Advertisment

ବର୍ଷା ନେଲାଣି ୨୩ ଜୀବନ

କେରଳ ପରେ ଦେବଭୂମି ଉତ୍ତରାଖଣ୍ଡରେ ବି ଜଳ ପ୍ରଳୟର ଭୟଙ୍କର ଚିତ୍ର ଦେଖିବାକୁ ମିଳିଛି। ଭୟ ବଢ଼ାଉଛି ଉଛୁଳା ନଈ, ବାଦଲଫଟା ବର୍ଷାରେ ତ୍ରାହି ତ୍ରାହି ଡାକୁଛି ମଣିଷ। ଦୁଇ ଦିନର ବର୍ଷାରେ ରାଜ୍ୟରେ ସ୍ଥିତି ଅତି ଦୟନୀୟ ହେଲାଣି

author-image
Sarbeswar
Uttarakhand rains

Uttarakhand rains

ନୂଆଦିଲ୍ଲୀ: କେରଳ ପରେ ଦେବଭୂମି ଉତ୍ତରାଖଣ୍ଡରେ ବି ଜଳ ପ୍ରଳୟର ଭୟଙ୍କର ଚିତ୍ର ଦେଖିବାକୁ ମିଳିଛି। ଭୟ ବଢ଼ାଉଛି ଉଛୁଳା ନଈ, ବାଦଲଫଟା ବର୍ଷାରେ ତ୍ରାହି ତ୍ରାହି ଡାକୁଛି ମଣିଷ। ଦୁଇ ଦିନର ବର୍ଷାରେ ରାଜ୍ୟରେ ସ୍ଥିତି ଅତି ଦୟନୀୟ ହେଲାଣି। ମୋଟ୍ ୨୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସ୍ଥିତି ସଂପର୍କରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment

କେରଳ ପରେ ଉତ୍ତରାଖଣ୍ଡ। ଦେବଭୂମିରେ ଦାଉ ସାଧୁଛି ଦୁର୍ବିପାକ। ଭାରି ବର୍ଷାରେ ବେହାଲ ବଦ୍ରିନାଥ ଧାମ। ନୈନିତାଲରେ କାର୍ ଭାସୁଛି, ହଲନୀରେ ହାତୀ ଫସିଛି । ଗୋଲାନଦୀରେ ଧୋଇ ଯାଇଛି ପୋଲ । ଚମ୍ପାଓ୍ୱତ୍ ଚାଲିଥି ନଦୀରେ ବି ନିଶ୍ଚିହ୍ନ ହୋଇଯାଇଛି ନିର୍ମାଣାଧିନ ବ୍ରିଜ୍। ଘୁ ଘୁ ଗର୍ଜନ କରି ବହୁଛି ନନ୍ଦାକିନୀ ନଦୀ । ଗୋଟିକ ପରେ ଗୋଟିଏ ଭୟାନକ ଦୃଶ୍ୟ ପୂରା ଘଟଣା କେମିତି ରହିଛି ତାହାକୁ ବୟାନ କରୁଛି, ଦେବଭୂମି ଉତ୍ତରାଖଣ୍ଡରେ କିଭଳି କୋପ ଦେଖାଇଛି ପ୍ରକୃତି। ଗତକାଲିର ବାଦଲଫଟା ବର୍ଷାରେ ବେହାଲ ଉତ୍ତରାଖଣ୍ଡ। ଗୋଲା ନଦୀର ପ୍ରଖର ସ୍ରୋତରେ ଦୀର୍ଘ ସମୟ ଧରି ଫସି ରହିଥିଲା ଏକ ହାତୀ। ବହୁ ପ୍ରୟାସ ପରେ ଉଦ୍ଧାର କରିଥିଲା ବନବିଭାଗ। ସୂଚନା ଅନୁସାରେ ଗତ ୨ ଦିନରେ ପ୍ରକୃତିର ଭୟଙ୍କର ରୋଷରେ ୨୩ ଜଣ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ଉପରମୁଣ୍ଡରେ ବନ୍ୟା ଆଶଙ୍କା ଥିବାରୁ ଉଦ୍ଧମସିଂ ନଗର ସ୍ଥିତ ନାନକସାଗର ଡ୍ୟାମ୍ର ସମସ୍ତ ଗେଟ୍ ଖୋଲାଯାଇଛି।

Advertisment

ମନକୁ ବିଚଳିତ କଲାଭଳି ଦୃଶ୍ୟ କେବଳ ଆଖି ଆଗରେ ନାଚି ଯାଉଛି। ବଦ୍ରିନାଥ ହାଇୱେରେ ଲାମ୍ବାଡ଼ରେ ଭୂସ୍ଖଳନ ଯୋଗୁଁ କାରଟି ରାସ୍ତା ତଳକୁ ଖସିଯାଇ ଗୋଟିଏ ସ୍ଥାନରେ ଫସିରହିଥିଲା। ବେଶ୍ କିଛି ସମୟର ସଂଘର୍ଷ ପରେ ଜେସିବି ସହାୟତାରେ ଉଦ୍ଧାର କରାଯିବାରୁ ନିଶ୍ଚିତ ମୃତ୍ୟୁ ମୁଖରୁ ଯାତ୍ରୀଙ୍କୁ ରକ୍ଷା କରାଯାଇ ପାରିଛି। ଚମୋଲୀ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ନନ୍ଦାକିନୀ ନଦୀ ଫୁଲିବାରେ ଲାଗିଛି । ରାମନଗର-ରାନୀକ୍ଷେତ ରୁଟରେ ପଡୁଥିବା ଲେମନ୍ ଟ୍ରି ରେସର୍ଟରେ ଶହେରୁ ଉର୍ଦ୍ଧ୍ୱ ଯାତ୍ରୀ ଫସି ରହିଛନ୍ତି। କୋଶି ନଦୀର ପାଣି ରିସର୍ଟକୁ ପଶି ଆସିଥିବାରୁ ଏହି ରୁଟ୍‌ରେ ଗମନା ଗମନ ବାଧାପ୍ରାପ୍ତ ହୋଇଛି । ଗତକାଲି ଏସ୍‌ଡ଼ିଆର୍‌ଏଫ୍‌ ଏବଂ ରାଜ୍ୟ ପୋଲିସ ଜଙ୍ଗଲ ଭିତରୁ ୨୨ରୁ ଅଧିକ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ, ଏମାନେ କେଦାରନାଥଙ୍କ ଦର୍ଶନ ପାଇଁ ଯାଉଥିଲେ। ରାଜ୍ୟର ସ୍ଥିତି ସଂପର୍କରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଋଷିକେଶକୁ ସଂଯୋଗ କରୁଥିବା ଚନ୍ଦ୍ରଭାଗା ବ୍ରିଜ୍, ତପୋବନ, ଲକ୍ଷ୍ମଣ ଝୁଲା, ମୁନି-କି-ରେତି ଓ ଭଦ୍ରକାଳୀରେ ଯାତ୍ରା କଟକଣା ଲାଗୁ ହୋଇଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଆକାଶ ମାର୍ଗରୁ ସ୍ଥିତି ପରଖିଛନ୍ତି।

ହିମାଚଳ ପ୍ରଦେଶରେ ବି ଦାଉ ସାଧୁଛି ପ୍ରକୃତି । ସେପଟେ କେରଳରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ବର୍ଷା ଥମି ନାହିଁ। ପୁଣି ୧୧ଟି ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ରାଜ୍ୟର ୧୦ଟି ଡ୍ୟାମ୍ ପାଇଁ ସରକାର ରେଡ୍ ଓ୍ୱାର୍ଣ୍ଣିଂ ଜାରି କରିଛନ୍ତି। ଯାହାକୁ ନେଇ ଏବେ ଚିନ୍ତାରେ ଲୋକେ।

India Rain Uttarakhand Heavy Rain
Advertisment
Advertisment