ୍ରିଲିଂ କଲାବେଳେ ବାଟରେ କିଛି ବାଧା ଆସୁଛି କି ନାହିଁ ଜାଣିବା ପାଇଁ ଅଣାଯାଇଥିଲା ଗ୍ରାଉଣ୍ଡ୍ ପେନିଟ୍ରେଟିଂ ରାଡାର୍ । ହେଲେ ଏହା ଗତକାଲି ଧୋକା ଦେଇଦେଲା । ଗତକାଲି ରାଡାର ମ୍ୟାପିଂରୁ ଜଣା ପଡ଼ିଥିଲା ଯେ, ୫ ମିଟର ଯାଏଁ କୌଣସି ଲୁହା ବିମ୍ କି କୌଣସି ବାଧା ନାହିଁ । ହେଲେ ଡ୍ରିଲିଂ ଆରମ୍ଭ ହେଉ ହେଉ ଅଗର ମେସିନର କାମ ତମାମ୍ ହୋଇଗଲା । ତେଣୁ ଏହା ଆଉ ବିଶ୍ୱାସନୀୟ ନୁହେଁ ।
ଏବେ ପ୍ରଶ୍ନ ଉଠୁଛି, ଆଗକୁ ଉପାୟ କ’ଣ ? ଟନେଲ ଭିତରୁ କେମିତି ବାହାରିବେ ୧୪ ଦିନ ହେଲା ଫସି ରହିଥିବା ୪୧ ଶ୍ରମିକ ? ପଥର ଖୋଳିବା ପାଇଁ ଆପଣାଯିବ କେଉଁ ପଦ୍ଧତି ? ସୂଚନା ଅନୁସାରେ, ଆସନ୍ତାକାଲି ପ୍ଲାଜମା କଟର୍ ଅଗର ମେସିନକୁ କାଟି ବାହାର କରିବା ପରେ, ମାନୁଆଲ୍ ଡ୍ରିଲିଂ କରାଯିବ । ଅର୍ଥାତ୍ ପାରଂପରିକ ପଦ୍ଧତିରେ ଉଦ୍ଧାରକାରୀ ଯବାନମାନେ ପଥର ଖୋଳିବା ଭଳି, ବାକି ପ୍ରାୟ ୧୦ରୁ ୧୨ ମିଟର ଖୋଳି ବାଟ ବାହାର କରିବେ ।
ଏଥିସହ ପାହାଡ଼ ଉପରୁ ତଳ ଆଡ଼କୁ ଏକ ଗାତ ଖୋଳି ଶ୍ରମିକଙ୍କୁ ବାହାର କରିବା ପାଇଁ ଚିନ୍ତା କରାଯାଉଛି । ଏଥିପାଇଁ ଏକ ବିରାଟ ମେସିନ ଓ ସତଲେଜ ଜଳ ବିଦ୍ୟୁତ ନିଗମ ଏବଂ ONGCର ୧୨ ଜଣିଆ ଟିମ୍ ପାହାଡ଼ ଉପରକୁ ବଡ଼ ମେସିନ ସହ ଯାଇଛି । ଶ୍ରମିକ ମାନେ ଫସିଥିବା ଟନେଲ୍ ଉପରେ ସିଧାସଳଖ ୮୫ରୁ ୯୦ ମିଟର ଗାତ ଖୋଳିବାକୁ ୫ରୁ୬ ଦିନ ସମୟ ଲାଗିବ ବୋଲି ଅନୁମାନ କରାଯାଉଛି ।
ଅପେକ୍ଷା ଓ ଅନିଶ୍ଚିତତାର ଦିନ ଗଡ଼ି ଚାଲିଥିବା ବେଳେ, ଉତ୍ତରକାଶୀ ଉଦ୍ଧାର କାର୍ଯ୍ୟ କେବେ ସରିବ, ସେ ଉତ୍ତର ଏବେ କାହା ପାଖରେ ନାହିଁ । ଏସବୁ ଭିତରେ ଫସିଥିବା ୫ ଓଡ଼ିଶା ଶ୍ରମିକଙ୍କ ସଂପର୍କୀୟଙ୍କୁ ଆଜି ବିମାନ ଯୋଗେ ଓଡ଼ିଶାରୁ ଉତ୍ତରକାଶୀକୁ ପଠାଇଛନ୍ତି ରାଜ୍ୟ ସରକାର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)