• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କଲା ପୋଲିସ୍

  • ଗିରଫ ହେବା ପରେ ଅଭିଯୁକ୍ତ କହିଲା, ମୁଁ ପ୍ରେମ ବିବାହକୁ ଘୃଣା କରେ

ତିରୁପୁର : କାଳ ସାଜିଲା ପ୍ରେମ ବିବାହ । ବଇରୀ ସାଜିଲା ବାପା । ଝିଅକୁ ଜୀବନରୁ ମାରିଦେବାକୁ ଉଦ୍ୟମ । ଭଲ ପାଇ ବିବାହ କରିଥିବାରୁ ତାମିଲନାଡୁ ତିରୁପୁରରେ ଜଣେ ବାପା ନିଜ ଝିଅର ବେକ୍ କାଟି ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । ହେଲେ ସୌଭାଗ୍ୟବଶତଃ ଝିଅଟି ବଞ୍ଚିଯାଇଛି । ପାଳିପୋଷି ବଡ଼ କରିଥିଲି, ପ୍ରତିବଦଳରେ ସମାଜରେ ବଦନାମ କଲା କହି ହିତାହିତ ହରାଇଥିଲେ ଅଭିଯୁକ୍ତ ବାପା । ପେପର କଟର ବ୍ୟବହାର କରି ଝିଅକୁ ଜୀବନରୁ ମାରିଦେବାକୁ ଚେଷ୍ଟା କରିଥିଲେ ।

ଅଭିଯୁକ୍ତ ବାପା ପୂରାଜା ଚିତ୍ରକର ଭାବରେ କାମ କରନ୍ତି । ତାଙ୍କର ୧୯ ବର୍ଷୀୟ ସାନ ଝିଅ ପ୍ରିୟଙ୍କା ୨୫ ବର୍ଷୀୟ ମହମ୍ମଦ ୟାସିନଙ୍କ ପ୍ରେମରେ ପଡିଥିଲେ । ପୋଷାକ କାରଖାନାରେ ଉଭୟଙ୍କ ଦେଖାସାକ୍ଷାତ ହୋଇଥିଲା । ଏକାଠି କାମ କରୁ କରୁ ଉଭୟଙ୍କ ମଧ୍ୟରେ ବନ୍ଧୁତା ଗଢ଼ି ଉଠିଥିଲା, ଆଉ ବନ୍ଧୁତା ପରେ ପ୍ରେମରେ ପରିଣତ ହେଲା । ଉଭୟ ଗତ ଚାରି ବର୍ଷ ଧରି ପ୍ରେମ ସମ୍ପର୍କରେ ଥିଲେ । ଉଭୟଙ୍କ ସମ୍ପର୍କ ବିଷୟରେ ଜାଣିବା ପରେ ରାଗିଯାଇଥିଲେ ପୂରାଜା । ପ୍ରିୟଙ୍କାଙ୍କୁ ଚେତାବନୀ ଦେଇ ବଡ଼ ଭଉଣୀ ଘରେ ଛାଡି ଦେଇ ଆସିଥିଲେ । ହେଲେ ସବୁ ବାଧାକୁ ଆଡ଼େଇ ପ୍ରିୟଙ୍କା ଏବଂ ୟାସିନ୍ ୧୬ ଜୁଲାଇରେ ଘରୁ ପଳାଇ ବିବାହ କରିଥିଲେ । ଏହା ପରେ ପ୍ରିୟଙ୍କା ୟାସିନଙ୍କ ପରିବାର ସହିତ ରହୁଥିଲେ ।

ଘଟଣା ଦିନ ପ୍ରିୟଙ୍କା ଏକୁଟିଆ ଥିଲେ, ପରିବାର ଲୋକ ସମସ୍ତେ କାମ ପାଇଁ ବାହାରକୁ ଯାଉଥିଲେ । ଏହାର ସୁଯୋଗ ନେଇ ବାପା ପୂରାଜା ମଦ ପିଇ ଝିଅ ଘର ଭିତରକୁ ପଶି ଆସିଥିଲେ । ମୋ ଇଚ୍ଛା ବିରୁଦ୍ଧରେ ବିବାହ କରିଥିବା କହି ପ୍ରିୟଙ୍କାଙ୍କ ଉପରେ ଆକ୍ରମଣ କରିଥିଲେ । ସାଙ୍ଗରେ ନେଇ ଆସିଥିବା ଏକ ପେପର୍ କଟରରେ ଝିଅର ବେକ କାଟିବାକୁ ଉଦ୍ୟମ କରିଥିଲେ । ଫଳରେ ଯନ୍ତ୍ରଣାରେ ଚିତ୍କାର କରିଥିଲେ ପ୍ରିୟଙ୍କା ।

ପ୍ରିୟଙ୍କାଙ୍କ ପାଟି ଶୁଣି ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ ପଡୋଶୀ । ଆଉ ତୁରନ୍ତ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅଭିଯୋଗ ପରେ ପୋଲିସ ପୂଜାରାଙ୍କୁ ଗିରଫ କରିଛି । ​​ତେବେ ଗିରଫ ହେବା ପରେ ବି ତାଙ୍କ ମନରେ ଝିଅକୁ ଆକ୍ରମଣ କରିଥିବାର କୌଣସି ଅବଶୋଷ ନାହିଁ । ମୁଁ ପ୍ରେମ ବିବାହକୁ ଘୃଣା କରେ, ଏଥିପାଇଁ ଝିଅକୁ ମାରିବାକୁ ଚେଷ୍ଟା କରିଥିବା ସ୍ୱୀକାର କରିଛି ଅଭିଯୁକ୍ତ ।