• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ସର୍ତ୍ତମୂଳକ ଚାରିଧାମ ଯାତ୍ରା ପାଇଁ ଅନୁମତି

  • ତେବେ କୌଣସି ପୁଷ୍କରିଣୀରେ ଭକ୍ତମାନେ ସ୍ନାନ ପାରିବେ ନାହିଁ

ନୈନିତାଲ : ଚାରିଧାମ ଯାତ୍ରା ଉପରୁ ହଟିଲା ପ୍ରତିବନ୍ଧକ । ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ପ୍ରତିବନ୍ଧକ ହଟାଇବା ସହ କଟକଣାକୁ କିଛିକାଂଶରେ କୋହଳ କରିଛନ୍ତି ଉତ୍ତରାଖଣ୍ଡ ହାଇକୋର୍ଟ । କୋଭିଡ ୧୯ ସହ ଜଡିତ ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିବାରୁ ଜୁନ୍ ୨୮ରେ ହାଇକୋର୍ଟ ଉତ୍ତରାଖଣ୍ଡର ଏହି ମହତ୍ୱପୂର୍ଣ୍ଣ ତୀର୍ଥଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଥିଲେ । ତେବେ ଚାରିଧାମ ଯାତ୍ରା ଉପରୁ ରୋକ୍ ହଟାଇବା ପାଇଁ ରାଜ୍ୟ ସରକାର ନିରନ୍ତର ଉଦ୍ୟମ କରୁଥିଲେ । ‌ଆଉ ଏଥିପାଇଁ ରାଜ୍ୟ ରାଜନୀତି ମଧ୍ୟ ସବୁବେଳେ ସରଗରମ ରହୁଥିଲା । ଆଉ ଆଜି ଗୁରୁବାର ଦିନ ହାଇକୋର୍ଟ ଚାରିଧାମ ଯାତ୍ରା ପାଇଁ ରାସ୍ତା ସଫା କରିଛନ୍ତି ।

ଚାରିଧାମ ଯାତ୍ରା ପାଇଁ ସର୍ତ୍ତମୂଳକ ଅନୁମତି ଦେଛନ୍ତି ହାଇକୋର୍ଟ । ନିର୍ଦ୍ଦେଶ ଅନୁସାରେ ବଦ୍ରିନାଥ ଧାମରେ ​​୧୨୦୦, କେଦାରନାଥ ଧାମରେ ​​୮୦୦, ଗାଙ୍ଗୋତ୍ରିରେ ୬୦୦ ଏବଂ ଯମୁନୋତ୍ରି ଧାମରେ ​​୪୦୦ ଭକ୍ତ କିମ୍ବା ତୀର୍ଥଯାତ୍ରୀ ଅନୁମତି ଦିଆଯାଇଛି । ଏହା ସହିତ କୋର୍ଟ ପ୍ରତ୍ୟେକ ଭକ୍ତ କିମ୍ବା ଯାତ୍ରୀଙ୍କ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରିଛନ୍ତି । ଚାରିଧାମ ଯାତ୍ରା ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ସହ ଉଭୟ ଡୋଜ ଟିକା ନେବା ଅନିବାର୍ଯ୍ୟ । କେବଳ ଏତିକି ନୁହେଁ, ଚମୋଲି, ରୁଦ୍ରପ୍ରୟାଗ ଏବଂ ଉତ୍ତରକାଶୀ ଜିଲ୍ଲାରେ ଆବଶ୍ୟକତା ଅନୁସାରେ ପୋଲିସ ଫୋର୍ସ ମୁତୟନ କରିବାକୁ କହିଛନ୍ତି ହାଇକୋର୍ଟ । ତେବେ କୌଣସି ପୁଷ୍କରିଣୀରେ ଭକ୍ତମାନେ ସ୍ନାନ କରିପାରିବେ ନାହିଁ ବୋଲି ମଧ୍ୟ କଡ଼ା ନିର୍ଦ୍ଦେଶ ରହିଛି ।

ସେପ୍ଟେମ୍ବର ୧୦ରେ ଚାରଧାମ୍ ଯାତ୍ରା ଶୁଣାଣି କରାଯାଉ ଦାବି କରି କୋର୍ଟରେ ଆବେଦନ କରିଥିଲେ ସରକାର । ତେବେ ଶୁଣାଣି ପାଇଁ କୋର୍ଟ ସେପ୍ଟେମ୍ବର ୧୬ ଦିନକୁ ସ୍ଥିର କରିଥିଲେ  । ମୁଖ୍ୟ ବିଚାରପତି ଆରଏସ ଚୌ ହାନ ଏବଂ ଜଷ୍ଟିସ ଆଲୋକ କୁମାର ବର୍ମାଙ୍କ ଖଣ୍ଡପୀଡ ଏହି ମାମଲାର ଶୁଣାଣି କରିଛନ୍ତି । କରୋନା ସଂକ୍ରମଣ ପାଇଁ ନିର୍ଦ୍ଦେଶାବଳୀ ପାଳନ କରି ଯାତ୍ରା କରିବାକୁ ଶ୍ରଦ୍ଧାଳଙ୍କୁ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି କୋର୍ଟ ।