• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଇସିନା ହିଲରେ ରହିଛି ଦେଶର ସର୍ବୋଚ୍ଚ ଆସନର ଅଧିପତି ମହାମହିମ ରାଷ୍ଟ୍ରପତିଙ୍କ ବାସଭବନ । ଯାହାକି ଏବେ ଦ୍ରୌପଦୀ ମୁର୍ମୁଙ୍କ ନୂଆ ଠିକଣା । ରାଷ୍ଟ୍ରପତି ଭବନ ଖାଲି ଦିଲ୍ଲୀର ନୁହେଁ, ସାରା ଦେଶର ଉଲ୍ଲେଖନୀୟ ସୌଧ ମଧ୍ୟରୁ ସର୍ବୋତ୍ତମ, ଅନନ୍ୟ ଓ ଅଦ୍ୱିତୀୟ ।

ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ପ୍ରଥମ ନାଗରିକଙ୍କ କାର୍ଯ୍ୟାଳୟ ଓ ବାସଭବନ ବାହାରୁ ଦେଖିବାକୁ ଯେତିକି ବିଶାଳ, ଭିତରୁ ସେତିକି ଆକର୍ଷଣୀୟ ଓ ଚିତାକର୍ଷକ । ସ୍ୱାଧୀନତାର ପ୍ରାୟ ୨ ଦଶନ୍ଧି ପୂର୍ବରୁ ଅର୍ଥାତ୍ ୧୯୨୯ ମସିହାରେ ନିର୍ମିତ ଏହି ରାଷ୍ଟ୍ରପତି ଭବନରେ ଭାରତର ଇତିହାସର ଛାପ ଯେମିତି ସୁସ୍ପଷ୍ଟ, ବର୍ତ୍ତମାନର ଆଧୁନିକ ସୁବିଧାସୁଯୋଗ ବି ସେତିକି ଉପଲବ୍ଧ । ୩୩୦ ଏକର ପରିମିତ ପରିସରରେ ରହିଛି ଏହି ୩୪୦ କକ୍ଷ ବିଶିଷ୍ଟ ଭବ୍ୟ ସୌଧ । ଯେଉଁଠି ରହିଛିପ୍ରାୟ ଅଢ଼େଇ କିଲୋମିଟର ଦୀର୍ଘ କରିଡର୍ ।

ପୂର୍ବତନ ରାଷ୍ଟ୍ରପତିମାନେ ସେମାନଙ୍କ କାର୍ଯ୍ୟକାଳ ବେଳେ ଦେଶବିଦେଶରୁ ପାଇଥିବା ସୁନ୍ଦର ଉପହାର ସବୁ ଏହାକୁ ଲାଗି ରହିଛି । ମର୍ଣ୍ଣିଂ ରୁମ୍, ଯେଉଁଠି ଅତିଥି ମାନଙ୍କୁ ସାକ୍ଷାତ କରନ୍ତି ରାଷ୍ଟ୍ରପତି । ଏଥିସହ ରହିଛି କମିଟି ରୁମ୍ ଓ ସାଉଥ୍ ଡ୍ରଇଂ ରୁମ୍ ଇତ୍ୟାଦି । ଆଉ ଅନେକଙ୍କ ପରିଚିତ ଦରବାର ହଲ୍ । ଏଠି ଶପଥ ନେଇଥିଲେ ସ୍ୱାଧୀନ ଭାରତର ପ୍ରଥମ ସରକାର । ଏବେ ସେଠାରେ ବିଭିନ୍ନ ସାମରିକ ଓ ବେସାମରିକ ସମ୍ମାନ ଓ ପୁରସ୍କାର ପ୍ରଦାନ କରାଯାଏ ।

ଏହାକୁ ଲାଗି ରହିଛି ପାଠାଗାର, ଯାହାକୁ ଦରବାର ହଲର ଝିଅ ବୋଲି କହୁଯାଏ । ଆଉ ଏହି ବିଶାଳ ଅଶୋକା ହଲରେ ବିଦେଶୀ ଅତିଥି ଓ ରାଷ୍ଟ୍ରଦୂତଙ୍କ ସହ ବୈଠକ କରନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି ଭବନର ସୌଧ ଯେତିକି ଭବ୍ୟ, ଏହାର ଉଦ୍ୟାନ ବି ସେତିକି ରମଣୀୟ । ୧୯୦ ଏକର ପରିମିତ ଉଦ୍ୟାନ ରହିଛି । ଏହି ପରିସରରେ ଭାରତର ରାଷ୍ଟ୍ରପତି ଭବନର ସାରା ବିଶ୍ୱରେ ଗାରିମା ରହିଛି । କାରଣ ଏହା ହେଉଛି ବିଶ୍ୱର କୌଣସି ରାଷ୍ଟ୍ରମୁଖ୍ୟଙ୍କ ସର୍ବବୃହତ ସରକାରୀ ବାସଭବନ ।