• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଗ୍ରା : ବାପା ! ଶଦ୍ଦରେ ସୀମିତ ନୁହଁ ଏ ଡାକ । ନିଜଠୁ ପିଲାକୁ ଅଧିକ ଭଲ ପାଉଥିବା ମଣିଷଟିଏ । ମୁଣ୍ଡ ଝାଳ ତୁଣ୍ଡରେ ମାରି ପିଲାଙ୍କ ଅଝଟ ଶୁଣନ୍ତି, ନାନା ରକମ ଜିନିଷ କିଣି ଦିଅନ୍ତି । ନିଜେ ନଖାଇ ସନ୍ତାନଙ୍କ ପେଟ ଭରନ୍ତି । ହେଲେ ଏତେ କଲା ପରେ ମଧ୍ୟ ସମ୍ପର୍କର ମୂଲ୍ୟ ବୁଝିଲାନି ପୁଅ । ବୁଢ଼ା ବୟସରେ ଜୀବନ୍ତ ଦେବତାକୁ ହଇରାଣ କଲା । ଶେଷରେ ଅତିଷ୍ଠ ହୋଇ ଚରମ ନିଷ୍ପତ୍ତି ନେଲା ବୁଢ଼ା ବାପା । ଉତ୍ତରପ୍ରଦେଶର ଆଗ୍ରାରେ ଜଣେ ବୃଦ୍ଧ ନିଜର ସମସ୍ତ ସମ୍ପତ୍ତି ଆଗ୍ରା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନାମରେ ଲେଖି ଦେଇଛନ୍ତି । ବୃଦ୍ଧ ବ୍ୟକ୍ତି ଜଣକ ନିଜର ୱିଲର କପିଟି ଆଗ୍ରା ସିଟି ମାଜିଷ୍ଟ୍ରେଟଙ୍କୁ ଦେଇଛନ୍ତି ।

ପୁଅ ଉପରେ ରାଗି ୨ କୋଟି ସମ୍ପତ୍ତି ଦାନ କରି ଦେଇଥିବା ବୃଦ୍ଧ ବ୍ୟକ୍ତି ଜଣକ ହେଲେ ଗଣେଶ ଶଙ୍କର ପାଣ୍ଡ୍ୟା । ଆଗ୍ରାର ପିପଲମଣ୍ଡି ନିରାଲାବାଦର ବାସିନ୍ଦା । ଗଣେଶ ଶଙ୍କର ପାଣ୍ଡ୍ୟା ପେଶାରେ ଜଣେ ମସଲା ବ୍ୟବସାୟୀ । ସେ ତାଙ୍କ ବଡ ପୁଅ ଦିଗବିଜୟ, ବୋହୂ ଏବଂ ଦୁଇ ନାତିନାତୁଣୀ ତାଙ୍କ ସହ ରୁହନ୍ତି । ହେଲେ କିଛି ଦିନ ହେବ ଟଙ୍କାପଇସା ନେଇ ବୁଢ଼ା ବାପାଙ୍କୁ ହଇରାଣ କରୁଥିଲା ବଡ଼ ପୁଅ ଦିଗବିଜୟ । ସବୁବେଳେ ସମ୍ପତ୍ତିରୁ ଭାଗ ମାଗୁଥିଲା ।

ବାରମ୍ବାର ଟଙ୍କା ଟଙ୍କା ହେଉଥିବାରୁ ବୁଢ଼ା ବାପା ଜଣକ ବିରକ୍ତ ହୋଇଯାଇଥିଲେ । ଆଉ ଏବେ ସେ ପ୍ରାୟ ୨୨୫ ବର୍ଗ ଫୁଟର ନିଜ ପ୍ରପର୍ଟିକୁ ଏବେ ଜିଲ୍ଲାପାଳଙ୍କ ନାଁରେ କରିଦେଇଛନ୍ତି । ତାଙ୍କ ଘରେ କୌଣସି ଜିନିଷ ଅଭାବ ନାହିଁ । ସମସ୍ତେ ବେଶ୍ ଆରାମରେ ଚଳନ୍ତି ।

ଦିଗ୍‌ବିଜୟଙ୍କୁ ଅନେକ ଥର ବ୍ୟବସାୟ ସମ୍ଭାଳିବାକୁ କହୁଥିଲେ ଗଣେଶ ଶଙ୍କର । କିନ୍ତୁ ସେ ବ୍ୟବସାୟ କରିବାକୁ ରାଜି ନଥିଲା । କେବଳ ସମ୍ପତ୍ତିର ଭାଗ ମାଗୁଥିଲା ଏବଂ ହଇରାଣ କରୁଥିଲା । ଏଥିରେ ବିରକ୍ତି ହୋଇ ସେ ଜିଲ୍ଲାପାଳଙ୍କୁ ତାଙ୍କର ସବୁ ସମ୍ପତ୍ତି ଦେଇଦେଇଥିବା କହିଛନ୍ତି ଗଣେଶ। ଦାନ କରିଥିବା ସମ୍ପତ୍ତିର ମୂଲ୍ୟ ପ୍ରାୟ ଦୁଇ କୋଟି ଟଙ୍କା ହେବ ବୋଲି କୁହାଯାଇଛି ।