Advertisment

ଖୁବ୍‌ଶୀଘ୍ର ଆସିପାରେ ବଡ଼ ଖବର ! ୧୧ ଦିନ ପରେ ଟନେଲରୁ ଉଦ୍ଧାର ହେବେ ୪୧ ଶ୍ରମିକ

ସମସ୍ତଙ୍କ ଅପେକ୍ଷା କେତେବେଳେ ଶ୍ରମିକଙ୍କ ପାଖରେ ପହଁଚିବ ଉଦ୍ଧାରକାରୀ ଟିମ୍ ଏବଂ ଦୀର୍ଘ ଦିନର ଯନ୍ତ୍ରଣାରୁ ଶ୍ରମିକଙ୍କୁ ମିଳିବ ମୁକ୍ତି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Tunnel Tragedy

Tunnel Tragedy

ଆଜି ରାତି କିମ୍ବା କାଲି ସକାଳ । ଟନେଲ ରେସ୍କ୍ୟୁରେ ମିଳିପାରେ ବଡ଼ ଖବର । କାରଣ, ସୁଡଙ୍ଗ ଭିତରେ ଫସି ରହିଥିବା ଶ୍ରମିକଙ୍କ ପାଖାପାଖି ପହଁଚିଗଲାଣି ଓସାରିଆ ଷ୍ଟିଲ୍ ପାଇପ୍ । ଯେଉଁଥିରେ ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯିବ । ଆଉ ଅଳ୍ପ କିଛି ମିଟର । ୧୧ ଦିନ ପରେ ଟନେଲ ଭିତରୁ ମିଳିବ ମୁକ୍ତି ।

Advertisment

ସୂଚନା ଅନୁସାରେ, ଗତକାଲି ରାତି ୧୨ଟା ୪୫ରେ ଟନେଲ ଭିତରେ ଡ୍ରିଲିଂ ଆରମ୍ଭ କରିଥିଲା ଅଗର ମେସିନ। ପ୍ରଥମେ ୯୦୦ mm ପାଇପକୁ ଭିତରକୁ ଛଡାଯାଇଥିଲା। ତେବେ ୨୨ ମିଟର ଯିବା ପରେ ଆଉ ପଶିନଥିଲା ପାଇପ୍। ପରେ ଡ୍ରିଲିଂ ସହ ୮୦୦ mm ପାଇପ୍ ପଠାଯାଇଥିଲା। ଖୁସିର କଥା ଯେ, ଆଜି ଦିନ ୨ଟା ସୁଦ୍ଧା ୭ଟି ପାଇପ୍ ୩୯ ମିଟର ଯାଏଁ ପହଁଚି ସାରିଥିଲା। ଆଉ ଅପରାହ୍ଣ ୪ଟା ସୁଦ୍ଧା ଆଉ ୬ ମିଟର ଅର୍ଥାତ୍ ୪୫ ମିଟର ଯାଏଁ ସଫଳତା ମିଳିସାରିଛି।

ତାପରର ୮ରୁ ୧୦ ମିଟର ଅଂଚଳ ଅତି ଗୁରୁତ୍ୱପୂର୍ଣ୍ଣ। ଟନେଲ ଭିତରେ ଶ୍ରମିକ ମାନେ ୫୭ରୁ ୬୦ ମିଟର ଅଂଚଳରେ ରହିଥିବା ସୂଚନା ମିଳିଛି। ତେଣୁ ଆଉ ଅଳ୍ପ କିଛି ମିଟର ଖୋଳିବା ପରେ ଶ୍ରମିକଙ୍କ ପାଖରେ ପାଇପ୍ ପହଁଚିବା ଅନୁମାନ କରାଯାଉଛି।

Advertisment

ଟନେଲର ବାରକୋଟ ପଟରୁ ବି ଖୋଳା ଚାଲିଛି। ସୁଡଙ୍ଗର ୮ମିଟର ଯାଏଁ ସଫଳତା ମିଳିସାରିଲାଣି। ଏପରିକି ଶ୍ରମିକ ଫସିଥିବା ଅଂଚଳର ସୁଡଙ୍ଗର ଉପରଭାଗରେ ବି ଡ୍ରିଲିଂ ଜାରି ରହିଛି। ସୁଡଙ୍ଗରୁ ଶ୍ରମିକଙ୍କୁ ଉଦ୍ଧାର କରିବା ପରେ ତୁରନ୍ତ ହସପିଟାଲ ନେବାକୁ ରାସ୍ତା ବି ତିଆରି ସରିଲାଣି। ଦୁଇ ଦିନରେ ୧୨ ଶହ ମିଟର ରାସ୍ତା ନିର୍ମାଣ କରିଛି ବର୍ଡର ରୋଡ୍ ଅର୍ଗାନାଇଜେସନ୍। ଟନେଲ ଉପରକୁ ବି ରାସ୍ତା ନିର୍ମାଣ ହୋଇଛି। ପ୍ରସ୍ତୁତ ହୋଇ ରହିଛନ୍ତି ଏନଡିଆରଏଫ୍ ଓ ଏସଡିଆରଏଫ୍ ଟିମ୍। ଏପଟେ ଟନେଲର ସିଲକ୍ୟାରା ଗେଟ୍ ଆଗରେ ଠିଆ ହୋଇଛି ଆମ୍ବୁଲାନ୍ସ। ଡାକ୍ତର ବି ପ୍ରସ୍ତୁତ।

ସେପଟେ ସୁଡଙ୍ଗ ଭିତରେ ଶ୍ରମିକମାନେ ସୁସ୍ଥ ଥିବା ଖବର ସମସ୍ତଙ୍କୁ ଆଶ୍ୱସ୍ତ କରିଛି। ଆଜିବି ସେମାନଙ୍କ ପାଖକୁ ରନ୍ଧା ଖାଦ୍ୟ ପଠାଯାଇଛି। ରୁଟି, ତରକାରୀ, ଖେଚୁଡି ଏବଂ ଦଲିଆ ସହ ଫଳ ଦିଆଯାଇଛି। ଶ୍ରମିକଙ୍କ ପାଇଁ ଔଷଧ, ସାବୁନ, ଟୁଥପେଷ୍ଟ ଏବଂ ଟିସାର୍ଟ ମଧ୍ୟ ପଠାଯାଇଛି ଟନେଲ ଭିତରକୁ। ସେମାନଙ୍କ ସହ କଥାବାର୍ତ୍ତା ଜାରି ରହିଥିବା ବେଳେ ମାନସିକ ଚାପରେ ନରହିବାକୁ ପରାମର୍ଶ ଦେଉଛନ୍ତି ବିଶେଷଜ୍ଞ। 

ଉତ୍ତରାଖଣ୍ଡର ଏହି ଟନେଲ ସିଲକ୍ୟାରାରୁ ବାରକୋଟକୁ ସଂଯୋଗ କରୁଛି। ନିର୍ମାଣଧୀନ ଟନେଲରେ କାମ ଚାଲିଥିବା ବେଳେ ନଭେମ୍ବର ୧୨ ତାରିଖରେ ଆଂଶିକ ଭୁଶୁଡିପଡିଥିଲା ଏବଂ ତାଭିତରେ ୪୧ ଜଣ ଶ୍ରମିକ ଫସିଯାଇଥିଲେ। ଫଶିଥିବା ଶ୍ରମିକଙ୍କ ମଧ୍ୟରେ ୫ ଜଣ ଓଡ଼ିଆ ବି ରହିଛନ୍ତି। ସେମାନେ ହେଲେ ଶଙ୍କର୍ଷଣପୁରର ତପନ ମଣ୍ଡଳ, ଝରିଗାଁର ଭଗବାନ ଭତ୍ରା, ବାରିପଦାର ବିଶ୍ୱେଶ୍ୱର ନାୟକ, କୁଲଡିହାର ରାଜୁ ନାୟକ, ବଡ଼ାକୁଦର ଧିରେନ ।

ଏବେ ସମସ୍ତଙ୍କ ଅପେକ୍ଷା କେତେବେଳେ ଶ୍ରମିକଙ୍କ ପାଖରେ ପହଁଚିବ ଉଦ୍ଧାରକାରୀ ଟିମ୍ ଏବଂ ଦୀର୍ଘ ଦିନର ଯନ୍ତ୍ରଣାରୁ ଶ୍ରମିକଙ୍କୁ ମିଳିବ ମୁକ୍ତି।

Advertisment
Advertisment