Advertisment

ସରିବ ସରିବ ହେଲେ ସରୁନି ଟନେଲ୍ ଅପରେସନ, ଚାପମୁକ୍ତ ରହିବାକୁ ସୁଡ଼ଙ୍ଗ ଭିତରେ ଚୋର-ପୋଲିସ ଖେଳ

ରେସ୍କ୍ୟୁ ସରିବା ଆଶାରେ ହେଲା ମକଡ୍ରିଲ । ଚୋର-ପୋଲିସ ଖେଳୁଛନ୍ତି ଓ ଯୋଗ କରୁଛନ୍ତି ଶ୍ରମିକ ।

author-image
Satyendu Shekher Mishra
Tunnel Tragedy

Tunnel Tragedy

ବାହାରୁ ଦେବଦୂତ ଟାଣୁଥିବେ ଜୀବନ ରକ୍ଷାକାରୀ ଡୋରି । ଅନ୍ଧାରିଆ ପାଇପ ଭିତରୁ ବାହାରି ଆସିବ ଗୋଟିକ ପରେ ଗୋଟିଏ ଜୀବନ । ପଥରର ଛାତି ଚିରି ୮ଶହ ମିଲିମିଟର ପାଇପ ସୁଡ଼ଙ୍ଗ ପାଖରେ ପହଞ୍ଚିବା ପରେ, କେମିତି ୪୧ ଶ୍ରମିକଙ୍କୁ ବାହାରକୁ ଅଣାଯିବ, ତାର କରାଯାଇଛି ପୂର୍ବାଭ୍ୟାସ । ଗୁରୁଣ୍ଡି ଗୁରୁଣ୍ଡି ଆସିନପାରିଲେ ସେମାନଙ୍କୁ ଚକଲଗା ଷ୍ଟ୍ରେଚରରେ କିପରି ସୁରକ୍ଷିତ ଭାବେ ବାହାରକୁ ଟଣାଯିବ, ତାହାର ଅଭ୍ୟାସ କରିଛନ୍ତି NDRF ଯବାନ ।

Advertisment

ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ଉଦ୍ଧାରକାର୍ଯ୍ୟର ବାରମ୍ବାର ବାଟ ଓଗାଳୁଛି ଅତି ଶକ୍ତ ପଥର ଚଟାଣ, ଲୁହା ବିମ୍ ଓ ପାଇପ ଇତ୍ୟାଦି। ଯାହାଫଳରେ ମୋଡ଼ି ମକଚି ଯାଇଛି ୨୫ ଟନ୍ ଓଜନ ଅଗର ଡ୍ରିଲିଂ ମେସିନର ଯନ୍ତ୍ରାଂଶ । ତେବେ ଉଦ୍ଧାର ଅଭିଯାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଆଶା କରାଯାଉଛି, ଆଜି ହିଁ ଶ୍ରମିକମାନେ ଟନେଲ ଭିତରୁ ବାହାରିବେ।

ଆଜି ମଧ୍ୟ କେନ୍ଦ୍ରମନ୍ତ୍ରୀ ଭିକେ ସିଂ ଟନେଲକୁ ଯାଇ ସ୍ଥିତି ସମୀକ୍ଷା କରିଥିବା ବେଳେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହ ଟେଲିଫୋନ ଯୋଗେ କଥାହୋଇ, ଅପରେସନ ଅଗ୍ରଗତି ଅନୁଧ୍ୟାନ କରିଛନ୍ତି ।

Advertisment

୧୨ ଦିନରୁ ଅଧିକ ସମୟ ହେଲା ବାହାର ଦୁନିଆ ଦେଖିନାହାନ୍ତି ଫସିଥିବା ୪୧ ଶ୍ରମିକ। ସମୟ ଗଡ଼ିବା ସହ ବାହାରେ ଯେତିକି ଟେନସନ ବଢ଼ୁଛି, ଟେନେଲ ଭିତରେ ହୁଏତ ଥିବ ତାଠୁ ଶହେ ଗୁଣ ଅଧିକ ଟେନସନ୍। ତେଣୁ ଦୁଶ୍ଚିନ୍ତା ଏଡ଼ାଇବା ପାଇଁ ସୁଡ଼ଙ୍ଗ ଭିତରେ ଚୋର-ପୋଲିସ ଖେଳୁଛନ୍ତି ଫସିଥିବା ଶ୍ରମିକ। ସେମାନଙ୍କୁ ଚାପମୁକ୍ତ ରଖିବା ପାଇଁ ଟନେଲ ବାହାରେ ମୁତୟନ ଥିବା ମାନସିକରୋଗ ବିଶେଷଜ୍ଞ ଚୋର-ପୋଲିସ ଖେଳିବାକୁ ଓ ଯୋଗ-ବ୍ୟାୟାମ ଆଦି କରିବାକୁ ପରାମର୍ଶ ଦେଇଛନ୍ତି ।

ଏଥିସହ ବାହାରୁ ପାଇପ ଦେଇ ତାସ୍ ଓ ଲୁଡୋ ଆଦି ଭିତରକୁ ପଠାଯିବ ବୋଲି ଯୋଜନା ହୋଇଛି । ଶ୍ରମିକଙ୍କ ମନୋବଳ ବଢ଼ାଇବା ଲାଗି ଟନେଲ ବାହାରେ ଥିବା ୧୦ରୁ ଅଧିକ ଡାକ୍ତର ସେମାନଙ୍କ ସହ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଅତି କମରେ ଅଧଘଣ୍ଟା କଥା ହେଉଛନ୍ତି । ପରିବାର ଲୋକଙ୍କ ସହ ମଧ୍ୟ ଫୋନ ଯୋଗେ ସେମାନଙ୍କ କଥା କରାଯାଉଛି ।

ରେସ୍କ୍ୟୁ ଅପରେସନ ସରିଆସୁଥିବା ବେଳେ, ଟନେଲ ବାହାରେ ଭିଡ଼ ଜମାଇଲେଣି ଫସିଥିବା ଶ୍ରମିକଙ୍କ ସଂପର୍କୀୟ। ଏପଟେ ଓଡ଼ିଶାରୁ ବି କିଛି ଶ୍ରମିକଙ୍କ
ସଂପର୍କୀୟଙ୍କୁ ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ ବିମାନରେ ଉତ୍ତରାଖଣ୍ଡ ପଠାଇବାର ବ୍ୟବସ୍ଥା କରାଯାଇଛି । ୫ ଜଣ ଓଡ଼ିଆ ଟନେଲରେ ଫସିଥିବା ବେଳେ, ସେମାନଙ୍କ ମଧ୍ୟରୁ ୩ ଜଣ ମୟୂରଭଞ୍ଜର। ସେମାନଙ୍କ ମଧ୍ୟରୁ ବିଶ୍ୱେଶ୍ୱର ନାଏକ ଓ ଧିରେନ ନାଏକଙ୍କ ଭାଇ ଉତ୍ତରକାଶୀ ଯାଉଛନ୍ତି । ତିରିଂ ବ୍ଲକ କୁଲଡିହା ଗାଁର ରାଜୁ ନାଏକଙ୍କ ସକୁଶଳ କାମନା କରି ପୂଜାର୍ଚ୍ଚନା କରିଛନ୍ତି ଗାଁ ଲୋକେ।

ନବରଙ୍ଗପୁରର ଭଗବାନ ଭତ୍ରାଙ୍କ ସମ୍ପର୍କୀୟ ଭାଇ ଫୁଲଚାନ୍ଦଙ୍କୁ ବି ଉତ୍ତରାଖଣ୍ଡ ପଠାଯାଇଛି ସରକାରଙ୍କ ପକ୍ଷରୁ। ଏଭିତରେ ଭଦ୍ରକ ବାସୁଦେବପୁରର ତପନ ମଣ୍ଡଳଙ୍କ ସହ ଫୋନରେ କଥା ହୋଇ ଆଶ୍ୱସ୍ତି ପ୍ରକାଶ କରିଛନ୍ତି ତାଙ୍କ ବାପା । ଟନେଲ୍ ଭିତରୁ ତପନ କହିଛନ୍ତି- ବାପା ମୁଁ ଭଲରେ ଅଛି । ସେପଟେ ଟନେଲରେ ଫସିଥିବା ଶ୍ରମିକଙ୍କ ସୁରକ୍ଷା କାମନା କରି ଉଜ୍ଜୈନ ହାକାଳେଶ୍ୱର ମନ୍ଦିରରେ ହୋଇଛି ସ୍ୱତନ୍ତ୍ର ପୂଜା ଓ ଭସ୍ମ ଆରତୀ ।

Tunnel Collapsed
Advertisment
Advertisment