/odishatv-khabar/media/post_attachments/uploadimage/library/16_9/16_9_0/IMAGE_1713182966.jpg)
Crypto Currency
କ୍ରିପ୍ଟୋ କରେନ୍ସିରେ ନିବେଶ ନାଁରେ ୧୪ କୋଟି ଟଙ୍କା ଠକେଇ । ଫାଇଭ ଷ୍ଟାର ହୋଟେଲରେ ମିଟିଂ କରି ଲୋକଙ୍କୁ ଚୁନା ଲଗାଉଥିଲେ । ୨ କାର୍ପଟଦାରଙ୍କୁ ଏହି ଘଟଣାରେ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା। ଏହି ୨ ଅଭିଯୁକ୍ତ ହେଲେ ରାଜସ୍ଥାନ ଅନୁପଗଡ଼ର ବେଦ ପ୍ରକାଶ ଓ ସୁନ୍ଦରଗଡ଼ ର ସୁଧୀର ପଟେଲ ।
ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଅଭିଯୁକ୍ତ ବେଦପ୍ରକାଶ ରାଜସ୍ଥାନ ପୋଲିସରେ ଜଣେ କନଷ୍ଟେବଳ ଭାବେ କାମ କରୁଥିଲେ। ୫ ବର୍ଷ ତଳେ ଟଙ୍କା ହେରଫେର ଘଟଣାରେ ପୋଲିସ ଚାକିରିରୁ ତାଙ୍କୁ ବିଦା କରାଯାଇଥିଲା । ୨୦୨୨ ମସିହାରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରମୋସନାଲ ମିଟିଂ କରି କ୍ରିପ୍ଟୋ ସମ୍ପର୍କରେ ବିଶ୍ୱାସ ଜନ୍ମାଉଥିଲେ । ପୁରୀ, ଭୁବନେଶ୍ୱର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ ଓ ବରଗଡ଼ ର ୫ ଶହ ଲୋକଙ୍କ ଠାରୁ ଏହି ଭଳି ଉପାୟରେ ଟଙ୍କା ଲୁଟୁଥିଲେ।
ଅନ୍ୟପଟେ ଗତ ବର୍ଷ ଅକ୍ଟୋବରେ ଏହି କ୍ରିପ୍ଟୋ କରେନ୍ସିକୁ ନେଇ ଆସିଥିଲା ସାଂଘାତିକ ଅଭିଯୋଗ । କୁହାଯାଇଥିଲା କ୍ରିପ୍ଟୋ କଏନ୍ ମାଧ୍ୟମରେ ଆତଙ୍କବାଦୀଙ୍କୁ କରାଯାଉଥିଲା ଫଣ୍ଡିଂ । ଦିଲ୍ଲୀ ପୋଲିସ ଏହାର ଖୁଲାସା କରିଥିଲା । ଗତ ୨୦୨୧ରେ ଏକ କ୍ରିପ୍ଟୋ କେସ ତଦନ୍ତ କରିବା ସମୟରେ ଏହି ତଥ୍ୟ ସାମ୍ନାକୁ ଆସିଥିଲା । ପଶ୍ଚିମ ଦିଲ୍ଲୀର ଜଣେ ବ୍ୟବସାୟୀ ଗତ ୨୦୨୧ରେ ୪ କୋଟିର କ୍ରିପ୍ଟୋ କରେନ୍ସି ହରେଇ ଥିଲେ । ଏନେଇ ସେ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଆଣ୍ଟି ଟେରର୍ ୟୁନିଟ ତଦନ୍ତ ଆରମ୍ଭ କରିବା ପରେ ଆତଙ୍କବାଦୀଙ୍କ ସମ୍ପୃକ୍ତି ଥିବା ଜଣା ପଡ଼ିଥିଲା ।
ଏହା ସହ କେତେକ ସନ୍ଦିଗ୍ଧ ଆଇଡି ମଧ୍ୟ ଜବତ କରିଥିଲା ପୋଲିସ । ଉକ୍ତ ଆଇଡିରୁ କ୍ରିପ୍ଟୋ କରେନ୍ସି ଗୁଡ଼ିକ ହମାସ ଆତଙ୍କବାଦୀଙ୍କ ନିକଟକୁ ଯାଇଥାଇପାରେ ବୋଲି ସନ୍ଦେହ କରିଥିଲା ଦିଲ୍ଲୀ ପୋଲିସ । ସନ୍ଦିଗ୍ଧ ଆଇଡି ଗୁଡ଼ିକ ପାଲେଷ୍ଟାଇନର ଆତଙ୍କୀ ଗୋଷ୍ଠୀ ଅଲ୍ କାସମ୍ ଦ୍ବାରା ପରିଚାଳିତ ହେଉଥିଲା । ଏଣୁ ଇସ୍ରାଏଲର ନ୍ୟାସନାଲ ବ୍ୟୁରୋ ଉକ୍ତ ଆଇଡି ଗୁଡ଼ିକୁ ବନ୍ଦ କରି ଦେଇଥିବା ଜଣାପଡ଼ିଥିଲା ।
ତେବେ କରେନ୍ସି ଗୁଡ଼ିକୁ ହମାସ ଚାଇଲ୍ଡ ପର୍ଣ୍ଣୋଗ୍ରାଫୀ ଓ ଜୁଆ ଖେଳରେ ଲଗାଉଥିଲା ବୋଲି ଜଣାପଡ଼ିଥିଲା । ୪ କୋଟି ଟଙ୍କାର ବିଟ କଏନରୁ ପାଖାପାଖି ୨.୯୫ କୋଟି ଅହମ୍ମଦ ମଜରୁକ୍ ନାମକ ଜଣେ ଇଜିପ୍ଟୀୟଙ୍କ ପାଖକୁ ଏବଂ ୯ ଲକ୍ଷ ଟଙ୍କା ଅହମ୍ମଦ ସାଫୀଙ୍କ ନିକଟକୁ ପଠା ଯାଇଥିଲା ବୋଲି ପୋଲିସ ସୂଚନା ଦେଇଥିଲା । ଇସ୍ରାଏଲ୍ ଓ ହମାସ୍ ମଧ୍ୟରେ ଘମାଗୋଟ ଯୁଦ୍ଧ ଚାଲିଥିବା ବେଳେ ଏହି ଖବର ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)