• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାଜସ୍ଥାନର କୋଟା ସହର.. ଦିନେ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱପ୍ନର ସହର ଥିବା ଏହି ସହର ବର୍ତ୍ତମାନ ସେମାନଙ୍କ ପାଇଁ ହିଁ କାଳ ପାଲଟିଛି । ପ୍ରତିଦିନ କିଛି ନା କିଛି ଆତ୍ମହତ୍ୟା ହେଉ ନିଖୋଜର ଖବର ସାମ୍ନାକୁ ଆସୁଛି । କିଛିଦିନ ତଳେ ଆତ୍ମହତ୍ୟା ମାମଲା ବୃଦ୍ଧି ପାଇଥିବା ବେଳେ ବର୍ତ୍ତମାନ ଛାତ୍ରଙ୍କ ନିଖୋଜଜନିତ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପଟେ କୋଟା ପୋଲିସ ନିଖୋଜ ଛାତ୍ରଙ୍କୁ ଖୋଜିବାରେ ବିଫଳ ହୋଇଛି ।

ଉତ୍ତର ପ୍ରଦେଶପ ବୁଲନ୍ଦସହର ନିବାସୀ ପୀୟୁଷ କପାସିଆ ବିଗତ କିଛିଦିନ ହେବ ନିଖୋଜ ଅଛନ୍ତି । ତେବେ ଛାତ୍ରଙ୍କୁ ଖୋଜିବାରେ ପୋଲିସ ସହଯୋଗ କରୁନାହିଁ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୀୟୁଷଙ୍କ ବାପା ମହେଶଚନ୍ଦ କହିଛନ୍ତି ଯେ, ତାଙ୍କର ପୁଅ ଗତ ୧୩ ତାରିଖରୁ ନିଖୋଜ ଅଛନ୍ତି ।

ପୀୟୂଷ ଗତ ୨ ବର୍ଷ ଧରି କୋଟାରେ JEE Mains ପାଇଁ ପ୍ରସ୍ତୁତି ଚଳାଇଥିଲେ । ନିଖୋଜ ହେବା ଦିନ ପୀୟୁଷ ନିଜ ମାଆଙ୍କ ସହ କଥା ହୋଇଥିଲେ । ପରେ ଆଉ ତାଙ୍କର ଫୋନ ଲାଗିନଥିଲା । ଫଲରେ ପରିବାର ଲୋକେ ପୋଲିସରେ ଅଭିଯୋଗ କରିଥିଲେ ।

ସେହିପରି ଗତକାଲି ମଧ୍ୟ ଜଣେ ଛାତ୍ର ନିଖୋଜ ହୋଇଯାଇଥିବା ଖବର ମିଳିଥିଲା । ଛାତ୍ର ଜଣକ ମେଡ଼ିକାଲ ନିଟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ତାଙ୍କର ବୟସ ୧୮ ବର୍ଷ । ଯୁବରାଜ ନାମକ ଏହି ଛାତ୍ର ସିକର ଜିଲ୍ଲାର ବାସିନ୍ଦା । ସେ ଏକ ଘରୋଇ କୋଚିଂ ସେଣ୍ଟରରେ NEET ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ।

ଗତ ଶନିବାର ଦିନ ଯୁବରାଜ କୋଟା ଟ୍ରାନ୍ସପୋର୍ଟ ନଗର ଅଞ୍ଚଳର ହଷ୍ଟେଲରୁ ସକାଳ ପ୍ରାୟ ୭ ଟାରେ କୋଚିଂ ପାଇଁ ଯାଇଥିଲେ । ସେବେଠାରୁ ସେ ନିଖୋଜ ଥିବା ଜଣା ପଡ଼ିଛି । ଅନ୍ୟପଟେ ସେ ନିଜ ମୋବାଇଲ ଫୋନ ମଧ୍ୟ ହଷ୍ଟେଲରେ ଛାଡ଼ି ଯାଇଛନ୍ତି । ତାଙ୍କ ମୋବାଇଲ୍‌ ଲୋକେସନ୍‌ ଟ୍ରେନ୍‌ରୁ ହଷ୍ଟେଲ ଆଖପାଖ ଅଞ୍ଚଳରେ ଥିବା ସୂଚନା ମିଳିବା ପରେ ପୁଲିସ ପୂରା ଅଞ୍ଚଳକୁ ସର୍ଚ୍ଚ କରିଛି ।

ତାଙ୍କ ହେଷ୍ଟେଲ ରୁମ୍‌ ଯାଞ୍ଚ ପରେ ସେଠାରୁ ମୋବାଇଲ ଫୋନ୍‌ ଓ ଦୁଇଟି ସିମ୍‌ କାର୍ଡ ମିଳିଥିବା ପୁଲିସ କହିଛି । ଏହି ଘଟଣା କୋଟାରୁ ଅନ୍ୟ ଜଣେ ଛାତ୍ର ରାନଚିତ୍ ସୋଣ୍ଡ୍ୟା ନିଖୋଜ ହେବାର ପ୍ରାୟ ଏକ ସପ୍ତାହ ପରେ ଘଟିଛି । JEE ପାଇଁ କୋଚିଂ ନେଉଥିବା ଏହି ଛାତ୍ର ଜଣକ ମଧ୍ୟ ହଷ୍ଟେଲ ଛାଡିବା ପରେ ନିଖୋଜ ହୋଇ ଯାଇଥିଲେ ।

ସିସିଟିଭିରେ କଏଦ ହୋଇଥିବା ଭିଡ଼ିଓରେ ସେ ଏକ ଜଙ୍ଗଲ ମଧ୍ୟରେ ପ୍ରବେଶ କରୁଥିବା ଦେଖିବାକୁ ମିଳୁଛି । ଏପର୍ଯ୍ୟନ୍ତ ଉକ୍ତ ଛାତ୍ରଙ୍କ କୌଣସି ଖୋଜ ଖବର ମିଳିନଥିବା ବେଳେ ଉଭୟ ଛାତ୍ରଙ୍କୁ ପୁଲିସ ଖୋଜିଛି ପୂରା ମାମଲାର ତଦନ୍ତ ଜାରି ରହିଛି । ତେବେ ପୋଲିସ ତରଫରୁ ମିଳିଥିବା ସୂଚନା ଅନୁସାରେ ମୋଟ ୧୦୦ ଜଣ ପୋଲିସ କର୍ମଚାରୀ ସର୍ଚ୍ଚ ଅପରେସନରେ ନିୟୋଜିତ ଅଛନ୍ତି ।

ଗତ କିଛି ମାସ ମଧ୍ୟରେ କୋଟାରେ ବଢ଼ି ଚାଲିଥିଲା ଆତ୍ମହତ୍ୟା । ଅଭିଶପ୍ତ ପାଲଟିଛି ଏହି ଶିକ୍ଷାର ସହର । ଜୀବନ ନେଇ ତ ଆସୁଛନ୍ତି, କିନ୍ତୁ ଜୀବନ ନେଇ ଫେରିବାର ସମ୍ଭାବନା କମ୍ । ବର୍ତ୍ତମାନ ଛାତ୍ର ନିଖୋଜ, ପୋଲିସର ମୁଣ୍ତ ବ୍ୟଥା ବଢ଼ାଇ ଦେଇଛି ।