/odishatv-khabar/media/post_attachments/uploadimage/library/16_9/16_9_0/IMAGE_1662209823.jpg)
Nirmala Sitharaman
ଜିଲ୍ଲାପାଳଙ୍କୁ ଟ୍ୟୁସନ କଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ନିର୍ମଳାଙ୍କ ପ୍ରଶ୍ନବାଣରେ ଘାଇଲା ହୋଇଗଲେ ତେଲେଙ୍ଗାନାର କାମାରେଡି ଜିଲ୍ଲା ମାଜିଷ୍ଟ୍ରେଟ ଜିତେଶ ପାଟିଲ । ଏପରିକି ସମସ୍ତଙ୍କ ସମ୍ମୁଖରେ ଅର୍ଥ ମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ଜିଲ୍ଲାପାଳ ଦେଇ ନ ପାରିବାରୁ ରାଗିଗଲେ ସୀତାରମଣ। ଅଧ ଘଣ୍ଟା ମଧ୍ୟରେ ଏହାର ଉତ୍ତର ଦେବାକୁ ଜିଲ୍ଲାପାଳଙ୍କୁ କଡ଼ା ଭାଷାରେ ଶୁଣାଇଦେଲେ ଅର୍ଥ ମନ୍ତ୍ରୀ । ଏପରି ଅଭାବନୀୟ ସ୍ଥିତି ତେଲେଙ୍ଗାନାର କାମାରେଡି ଜିଲ୍ଲାରେ ଦେଖିବାକୁ ମିଳିଛି ।
ସୀତାରମଣ ଗତକାଲି ତେଲେଙ୍ଗାନାର ଜହିରାବାଦ ସାଂସଦୀୟ ନିର୍ବାଚନମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ କାମାରେଡି ଜିଲ୍ଲା ମାଜିଷ୍ଟ୍ରେଟ ଓ ଜିଲ୍ଲାପାଳ ଜିତେଶ ପାଟିଲଙ୍କୁ ସେ ଗୁଡ଼ାଇତୁଡ଼ାଇ ପ୍ରଶ୍ନ କରିଥିଲେ । ଖୋଲା ବଜାରରେ ୩୫ ଟଙ୍କାରେ ମିଳୁଥିବା ଚାଉଳ ପିଡିଏସ୍ ମାଧ୍ୟମରେ ଲୋକଙ୍କୁ ଟଙ୍କାକରେ ଯୋଗାଇ ଦିଆଯାଉଛି । ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭାଗ କେତେ ? ଏଥିନିମନ୍ତେ କିଏ କେତେ ଭାର ବହନ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ ଅର୍ଥ ମନ୍ତ୍ରୀ ।
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏପରି ପ୍ରଶ୍ନବାଣରେ ଘାଇଲା ହୋଇଯାଇଥିଲେ ଜିଲ୍ଲା ମାଜିଷ୍ଟ୍ରେଟ ଜିତେଶ ପାଟିଲ । ସୀତାରମଣଙ୍କ ପ୍ରଶ୍ନର ସେ କୌଣସି ଉତ୍ତର ଦେଇପାରି ନଥିଲେ । ଏହାବାଦ ବିରକୁରରେ ପିଡିଏସ୍ ଦୋକାନରେ କାହିଁକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିତ୍ର ହଜିଯାଉଛି ବୋଲି ପଚାରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ।
ସୀତାରମଣ କହିଛନ୍ତି ଯେ, ଚାଉଳ କେଜି ପ୍ରତି କେନ୍ଦ୍ର ସରକାର ପ୍ରାୟ ୩୦ ଟଙ୍କା ଦେଉଥିବା ବେଳେ ରାଜ୍ୟ ସରକାର ୪ ଟଙ୍କା ଦେଉଛନ୍ତି । ହିତାଧିକାରୀଙ୍କ ଠାରୁ ଅବଶିଷ୍ଟ ଟଙ୍କାଟେ ଆଦାୟ କରାଯାଉଛି । ୨୦୨୦ ମାର୍ଚ୍ଚ-ଏପ୍ରିଲରୁ ରାଜ୍ୟ ସରକାର ଏବଂ ହିତାଧିକାରୀଙ୍କ ଅବଦାନ ବିନା ୩୦ରୁ ୩୫ ଟଙ୍କା ମୂଲ୍ୟରେ ମାଗଣା ଚାଉଳ କେନ୍ଦ୍ର ସିଧାସଳଖ ହିତାଧିକାରୀଙ୍କୁ ଯୋଗାଯାଉଛି ।
ସେ ଆହୁରି କହିଛନ୍ତି ଯେ, ଲଜିଷ୍ଟିକ୍ ଏବଂ ଷ୍ଟୋରେଜ୍ ଆଦି ଖର୍ଚ୍ଚ କେନ୍ଦ୍ର ସରକାର ବହନ କରି ପିଡିଏସ୍ ଦୋକାନରେ ଚାଉଳ ପହଞ୍ଚାଉଛନ୍ତି। ତେଣୁ ପ୍ରକୃତ ହିତାଧିକାରୀଙ୍କ ନିକଟରେ ମାଗଣା ଚାଉଳ ପହଞ୍ଚୁଛି କି ନାହିଁ ତାହାର ତଦନ୍ତ ନିହାତି ଆବଶ୍ୟକ ।
ଏହି ପ୍ରସଙ୍ଗ ଏବେ ଖୁବ୍ ଚର୍ଚ୍ଚା ହେଉଥିବା ବେଳେ ତେଲେଙ୍ଗାନା ସ୍ୱାସ୍ଥ୍ୟମନ୍ତ୍ରୀ ଟି ହରିଶ ରାଓ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଚିତ୍ରକୁ ରାସନ ଦୋକାନରେ ରଖିବାକୁ କହିବା କେନ୍ଦ୍ରମନ୍ତ୍ରୀଙ୍କ ପକ୍ଷରେ ଅନୁଚିତ । ତାଙ୍କ କହିବାନୁସାରେ, କେନ୍ଦ୍ର NFSA ଅଧୀନରେ କେବଳ ୫୦ରୁ ୫୫% କାର୍ଡଧାରୀଙ୍କୁ ୧୦ କିଲୋଗ୍ରାମ ଚାଉଳ ପ୍ରତି ମାସରେ ୩ ଟଙ୍କା ହିସାବରେ ଯୋଗାଯାଏ । ଅବଶିଷ୍ଟ ୪୫-୫୦% କାର୍ଡଧାରୀଙ୍କୁ ତେଲେଙ୍ଗାନା ସରକାର ନିଜ ଖର୍ଚ୍ଚରେ ଚାଉଳ ଯୋଗାଉଛନ୍ତି ।
ରାଓ କହିଛନ୍ତି, ‘କେନ୍ଦ୍ର ଅର୍ଥ ମନ୍ତ୍ରୀ ଏପରି କହିବା ଅତ୍ୟନ୍ତ ହାସ୍ୟାସ୍ପଦ । ସେ ଯାହା କହୁଛନ୍ତି ତାହା ପ୍ରଧାନମନ୍ତ୍ରୀଙ୍କ ଗରିମାକୁ ହ୍ରାସ କରୁଛି । ଏଥିସହ ପ୍ରଧାନମନ୍ତ୍ରୀଙ୍କ ଚିତ୍ରକୁ ରାସନ ଦୋକାନରେ ରଖିବାକୁ କହିବା ଠିକ୍ ନୁହେଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)