• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଦ୍ୱିତୀୟ ଥର ପାଇଁ ଶାସନଭାର ଗ୍ରହଣ କରିବା ପରେ ଏବେ ଯୋଗୀ ସରକାରଙ୍କ ଟାର୍ଗେଟ୍‌ରେ ଅପରାଧୀ। ଉତ୍ତରପ୍ରଦେଶକୁ ଅପରାଧ ମୁକ୍ତ କରିବା ପାଇଁ ଯୋଗୀ ସରକାର ଏବେ ଅଣ୍ଟା ଭିଡ଼ିଥିବା ଦେଖିବାକୁ ମିଳିଛି। ଅପରାଧୀଙ୍କୁ ଧରିବା ଲାଗି ପୋଲିସ୍‌ ପ୍ରଶାସନ ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ ଚଳାଇ ଥିବାବେଳେ ଅପରାଧୀମାନେ ମଧ୍ୟ ଏନ୍‌କାଉଣ୍ଟର ଭୟରେ ପୋଲିସ୍‌ ନିକଟରେ ସରେଣ୍ଡର(ଆତ୍ମସମର୍ପଣ) କରୁଥିବା ସୂଚନା ମିଳିଛି।  

ମୈନପୁରୀ ଅଞ୍ଚଳର ୨ ଜଣ ଲୁଟେରା ପୋଲିସ୍‌ ନିକଟରେ ଆତ୍ମସମର୍ପଣ କରିଛନ୍ତି। ମୈନପୁରୀ ଅଞ୍ଚଳରୁ ଧରାପଡ଼ି ଥିବା ଏହି ଦୁର୍ବୃତ୍ତ ହାତରେ ପୋଷ୍ଟର ଧରି ଆତ୍ମସମର୍ପଣ କରିବା ଲାଗି ଏସ୍‌ପି ଅଫିସରେ ପହଞ୍ଚି ଥିଲେ। ପୋଷ୍ଟରରେ ଯେଉଁଥିରେ ଉଲ୍ଲେଖ ଥିଲା, ‘ପୋଲିସ୍‌ ଆମର ଏନ୍‌କାଉଣ୍ଟର କରିଦେବ। ଆମକୁ ବଞ୍ଚାଅ। ଆମେ ଲୁଟେରା, ଆମକୁ ଜେଲ୍‌ ପଠାଇ ଦିଅ’। ପୋଲିସ୍‌ ନିକଟରେ ଆତ୍ମସମର୍ପଣ କରିଥିବା ଏହି ୨ ଲୁଟେରା ମୈନିପୁରୀର କିଶନୀ ଅଞ୍ଚଳରେ ଲୁଟ୍‌ କରିଥିଲେ। ସେବେଠାରୁ ପୋଲିସ୍‌ ଓ ସର୍ଭିଲାନ୍ସ ଟିମ୍‌ ଲୁଟେରାଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ ଚଳାଇ ଥିଲା। 

ମିଳିଥିବା ସୂଚନା ଅନୁସାରେ, ଗତ ମାର୍ଚ୍ଚ ୨୮ ତାରିଖରେ ସାମ୍ନାକୁ ଆସିଥିଲା ଯେ, ଦ୍ୱିତୀୟ ଥର ପାଇଁ ଯୋଗୀ ସରକାର ଶାସନ ଭାର ଗ୍ରହଣ କରିବାର ୧୪ ଦିନ ମଧ୍ୟରେ ୫୦ରୁ ଅଧିକ ଅପରାଧୀ ବୁଲ୍‌ଡୋଜର ଭୟରେ ପୋଲିସ୍‌ ନିକଟରେ ଆତ୍ମସମର୍ପଣ କରିଥିଲେ। ଯେଉଁ ଅଭିଯୁକ୍ତମାନେ ଫେରାର ଥିଲେ, ସେମାନଙ୍କ ଘର ସାମ୍ନାରେ ବୁଲ୍‌ଡୋଜର ପହଞ୍ଚିବା ପରେ ଭୟରେ ସେମାନେ ପୋଲିସ୍‌ ନିକଟରେ ଆସି ଆତ୍ମସର୍ପଣ କରିଥିଲେ। 

ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇବା ପରେ ଲଗାତାର ଭାବେ ଅପରାଧୀମାନେ ଫେରାର ହେବାରେ ସଫଳ ହେଉଥିଲେ। ସେମାନଙ୍କ ବିରୋଧରେ ୱାରେଣ୍ଟ୍‌ ଜାରି ହେବା ସତ୍ତ୍ୱେ ମଧ୍ୟ ସେମାନେ ଧରାଛୁଆଁ ଦେଉନଥିଲେ। ଫଳରେ ଅପରାଧ କରି ଅର୍ଜନ କରିଥିବା ସମ୍ପତ୍ତି ଉପରେ ଯେତେବେଳେ ବୁଲ୍‌ଡୋଜର ଚଲାଇବା ଲାଗି ପ୍ରଶାସନ ନିଷ୍ପତ୍ତି ନେଉଥିଲା, ସେତେବେଳେ ସେମାନେ ପୋଲିସ୍‌ ହାତରେ ଧରା ଦେଉଥିଲେ। 

ୟୁପିରେ ଯୋଗୀ ସରକାର ଦ୍ୱିତୀୟ ଥର ପାଇଁ ଶାସନ ଭାର ଗ୍ରହଣ କରିବା ପରେ ଏନ୍‌କାଉଣ୍ଟର ଭୟରେ ଗତ ମାର୍ଚ୍ଚ ୨୩ରୁ ପାଖାପାଖି ୧୮ ଜଣ ଅପରାଧୀ ଆତ୍ମସମର୍ପଣ କରିସାରିଲେଣି। ଏମାନଙ୍କ ମଧ୍ୟରେ ଅନେକ ଗ୍ୟାଙ୍ଗଷ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଅଛନ୍ତି। ଜୀବନରେ କେବେ ଆଉ ଅପରାଧ କରିବେ ନାହିଁ ବୋଲି ଏମାନେ ପୋଲିସ୍‌ ନିକଟରେ ଶପଥ ନେଇଛନ୍ତି।