• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ୟୁକ୍ରେନ୍ ବିରୁଦ୍ଧରେ ଋଷିଆର ଯୁଦ୍ଧ ଘୋଷଣା ପର ରାଜଧାନୀ କିଭ୍‌ରେ ରହୁଥିବା ଭାରତୀୟଙ୍କ ସୁରକ୍ଷା ଚିନ୍ତା ବଢିବାରେ ଲାଗିଛି । ଏଠାରେ ପଢୁଥିବା ଛାତ୍ରଛାତ୍ରୀ ଚିନ୍ତାରେ ଥିବା ବେଳେ ଆଶା ଆଶଙ୍କା ମଧ୍ୟରେ ରହିଛନ୍ତି ସେମାନଙ୍କ ପରିବାର । ତେବେ ବିଚଳିତ ନହୋଇ ନିଜ ନିଜ ଘରେ ସୁରକ୍ଷିତ ରହିବାକୁ ନିର୍ଦ୍ଦେଶନାମା ଜାରି କରିଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ।

ଭାରତୀୟଙ୍କ ସହ ଯୋଗାଯୋଗ ଓ ସହାୟତା ଲାଗି ନୂଆଦିଲ୍ଲୀରେ ଥିବା କଣ୍ଟ୍ରୋଲରୁମ୍‌ର ସଂପ୍ରସାରଣ କରାଯାଇଛି । ଅନ୍ୟପକ୍ଷରେ କାଲି ନୂଆଦିଲ୍ଲୀ ଆସିଥିବା ଏୟାର ଇଣ୍ଡିଆ ଫ୍ଲାଇଟ୍‌ରେ କିଛି ଓଡିଆ ଛାତ୍ରଛାତ୍ରୀ ଫେରିଥିବାବେଳେ ଅନ୍ୟମାନେ ଉଦ୍ଧାର ଅପେକ୍ଷାରେ ରହିଛନ୍ତି । ସେମାନଙ୍କୁ ତୁରନ୍ତ ଉଦ୍ଧାର ଲାଗି ବ୍ୟବସ୍ଥା କରିବାକୁ ଛାତ୍ରଛାତ୍ରୀ ଓଟିଭି ଜରିଆରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଅପିଲ୍ କରିଛନ୍ତି ।

ୟୁକ୍ରେନ୍-ଋଷିଆ ଯୁଦ୍ଧ ମଧ୍ୟରେ ଭାରତୀୟଙ୍କ ସୁରକ୍ଷା ଚିନ୍ତା ଖାସ୍ କରି ୟୁକ୍ରେନ୍‌ରେ ରହୁଥିବା ଭାରତୀୟଙ୍କ ଲାଗି ଆଡଭାଇଜରୀ ଜାରି କରିଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ୟୁକ୍ରେନ ସ୍ଥିତିକୁ ଅନିଶ୍ଚିତତାପୂର୍ଣ୍ଣ କହିବା ସହ ବିବ୍ରତ ନହୋଇ ସୁରକ୍ଷିତ ରହିବାକୁ କୁହାଯାଇଛି। ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା ନକରି ନିଜ ନିଜ ଘରକୁ ଚାଲି ଯିବାକୁ ପରାମର୍ଶ ଦିଆଯାଇଛି। ଯଥାସମ୍ଭବ ଦୂରେଇ ରହିବାକୁ କହିଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ।

ସେହିପରି ଭାରତୀୟଙ୍କ ସହ ସଂପର୍କ ସ୍ଥାପନ ଓ ସହାୟତା ଲାଗି ନୂଆଦିଲ୍ଲୀରେ ଥିବା ବୈଦେଶିକ ବ୍ୟାପାର କଣ୍ଟ୍ରୋଲ ରୁମ୍‌ର ସଂପ୍ରସାରଣ କରାଯାଇଛି । କଣ୍ଟ୍ରୋଲ ରୁମ୍‌ର ନମ୍ବର ଜାରି କରାଯାଇଥିବା ବେଳେ ଏହା ୨୪ ଘଣ୍ଟା କାମ କରିବ । ତେଣେ ଋଷିଆର ଆକ୍ରମଣ ପରିପ୍ରେକ୍ଷୀରେ ୟୁକ୍ରେନ ନିଜ ବାୟୁସୀମାକୁ ବନ୍ଦ କରିଦେବା ପରେ ଭାରତୀୟଙ୍କୁ ଉଦ୍ଧାର ଲାଗି ଯାଉଥିବା ଏୟାର ଇଣ୍ଡିଆ ବିମାନ ଅଧାରୁ ଫେରି ଆସିଛି ।

ତେବେ ସେଠାରେ ରହୁଥିବା ପ୍ରାୟ ୨୦ ହଜାର ଭାରତୀୟଙ୍କୁ ଉଦ୍ଧାର ଲାଗି ବିକଳ୍ପ ବ୍ୟବସ୍ଥା କରୁଛନ୍ତି କେନ୍ଦ୍ର ସରକାର । ସେପଟେ ଭାରତୀୟ ବାୟୁ ସେନା କହିଛି ଯେ, ଭାରତୀୟଙ୍କୁ ଉଦ୍ଧାର ଲାଗି ଆମେ ପ୍ରସ୍ତୁତ ରହିଛୁ । କେନ୍ଦ୍ର ସରକାରଙ୍କ କେବଳ ନିର୍ଦ୍ଦେଶକୁ ଅପେକ୍ଷା କରିଛୁ । ଅନ୍ୟପକ୍ଷରେ ଶହ ଶହ ଭାରତୀୟ ଛାତ୍ରଛାତ୍ରୀ କିଭ୍ ସ୍ଥିତ ଦୂତାବାସରେ ପହଞ୍ଚି ସେମାନଙ୍କୁ ତୁରନ୍ତ ଉଦ୍ଧାର ପାଇଁ ବ୍ୟବସ୍ଥା କରିବାକୁ ଅପିଲ୍ କରିଛନ୍ତି ।

ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ କିଛି ଓଡ଼ିଆ ଛାତ୍ରଛାତ୍ରୀ ନୂଆଦିଲ୍ଲୀରେ ପହଞ୍ଚିବା ପରେ ସେମାନଙ୍କ ପରିବାର ଆଶ୍ୱସ୍ତ ହୋଇଛନ୍ତି । ମାତ୍ର ଯେଉଁ ପିଲାମାନେ ୟୁକ୍ରେନରେ ଅଛନ୍ତି ସେମାନଙ୍କ ପରିବାର ଆଶଙ୍କା ମଧ୍ୟରେ ଅଛନ୍ତି । ହ୍ୱାଟ୍ସ ଆପ୍, ଜୁମ୍ ଓ ସ୍କାଇପ୍ ଯୋଗେ ସେମାନେ ପିଲାଙ୍କ ସହ ଯୋଗାଯୋଗରେ ରହିଛନ୍ତି । ୟୁକ୍ରେନରେ ଥିବା କିଛି ଛାତ୍ରଛାତ୍ରୀଙ୍କ ସହ ଓଟିଭି ତରଫରୁ ମଧ୍ୟ ସିଧାସଳଖ ଯୋଗାଯୋଗ କରାଯାଇଛି । କିଭ୍‌ର ଭୟାନକ ସ୍ଥିତି ବୟାନ କରିବା ସହ ଏମାନେ ନିଜ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ସେମାନଙ୍କୁ ତୁରନ୍ତ ଉଦ୍ଧାର ଲାଗି ବ୍ୟବସ୍ଥା କରିବାକୁ ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅପିଲ୍ କରିଛନ୍ତି ।

ସେପଟେ ୟୁକ୍ରେନ-ଋଷିଆ ଯୁଦ୍ଧକୁ ନେଇ ସାରା ବିଶ୍ୱରେ ଉଦବେଗ ପ୍ରକାଶ ପାଇଛି । ଯୁଦ୍ଧ ସ୍ଥିତି ଜଟିଳ ହେବା ଆଶଙ୍କା ଭିତରେ ଆର୍ଥିକ ବଜାରରେ ହଲଚଲ ଦେଖାଦେଇଛି । ବିଶ୍ୱବ୍ୟାପୀ ସବୁ ଷ୍ଟକ୍ ଏକ୍ସଚେଞ୍ଜ୍ ପ୍ରଭାବିତ ହୋଇଥିବା ବେଳେ ଭାରତୀୟ ସେୟାର ବଜାର ବି ବାଦ୍ ପଡିନାହିଁ । ନିଫ୍ଟି ସୂଚକାଙ୍କ ୭୦୦ ପଏଣ୍ଟରେ ହ୍ରାସ ପାଇଥିବା ବେଳେ ବିଏସଇ ସୂଚକାଙ୍କ ୨୨ଶହ ପଏଣ୍ଟ ତଳକୁ ଖସିଛି । ତେବେ ଯୁଦ୍ଧ ବେଶୀ ଦିନ ଲାଗିଲେ ବିଶ୍ୱବ୍ୟାପୀ ପେଟ୍ରୋଲିୟମ ଉତ୍ତୋଳନ ଓ ଯୋଗାଣ ବାଧାପ୍ରାପ୍ତ ହେବା ଆଶଙ୍କା ବଢିଯାଇଛି । ୟୁକ୍ରେନ ଓ ଋଷିଆରୁ ଭାରତର ନାମକୁ ମାତ୍ର ପେଟ୍ରୋଲିୟମ ପଦାର୍ଥ ଆମଦାନୀ କରୁଥିଲେ ମଧ୍ୟ ତୈଳ ବ୍ୟାରେଲ ପିଛା ଶହେ ଡଲାର ଟପିଛି । ଏହାଦ୍ୱାରା ଭାରତୀୟ ଅର୍ଥନୀତି ବହୁଳ ଭାବେ ପ୍ରଭାବିତ ହେବା ଆଶଙ୍କା କରାଯାଉଛି ।