Advertisment

‘ଭାଇ..ମୁଁ ମାଟି ତଳେ ଫସିଥିବା କଥା ମା’କୁ କହିବୁନି’

ମା’ ପାଇଁ ଚିନ୍ତାରେ ଅନ୍ଧାରୀ ସୁଡ଼ଙ୍ଗରେ ଫସିଥିବା ଶ୍ରମିକ, ଭାଇ ସହ କଥା ହେବା ପରେ ଘରେ ଏକଥା ନଜଣାଇବା ପାଇଁ ଅନୁରୋଧ କରିଛନ୍ତି...କହିଛନ୍ତି, ଭାଇ ମୋ କଥା ମା’କୁ କହିବୁନି...ସେ ମୋତେ ଭାରି ଭଲପାଏ..ମୋ କଥା ଜାଣିଲେ କାନ୍ଦିବ... ଏପଟେ ଭାଇ ସହ କଥା ହେବା ପରେ ବଡ଼ ଭାଇ କାନ୍ଦି ପକାଇଛନ୍ତି...

author-image
Prangyan Parimita
ଅଦ୍ୟତନ ହୋଇଛି
Uttarakhand Tunnel Accident

Uttarakhand Tunnel Accident

ଅନ୍ଧାରୀ ସୁଡ଼ଙ୍ଗ ଭିତରେ ଜୀବନକୁ ଅପେକ୍ଷା.. ଶରୀର ଏବେ ଅବସନ୍ନ, କ୍ଲାନ୍ତ.. ଟନେଲରେ ଫସିଥିବା ୪୦ ଶ୍ରମିକଙ୍କୁ ଉଦ୍ଧାର ଅବିଶ୍ରାନ୍ତ ଉଦ୍ୟମ ଚାଲିଥିଲେ ସୁଦ୍ଧା କେତେବେଳେ କ’ଣ ହେବ, କିଏ କହିବ..ଜୀବନ ଏବେ ସେମାନଙ୍କ ପାଇଁ ପାଣି ଫୋଟକା ପରି..କେତେବେଳେ ନିଶ୍ୱାସ ଟିକକ ବନ୍ଦ ହୋଇଯିବ, ଜଣାନାହିଁ..ହୁଏତ ସରକାର ସୁଡ଼ଙ୍ଗ ଖୋଳି ଭିତରେ ପହଞ୍ଚିବା ବେଳକୁ ସେମାନେ ଆଉ ନଥିବେ..

Advertisment

ତଥାପି ସୁଡ଼ଙ୍ଗ ତଳେ ଫସିଥିବା ଜଣେ ଶ୍ରମିକଙ୍କୁ ନିଜ ଭାଇ ସହ କଥା ହେବାର ସୁଯୋଗ ମିଳିବା ପରେ ସେ ନିଜ କଥା ଚିନ୍ତା ନକରି ପ୍ରଥମେ ନିଜ ମା’କଥା ପଚାରିଛନ୍ତି । ଆଉ ଏହି ଖବର ସମସ୍ତଙ୍କ ମନକୁ ବେଶ୍ ଆନ୍ଦୋଳିତ କରୁଛି । ସୁଡ଼ଙ୍ଗରେ ଫସିଥିବା କଥା ମାକୁ କହିବ ନାହିଁ ବୋଲି ଭାଇ ବିକ୍ରମ ସିଂହ ସହିତ କଥାହେବା ବେଳେ କହିଛନ୍ତି ପୁଷ୍କର ସିଂହ ।

ଚମ୍ପାବତ ଜିଲ୍ଲାର ଛେନି ଗୋଠ ଗାଁର ବାସିନ୍ଦା ପୁଷ୍କର ମଧ୍ୟ ଫସିଥିବା ୪୦ ଶ୍ରମିକଙ୍କ ମଧ୍ୟରେ ଅଛନ୍ତି । ଗତ ଶୁକ୍ରବାର ଦିନ କିଛି ସମୟ ପାଇଁ ସେ ନିଜ ଭାଇ ବିକ୍ରମଙ୍କ ସହ କଥା ହୋଇଥିଲେ । ପୁଷ୍କର ଭାଇ ସହ କଥାହେବା ବେଳେ ପ୍ରଥମେ ମା’ କଥା ପଚାରିଥିଲେ । ମାଟି ତଳେ ଫସି ରହିଥିବା କଥା ନଜଣାଇବା ପାଇଁ ଭାଇକୁ ଅନୁରୋଧ କରିଥିଲେ ।

Advertisment

ଅନ୍ୟପଟେ ବିକ୍ରମ ନିଜ ଭାଇଙ୍କ ସହ କଥା ହେବା ପରେ କାନ୍ଦି ପକାଇଥିଲେ । ସେ କହିଛନ୍ତି, ଭାଇ ସହ କଥା ହେବା ପାଇଁ ମାତ୍ର କିଛି ସେକେଣ୍ଡ ସମୟ ଥିଲା, ତେଣୁ ମୁଁ ତା’ ଦେହପା’ ସମ୍ପର୍କରେ ପଚାରିଥିଲି । ଏହାସହ ବାହାରେ ଚାଲିଥିବା ଉଦ୍ଧାର କାର୍ଯ୍ୟ ବିଷୟରେ ତାଙ୍କୁ କହିଥିଲି । ହେଲେ ସେ ପ୍ରଥମେ ମା’ କଥା ହିଁ ପଚାରିଥିଲା ।

ବିକ୍ରମ ଅଘଟଣ ସମ୍ପର୍କରେ ଖବର ପାଇବା ପରେ ବୃଢ଼ା ବାପାମା’ଙ୍କୁ କିଛି ନ ଜଣାଇ ଘରୁ ବାହାରି ଯାଇଥିଲେ । ହେଲେ କିଛି ପଡ଼ୋଶୀ ଦୁର୍ଘଟଣା ସମ୍ପର୍କରେ ଘରେ ତାଙ୍କ ବାପାମା’ଙ୍କୁ କହି ଦେଇଥିଲେ । ଏବେ ତାଙ୍କ ବାପାମା’ ପୁଅ ପାଇଁ ବ୍ୟତିବ୍ୟସ୍ତ ହୋଇ ପଡ଼ୁଛନ୍ତି । ମା’ ଦିନ ରାତି ଠାକୁର ଘରେ ପଡ଼ି ରହି ପୁଅର ଜୀବନ ପାଇଁ ପ୍ରାର୍ଥନା କରୁଛି । ବାପା ଛାତିକୁ ପଥର କରି ସ୍ତ୍ରୀକୁ ଦମ୍ଭ ଦେବା ପାଇଁ ଚେଷ୍ଟା କରୁଛନ୍ତି । ଅନ୍ୟପଟେ ବିକ୍ରମ ମନକୁ ଟାଣ କରି ଘରୁ ସିନା ବାହାରି ଆସିଲେ, ହେଲେ ଭାଇକୁ ଏପରି ଅବସ୍ଥାରେ ଦେଖି କୋହ ସମ୍ଭରଣ କରିପାରୁ ନାହାନ୍ତି । ବାପାମା’ଙ୍କୁ ବୋଧ ଦେବେ କ’ଣ ନିଜ ପିଲାଙ୍କ ପରି କଇଁ କଇଁ କାନ୍ଦି ପକାଇଛନ୍ତି ।

ସୂଚନାଯୋଗ୍ୟ ସପ୍ତମ ଦିନରେ ପହଞ୍ଚିଛି ଉତ୍ତରାଖଣ୍ଡ ଟନେଲ ଟ୍ରାଜେଡି । ଗତ ରବିବାରରୁ ଟନେଲ ଭିତରେ ଫସି ରହିଛନ୍ତି ୪୦ ଶ୍ରମିକ । ଆଜି ଆସିକି ଶନିବାର ହେଲାଣି । ତଥାପି ଅକ୍ଲାନ୍ତ ପରିଶ୍ରମ ଓ ଚେଷ୍ଟା ସତ୍ତ୍ବେ ଶ୍ରମିକମାନଙ୍କୁ ଉଦ୍ଧାର କରା ଯାଇପାରିନାହିଁ । ଗତକାଲି ଅପରାହ୍ନରେ ଡ୍ରିଲିଂ ଚାଲିଥିବା ବେଳେ କିଛି ଭାଙ୍ଗିବାର ଶବ୍ଦ ହେବାରୁ ତୁରନ୍ତ କାମ ବନ୍ଦ କରାଯାଇଥିଲା ।

ଆଶଙ୍କା କରାଯାଉଛି, ଆହୁରି ମାଟି ଅତଡ଼ା ଧସିପାରେ । ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଛି । ଟନେଲରେ ୬୦ ମିଟର ଭିତରକୁ ପ୍ରାୟ ୧ ମିଟର ଓସାରର ପାଇପ ପୁରାଇ ସେଥିରେ ଶ୍ରମିକମାନଙ୍କୁ ଆଣିବାର ଯୋଜନା କରାଯାଇଛି ।

Uttarakhand
Advertisment
Advertisment