Astrospeak
  • Live TV
  • Read In English

Sentinel Island Mystery: ବାହ୍ୟ ଜଗତରୁ ବିଚ୍ଛିନ୍ନ ରହସ୍ୟମୟ ଜନଜାତିଙ୍କ କାହାଣୀ, ସାମାନ୍ୟ ଛିଙ୍କ ହୋଇପାରେ ଘାତକ

ଏହି ଜନଜାତି ହଜାର ହଜାର ବର୍ଷ ଧରି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛନ୍ତି। ସେମାନେ ଆଧୁନିକ ବିଶ୍ୱର ସାଧାରଣ ଭାଇରସ ସହିତ ଲଢ଼ିବା ପାଇଁ ମଧ୍ୟ ସକ୍ଷମ ନୁହଁନ୍ତି। ଥଣ୍ଡା କିମ୍ବା କାଶ ଭଳି ରୋଗ ଆମ ପାଇଁ ସାଧାରଣ ହୋଇପାରେ, କିନ୍ତୁ ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ବିପଦପୂର୍ଣ୍ଣ । ଯଦି କୌଣସି ବାହାର ଲୋକ ସଂକ୍ରମଣ ନେଇ ଦ୍ୱୀପକୁ ଆସନ୍ତି, ତେବେ ଏହି ଲୋକମାନଙ୍କ ମଧ୍ୟରେ ରୋଗ ବ୍ୟାପିପାରେ। ସେମାନଙ୍କ ପାଖରେ ନା ଔଷଧ ଅଛି ନା ପରୀକ୍ଷା ନିରୀକ୍ଷା ସୁବିଧା, ଏପରି ପରିସ୍ଥିତିରେ ବାହ୍ୟ ସଂକ୍ରମଣ ଯୋଗୁଁ ସମଗ୍ର ସମ୍ପ୍ରଦାୟ ଧ୍ୱଂସ ପାଇଯିବାର ଆଶଙ୍କା ରହିଛି।

Sentinel Island Tribe
ସେଣ୍ଟିନେଲ୍ ଦ୍ୱୀପ ଜନଜାତି

ମୃତ୍ୟୁର ଟାପୁ କୁହାଯାଉଥିବା ଭାରତର ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜର ଉତ୍ତର ସେଣ୍ଟିନେଲ ଦ୍ୱୀପକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ଆମେରିକୀୟ ନାଗରିକ ମିଖାଇଲୋ ଭିକ୍ଟରୋବିଚଙ୍କୁ ନିକଟରେ ଏହି ବିରଳ ଜନଜାତି ଉପରେ ରିସର୍ଚ୍ଚ କରୁଥିବା ଅଭିଯୋଗରେ ଗିରଫ କରାଯାଇଛି । ଏହା ଦ୍ୱାରା ସେଣ୍ଟିନେଲିଜ୍ ଜନଜାତି ପ୍ରତି ବିଶ୍ୱର ପୁଣି ଥରେ ଦୃଷ୍ଟି ଆକର୍ଷଣ ହୋଇଛି, ଯେଉଁମାନଙ୍କୁ ଶେଷ ପ୍ରାଗଐତିହାସିକ ଜନଜାତି ବୋଲି ବିଶ୍ୱାସ କରାଯାଏ। ଚାରିପାଖେ ସମୁଦ୍ର ଘେରି ହୋଇଥିବା ଏହି ଦ୍ୱୀପକୁ ବିମାନରୁ ଦେଖିଲେ ଯେକେହି ତା’ର ସୌନ୍ଦର୍ଯ୍ୟରେ ବିମୋହିତ ହୋଇଯିବ । ଏଠାକୁ ଯିବାପାଇଁ କୌଣସି ରାସ୍ତା ନାହିଁ । କେବଳ ସମୁଦ୍ର ମାର୍ଗରେ ହିଁ ମୃତ୍ୟୁର ଟାପୁରେ ପହଞ୍ଚିହେବ ।

ପ୍ରାୟ ଅଣଷଠି ବର୍ଗ କିଲୋମିଟର କ୍ଷେତ୍ରଫଳ ବିଶିଷ୍ଟ ଏହି ଦ୍ବୀପର ଅଧିବାସୀମାନଙ୍କ ଲାଗି ସମୟ ଯେମିତି କାହିଁ କେଉଁ କାଳରୁ ଅଟକି ଯାଇଛି । ସେମାନେ ୬୦,୦୦୦ ବର୍ଷ ପୂର୍ବରୁ ଯେମିତି ଥିଲେ, ଏବେ ବି ସେମିତି ଅପରିବର୍ତ୍ତିତ ଅବସ୍ଥାରେ ଅଛନ୍ତି । ଏହି ଟାପୁକୁ ଯିଏ ଯାଏ, ସେଠାରୁ ଜୀବନ ଧରି ଆଉ ଫେରେନାହିଁ । ବାହାରୁ ଆସୁଥିବା ଲୋକଙ୍କୁ ସେମାନେ ସର୍ବଦା ଶତ୍ରୁ ବୋଲି ଭାବନ୍ତି ଏବଂ ଧନୁତୀର, ଢେଲା ଏବଂ ନଡ଼ିଆ ନିକ୍ଷେପ କରି ହତ୍ୟା କରନ୍ତି । ସେମାନେ ଦେଖିବାକୁ କୃଷ୍ଣକାୟ ଏବଂ ଅତ୍ୟନ୍ତ ହିଂସ୍ର ପ୍ରକୃତିର । ଅନେକ ପ୍ରୟାସ ସତ୍ତ୍ୱେ ଏହି ଜନଜାତିକୁ ଆଧୁନିକ ବିଶ୍ୱ ସହିତ ଯୋଡ଼ିବାର ସମସ୍ତ ଉଦ୍ୟମ ବିଫଳ ରହିଛି।

ଭାରତ ସମେତ ପୂରା ବିଶ୍ୱ ସହ ଏହି ଟାପୁର କୌଣସି ସମ୍ପର୍କ ନାହିଁ । ଏଠାରେ ବସବାସ କରୁଥିବା ଲୋକେ ଆକାଶରେ ଉଡ଼ୁଥିବା ଉଡ଼ାଜାହଜକୁ ମଧ୍ୟ ତୀର, ପଥର ଓ ନିଆଁ ଗୁଳା ଫୋପାଡ଼ୁଥିବା କଥା ଶୁଣିବା ପାଇଁ ମିଳେ । ସେଥିପାଇଁ ଏହି ଦ୍ୱୀପପୁଞ୍ଜକୁ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି ଭାରତ ସରକାର । ବାହ୍ୟ ଅନୁପ୍ରବେଶ ଯୋଗୁଁ ଯଦି ଥଣ୍ଡା ଏବଂ କାଶ ଭଳି ଛୋଟ ସଂକ୍ରମଣ ସେଠାରେ ପହଞ୍ଚିଯାଏ, ତେବେ ଏହି ଜନଜାତି ବିଲୁପ୍ତ ହୋଇଯାଇପାରେ ବୋଲି ଭୟ ରହିଛି। ବିଶ୍ୱର ଅନେକ ଜନଜାତିଙ୍କ ସହିତ ଏପରି ଘଟିଛି, ଯେଉଁମାନେ ଘନ ଜଙ୍ଗଲରେ କିମ୍ବା ଦ୍ୱୀପପୁଞ୍ଜରେ ରହୁଥିଲେ।

କେମିତି ହେଲା ଓ କିପରି ହେଲା ?

ମିଖାଇଲୋ ଭିକ୍ଟୋରୋଭିଚ୍ ପଲିଆକୋଭ ପ୍ରଥମେ ଆଣ୍ଡାମାନର ପୋର୍ଟ ବ୍ଲେୟାରରେ ପହଞ୍ଚିଥିଲେ ଏବଂ ସେଠାରୁ ଏକ ରବର ଡଙ୍ଗା ମାଧ୍ୟମରେ ସେଣ୍ଟିନେଲ ଦ୍ୱୀପରେ ପହଞ୍ଚିଥିଲେ। ଯାତ୍ରାରେ କୌଣସି ବାଧା ନ ଆସିବା ପାଇଁ ସେ ଯିବା ପୂର୍ବରୁ ସମୁଦ୍ରର ଗତି, ପବନର ଗତି ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ପୁଙ୍ଖାନୁପୁଙ୍ଖ ଅଧ୍ୟୟନ କରିଥିଲେ । କୂଳରେ ପହଞ୍ଚିବା ପରେ ଜନଜାତିର ଲୋକଙ୍କୁ ଦେଖିବା ପାଇଁ ସେଠାରେ ପ୍ରାୟ ସେ ଗୋଟିଏ ଘଣ୍ଟା ବିତାଇଥିଲେ। ହେଲେ ଜନଜାତିର ଲୋକଙ୍କ ଦେଖା ନମଳିବା ପରେ ଏହି ଯାତ୍ରାର ଏକ ଭିଡିଓ ରେକର୍ଡ କରିବା ସହ ବାଲି ନମୁନା ସହିତ ଫେରିଛନ୍ତି ।

ଫେରିବା ସମୟରେ ସ୍ଥାନୀୟ ମତ୍ସ୍ୟଜୀବୀମାନେ ତାଙ୍କୁ ଦେଖିନେଇଥିଲେ, ସେମାନେ ପୋଲିସକୁ ତୁରନ୍ତ ଏନେଇ ଖବର ଦେଇଥିଲେ। ତେବେ ଏହା ପ୍ରଥମ ଥର ନୁହେଁ, ଗତ ଅକ୍ଟୋବର ମାସରେ ମଧ୍ୟ ପଲିଆକୋଭ ସମାନ ପ୍ରୟାସ କରିଥିବା ବୋଲି ଜଣାପଡ଼ିଛି। ବର୍ତ୍ତମାନ ତାଙ୍କର ଉଦ୍ଦେଶ୍ୟ କ’ଣ ତାହା ଜାଣିବା ପାଇଁ ତାଙ୍କୁ ହେପାଜତରେ ପଚରାଉଚରା କରାଯାଉଛି ।

ଅଧିକ ପଢ଼ନ୍ତୁ: ପିଏମ ଆବାସ ଯୋଜନାରେ ଘର କରିପାରୁନାହାନ୍ତି ଆଦିମ ଜନଜାତି ଡଙ୍ଗରିଆ କନ୍ଧ

କାହିଁକି ହୋଇପାରେ ଘାତକ ?

ଏହି ଜନଜାତି ହଜାର ହଜାର ବର୍ଷ ଧରି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛନ୍ତି। ସେମାନେ ଆଧୁନିକ ବିଶ୍ୱର ସାଧାରଣ ଭାଇରସ ସହିତ ଲଢ଼ିବା ପାଇଁ ମଧ୍ୟ ସକ୍ଷମ ନୁହଁନ୍ତି। ଥଣ୍ଡା କିମ୍ବା କାଶ ଭଳି ରୋଗ ଆମ ପାଇଁ ସାଧାରଣ ହୋଇପାରେ, କିନ୍ତୁ ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ବିପଦପୂର୍ଣ୍ଣ । ଯଦି କୌଣସି ବାହାର ଲୋକ ସଂକ୍ରମଣ ନେଇ ଦ୍ୱୀପକୁ ଆସନ୍ତି, ତେବେ ଏହି ଲୋକମାନଙ୍କ ମଧ୍ୟରେ ରୋଗ ବ୍ୟାପିପାରେ। ସେମାନଙ୍କ ପାଖରେ ନା ଔଷଧ ଅଛି ନା ପରୀକ୍ଷା ନିରୀକ୍ଷା ସୁବିଧା, ଏପରି ପରିସ୍ଥିତିରେ ବାହ୍ୟ ସଂକ୍ରମଣ ଯୋଗୁଁ ସମଗ୍ର ସମ୍ପ୍ରଦାୟ ଧ୍ୱଂସ ପାଇଯିବାର ଆଶଙ୍କା ରହିଛି। ଏହି କାରଣରୁ ଭାରତ ସରକାର ପଚାଶ ଦଶକରୁ ଏହି ଦ୍ୱୀପରେ ବାହାର ଲୋକଙ୍କ ପ୍ରବେଶକୁ ନିଷେଧ କରିଛନ୍ତି, ଯାହା ଦ୍ଵାରା ଜନଜାତିଙ୍କ ସୁରକ୍ଷା ସୁନିଶ୍ଚିତ ହୋଇପାରିବ।

ପୂର୍ବରୁ ମଧ୍ୟ ଅନୁପ୍ରବେଶ ଉଦ୍ୟମ ହୋଇଛି

୧୯୫୬ରେ ସ୍ୱାଧୀନ ଭାରତରେ ପ୍ରତିବନ୍ଧକ ଲଗାଇବା ପୂର୍ବରୁ ୧୮୮୦ ମସିହାରେ ଜଣେ ବ୍ରିଟିଶ ଅଧିକାରୀ ସେମାନଙ୍କୁ ବାହାରକୁ ଆଣିବାକୁ ଉଦ୍ୟମ କରିଥିଲେ । ସେଠାରୁ ଦୁଇ ଜଣ ବୟସ୍କ ଓ ଚାରି ଜଣ ସେଣ୍ଟିନେଲିଜ୍ ଛୁଆଙ୍କୁ ବଳପୂର୍ବକ ସାଙ୍ଗରେ ନେଇ ଆସିଥିଲେ । ସେମାନଙ୍କୁ ଆଧୁନିକ ସମାଜ ସହିତ ଯୋଡ଼ିବା ତାଙ୍କର ଉଦ୍ଦେଶ୍ୟ ଥିଲା । କିନ୍ତୁ ସେମାନେ ମୂଳ ଭୂଖଣ୍ଡରେ ପହଞ୍ଚିବାର ଅଳ୍ପ ଦିନ ମଧ୍ୟରେ ରୋଗଗ୍ରସ୍ତ ହୋଇ ବୟସ୍କ ଦୁଇ ଜଣ ପ୍ରାଣ ହରାଇଥିଲେ । ଏଥିରେ ବିଚଳିତ ହୋଇ ଛୁଆଙ୍କୁ ତୁରନ୍ତ ସେହି ଦ୍ବୀପରେ ଛାଡ଼ି ଦିଆଗଲା। ହେଲେ ସେମାନଙ୍କର ଅବସ୍ଥା କ’ଣ ହେଲା, ତାହା ଜଣା ନାହିଁ।

୧୯୭୪ ମସିହାରେ ନ୍ୟାସନାଲ ଜିଓଗ୍ରାଫିର ଏକ ଦଳ ସେଣ୍ଟିନେଲ ଦ୍ବୀପର ନିକଟବର୍ତ୍ତୀ ହେବା ବେଳକୁ ଜନଜାତି ଦ୍ବାରା ତୀର ବର୍ଷାର ସମ୍ମୁଖୀନ ହୋଇ ସେଠାରୁ ପ୍ରାଣ ବଞ୍ଚାଇ ପଳାୟନ କରିବାକୁ ବାଧ୍ୟ ହୋଇଥିଲେ। ସେହିପରି ୧୯୮୧ରେ ଗୋଟିଏ ଜାହାଜ ସେଣ୍ଟିନେଲ ଦ୍ୱୀପ ନିକଟରେ ଅଚଳ ହୋଇଯିବା ପରେ ସେଣ୍ଟିନେଲିଜ୍ ମାନଙ୍କ ଆକ୍ରମଣ ଉଦ୍ୟମ ପରେ ସେଥିରେ ଥିବା ୨୮ ଜଣ କର୍ମଚାରୀଙ୍କୁ ହେଲିକପ୍ଟର ଯୋଗେ ଉଦ୍ଧାର କରିବାକୁ ପଡ଼ିଥିଲା।

୨୦୦୬ରେ କିଛି ମତ୍ସ୍ୟଜୀବୀ ଭୁଲରେ ସେହି ମୃତ୍ୟୁର ଟାପୁରେ ପହଞ୍ଚି ଯାଇଥିଲେ । ଏହାପରେ ସେମାନଙ୍କ କୌଣସି ଖୋଜଖବର ମିଳିନଥିଲା । ଏହି ଜନଜାତିର ଲୋକେ ସାରା ବିଶ୍ୱରୁ ଭିନ୍ନ ହୋଇ ରୁହନ୍ତି । ତାଙ୍କ ରୀତିନୀତି, ଭାଷା, ବ୍ୟବହାର, ଚାଲିଚଳନ ବିଷୟରେ କାହାକୁ ଜଣାନାହଁ । ପାଖାପାଖି ୬୦ ହଜାର ଲୋକ ଏଠାରେ ବାସ କରନ୍ତି ବୋଲି କୁହାଯାଏ । ଏମାନଙ୍କୁ କୌଣସି ପ୍ରକାର ପରିବର୍ତ୍ତନ ପସନ୍ଦ ନାହିଁ । ଏବେ ପର୍ଯ୍ୟନ୍ତ ଯେତେ ଲୋକ ତାଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ପହଞ୍ଚିଛନ୍ତି କେହି ଜୀବନ୍ତ ଫେରିପାରି ନାହାନ୍ତି ।

୨୦୧୮ ମସିହାରେ ଜନ୍ ଆଲେନ କାଓ ନାମକ ଜଣେ ଧର୍ମଯାଜକ ଏହି ଆଦିମ ଅଧିବାସୀଙ୍କୁ ନୂଆ ଯୁଗ ସହ ସାମିଲ କରିବା ଲାଗି ସେଠାକୁ ଯାଇଥିଲେ। କିନ୍ତୁ ସେଣ୍ଟିନେଲିଜମାନେ ତାଙ୍କୁ ହତ୍ୟା କରି ସେଠାରେ ପୋଡ଼ି ଦେଇଥିଲେ।

ପୂର୍ବରୁ ବ୍ରିଟିଶ ସର୍ଭେ ଦଳ ସମୟ ସମୟରେ ଦ୍ୱୀପ ଚାରିପାଖରେ ପାଟ୍ରୋଲିଂ କରୁଥିଲେ, କିନ୍ତୁ ଯେତେବେଳେ ସେମାନେ ନିକଟତର ହେଉଥିଲେ ସେଣ୍ଟିନେଲିଜମାନେ ତୀର ମାରିବା ଆରମ୍ଭ କରିଦେଉଥିଲେ। ଏଥରୁ ସ୍ପଷ୍ଟ ହୋଇଯାଇଥିଲା ଏହି ସମ୍ପ୍ରଦାୟ ବାହ୍ୟ ହସ୍ତକ୍ଷେପ ଚାହୁଁ ନାହାନ୍ତି ।

ଭାରତ ସରକାର ଆଣିଥିଲେ ସୁରକ୍ଷା ନିୟମ

ସ୍ୱାଧୀନତା ପରେ ମଧ୍ୟ ଗବେଷଣା ପାଇଁ ଅନେକ ପ୍ରୟାସ କରାଯାଇଥିଲା। ଯେପରି କୂଳରେ ଉପହାର ଛାଡ଼ି ସେମାନଙ୍କ ନିକଟତର ହେବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ସେଣ୍ଟିନେଲିଜ୍‌ଙ୍କ ବାହ୍ୟ ଜଗତ ସହ କୌଣସି ସମ୍ପର୍କ ରଖିବା ପାଇଁ ଚାହୁଁନଥିଲେ । ବାହର ଲୋକଙ୍କୁ ଦେଖିଲେ, ସେମାନେ ତୀର ମାରିବା ସହ ଚିତ୍କାର କରି ଜଙ୍ଗଲକୁ ଦୌଡ଼ି ଯାଉଥିଲେ। ବନ୍ଧୁତାର ଏହି ମିଶନ ସମୟରେ ଅନେକ ଲୋକ ଅସୁବିଧାରେ ମଧ୍ୟ ଫସି ଯାଇଥିଲେ । ଏହା ପରେ ସେଠାକୁ ଯିବାକୁ ବାହାରିଥିବା କିଛି ଦୁଃସାହସୀ ଲୋକଙ୍କ ଦୁଃଖଦ ଅନ୍ତ ପରେ ଭାରତ ସରକାର ୧୯୯୬ ମସିହାରେ ଜନଜାତି ସୁରକ୍ଷା ନିୟମ(ANPATR) ଆଣିଥିଲେ, ସେବେଠାରୁ ଏହି ଦ୍ୱୀପକୁ ବାହାର ଲୋକଙ୍କ ପ୍ରବେଶକୁ ନିଷେଧ କରାଯାଇଥିଲା । ସେଣ୍ଟିନେଲିଜଙ୍କ ସୁରକ୍ଷା ପାଇଁ ଏବେ ସୁଦ୍ଧା ଭାରତୀୟ ନୌସେନା ଦିନ ରାତି ଚବିଶ ଘଣ୍ଟା ସେଠାରେ ପହରା ଦେଉଛନ୍ତି।

ଅଧିକ ପଢ଼ନ୍ତୁ: ରାୟଗଡ଼ା ରେଳ ଡିଭିଜନ୍ ବିଲଡିଂର ଶିଳାନ୍ୟାସ କଲେ ମୋଦି; ‘ଜନଜାତି ସଂପ୍ରଦାୟ ପାଇବେ ବେଶି ଉପକାର’