• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କର୍ମଚାରୀଙ୍କୁ ଦରମା ନଦେଇ ପାରିବାରୁ ନିଜ ଘର ବନ୍ଧକ ରଖିଲେ । ଦେବାଳିଆ ହେବା ଅବସ୍ଥାରେ ଶିକ୍ଷା ପ୍ଲାଟଫର୍ମ ବାଏଜୁ । ନିଜର କର୍ମଚାରୀମାନଙ୍କୁ ଦରମା ଦେବାରେ ଅକ୍ଷମ ଦେବାରୁ ନିଜ ଘରକୁ ବନ୍ଧକ ରଖି ଲୋନ ଆଣିଛନ୍ତି ଏହାର ପ୍ରତିଷ୍ଠାତା । ନିଜ ପରିବାରବର୍ଗଙ୍କ ନାମରେ ଥିବା ଘରକୁ ବନ୍ଧକ ରଖି ଦେଇଛନ୍ତି । ଏଡଟେକ ଟାଇଟାନ ବାଏଜୁର ପ୍ରତିଷ୍ଠାତା ବାଏଜୁ ରବୀନ୍ଦ୍ରନ ନିଜର କର୍ମଚାରୀଙ୍କ ଦରମା ପାଇଁ ଘର ବନ୍ଧକ ରଖିଦେଇଛନ୍ତି ।

ବେଙ୍ଗାଲୁରୁରେ ରବୀନ୍ଦ୍ରନଙ୍କର ଦୁଇଟି ଘର ରହିଛି । ଏହା ସହ ଅନ୍ୟ ଏକ କୋଠା ମଧ୍ୟ ନିର୍ମାଣଧୀନ ଅବସ୍ଥାରେ ରହିଛି । ଦୁଇଟି ଘରକୁ ବନ୍ଧକ ରଖିବା ପାଇଁ ରବୀନ୍ଦ୍ରନଙ୍କୁ ୧୨ ମିଲିୟନ ଡଲାର ଅର୍ଥାତ ପ୍ରାୟ ୧୦୦ କୋଟି ଟଙ୍କା ମିଳିଛି । ଏହି ଟଙ୍କାରେ ସେ ନିଜର ୧୫ ହଜାର କର୍ମଚାରୀଙ୍କୁ ଦରମା ଦେଇଛନ୍ତି । ଗତ ସୋମବାର ଏନେଇ ଖବର ମିଳିଛି । ୪ ଦିନ ବିଳମ୍ବରେ କର୍ମଚାରୀଙ୍କୁ ଦରମା ମିଳିଥିବା ଜଣା ପଡ଼ିଛି ।

କମ୍ପାନୀକୁ ବଜାୟ ରଖିବା ଓ ଆର୍ଥିକ ଚାପକୁ ହ୍ରାସ କରିବା ପାଇଁ ବାଏଜୁ ପ୍ରତିଷ୍ଠାତା ଏପରି ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି । ରବୀନ୍ଦ୍ରନ ନିଜ ସେୟାରକୁ ବନ୍ଧକ ରଖି ୪୦୦ ମିଲିୟନ ଡଲାର ଯୋଗାଡ଼ କରିଛନ୍ତି । ଅତୀତରେ ସେ ପାଇଥିବା ୮୦୦ ମିଲିୟନ ଡଲାରକୁ ମଧ୍ୟ ସାରି ଦେଲେଣି । ବାଏଜୁକୁ ବଞ୍ଚାଇବା ପାଇଁ ଏହାର ପ୍ରତିଷ୍ଠାତା ସାଧ୍ୟମତେ ସଂଘର୍ଷ କରୁଛନ୍ତି ।

କିଛି ବର୍ଷ ପୂର୍ବେ କମ୍ପାନୀର ମୂଲ୍ୟ ୨୨୦୦ କୋଟି ଡଲାର ଥିଲା । ବର୍ତ୍ତମାନ ତାହା ୮୪୦ କୋଟିକୁ ହ୍ରାସ ପାଇ ସାରିଲାଣି । ଋଣ ଆଣିଥିବା ଅର୍ଥ ସୁଝିବା ପାଇଁ ମଧ୍ୟ କମ୍ପାନୀର ସଂଘର୍ଷ ଜାରି ରହିଛି । ଗତ କିଛି ଦିନ ତଳେ ଭାରତୀୟ ଦଳର ଜର୍ସି ପାଇଁ ବିସିସିଆଇକୁ ୧୫୮ କୋଟି ଟଙ୍କା ଦେଇନଥିବା ଖବର ପ୍ରକାଶ ପାଇଥିଲା ।

ବିଗତ କିଛି ଦିନରେ ରବୀନ୍ଦ୍ରନ ନିଜ କମ୍ପାନୀକୁ ନେଇ ଆକାଶରେ ପହଞ୍ଚାଇଛନ୍ତି । ବାଏଜୁ ବର୍ତ୍ତମାନ ଶିକ୍ଷା ସମ୍ବନ୍ଧରେ ଏକ ଲୋକପ୍ରିୟ ପ୍ଲାଟଫର୍ମ ଭାବେ ଉଭା ହୋଇଛି । କିନ୍ତୁ ଗତ କିଛିଦିନ ହେବ କମ୍ପାନୀ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି । କରୋନା ମହାମାରୀ ସମୟରେ ଲକ ଡାଉନ ଥିବା ବେଳେ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ପାଠପଢ଼ା ଜାରି ରଖି ବାଏଜୁ ଚହଳ ସୃଷ୍ଟି କରିଥିଲା ।

ଏପରି ସଙ୍କଟ ସମୟରେ ବାଏଜୁ ଦେଶର ଘରେ ଘରେ ପହଞ୍ଚି ପାରିଥିଲା । କମ୍ପାନୀ ସେହି ସମୟରେ ବହୁକମ୍ପାନୀକୁ ନିଜ ଅଧିଗ୍ରହଣରେ ଆଣିଥିଲା । କରୋନା ପରଠାରୁ ବାଏଜୁର କଳେବର ବଢ଼ି ଯାଇଥିଲା । କିନ୍ତୁ ବର୍ତ୍ତମାନ ବାଏଜୁ ତିଷ୍ଠି ରହିବାକୁ ସଂଘର୍ଷ କରୁଛି ।