• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଡେରାଡୁନ୍ : ପ୍ରବଳ ବର୍ଷା ଆଶଙ୍କା ଯୋଗୁଁ କେଦାରନାଥ ଯାତ୍ରା ଉପରେ ରୋକ୍ । ଅକ୍ଟୋବର ୧୭ରୁ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଉତ୍ତରାଖଣ୍ଡର ଚାରିଧାମ ସମେତ ଅଧିକାଂଶ ପାର୍ବତ୍ୟ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ଆଶଙ୍କା କରି ପାଣିପାଗ ବିଭାଗ (ଆଇଏମଡି) ଚେତାବନୀ ଦେଇଛି । ଅନ୍ୟପକ୍ଷରେ ରବିବାରର ଖରାପ ପାଗକୁ ଦୃଷ୍ଟିରେ ରଖି କେଦାରନାଥ ଯାତ୍ରାକୁ ସାମୟିକ ଭାବେ ବନ୍ଦ କରିଛି ପ୍ରଶାସନ। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ବିପର୍ଯ୍ୟୟ ପରିଚାଳନା ବିଭାଗ, ପୋଲିସ ପ୍ରଶାସନ ଏବଂ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

 ଉତ୍ତରାଖଣ୍ଡର ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ସ୍ଥାନୀୟ ବାସିନ୍ଦାଙ୍କୁ ସତର୍କ ରହିବାକୁ ପରାମର୍ଶ ଦେବା ସହ ନଦୀ ଓ ଡ୍ରେନଠାରୁ ଦୂରରେ ରହିବାକୁ ଅପିଲ କରିଛନ୍ତି କହିଛନ୍ତି । ଉତ୍ତରାଖଣ୍ଡକୁ ଆସିଥିବା ଯାତ୍ରୀମାନେ ଏକ ସୁରକ୍ଷିତ ସ୍ଥାନରେ ରୁହନ୍ତୁ ବୋଲି ମଧ୍ୟ କୁହାଯାଇଛି । ଯେଉଁମାନେ ଚାରିଧାମ ଯାତ୍ରା କରିବାକୁ ଯାଉଛନ୍ତି, ସେମାନଙ୍କୁ ୨ ଦିନ ଯାତ୍ରା ଠାରୁ ଦୂରେଇ ରହିବା ଉଚିତ୍ ବୋଲି ପ୍ରଶାସନ ପରାମର୍ଶ ଦେଇଛି ।

ସେପଟେ ଭାରତର ଉତ୍ତର ରାଜ୍ୟ ଗୁଡ଼ିକରେ କୌଣସି ବି ମୁହୂର୍ତ୍ତରେ ପାଣିପାଗ ବଦଳିପାରେ  । ଆଜି ସକାଳେ ଜାତୀୟ ରାଜଧାନୀର କେତେକ ଅଞ୍ଚଳରେ ହାଲୁକାରୁ ମଧ୍ୟମ ବର୍ଷା ହୋଇଥିଲା ଏବଂ ଅପରାହ୍ନ ସୁଦ୍ଧା ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି । ଦିଲ୍ଲୀରେ ବର୍ଷା ସମ୍ପର୍କରେ ପାଣିପାଗ ବିଭାଗ ୟେଲୋ ଆଲର୍ଟ ଜାରି କରିଛି । ଆଗାମୀ ୨ ଦିନ ପାଇଁ ହାଲୁକାରୁ ମଧ୍ୟମ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ମଧ୍ୟାହ୍ନ ପରେ ଦିଲ୍ଲୀରେ ପାଗ ବଦଳିବା ଆରମ୍ଭ କରିଛି । ଆଜି ଏନସିଆର, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନର ଅନେକ ଅଞ୍ଚଳରେ ବର୍ଷା ହେବାର ପୂର୍ବାନୁମାନ କରିସାରିଛି ।

ଅନ୍ୟପଟେ କେରଳରେ କିଛି ଦିନ ଧରି ବର୍ଷା ଲାଗି ରହିଥିବାରୁ କେରଳରେ ସ୍ଥିତି ବିଗିଡ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ବର୍ଷା ଜନିତ କ୍ଷୟକ୍ଷତି ଯୋଗୁ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ନିଖୋଜ ଥିବା ସୂଚନା ମିଳିଛି । କୋଟ୍ଟାୟମ, କୋକ୍କାୟର ଏବଂ ଇଡୁକ୍କି ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଛି। ବହୁ ଲୋକଙ୍କ ଘର ଭିତରେ ପାଣି ପଶି ଯାଇଛି । କଚ୍ଚା ଘର ଭାଙ୍ଗି ଯାଇଛି । ବିଭିନ୍ନ ନଦୀର ଜଳସ୍ତର ବଢ଼ିବା ଯୋଗୁ ସ୍ଥିତି ଆହୁରି ବିଗିଡ଼ିବ ବୋଲି ଆଶଙ୍କା କରାଯାଉଛି ।