ଅପରେସନ ସିନ୍ଦୂରର ସଫଳତା ପରେ ଆଜି ସାରା ବିଶ୍ୱ ଦେଖିଛି ଭାରତର ଶକ୍ତିକୁ । ଚିହ୍ନିଛି ଭାରତର ଟେକ୍ନୋଲଜି ଆଉ ସ୍ୱଦେଶୀ ଜ୍ଞାନକୌଶଳକୁ । ଅନ୍ଧାର ରାତିରେ ଆକାଶର ଛାତି ଚିରି କିପରି ପାକିସ୍ତାନର ୧୦୦ କିଲୋମିଟର ସୀମା ଭିତରେ ପଶି କରିଥିଲା ପ୍ରଚଣ୍ଡ ପ୍ରହାର ତାହାକୁ ଦେଖିଛନ୍ତି ବିଶ୍ୱବାସୀ । ଚୀନ ଓ ତୁର୍କୀର ଅସ୍ତ୍ରଭଣ୍ଡାରକୁ କିପରି ଖଣ୍ଡଖଣ୍ଡ କରିଦେଇଥିଲା ଭାରତର ରକ୍ଷାକବଚ ତାହା ମଧ୍ୟ ସମସ୍ତେ ଅନୁଧ୍ୟାନ କରିଛନ୍ତି ।
ଆକାଶତୀର ସହ ଧନୁଷ ଆର୍ଟିଲାରୀ ଗନ୍ ସିଷ୍ଟମ୍, ଆଡଭାନ୍ସଡ୍ ଟୋଡ୍ ଆର୍ଟିଲାରୀ ଗନ୍ ସିଷ୍ଟମ୍ (ATAGS), ମେନ୍ ବ୍ୟାଟେଲ୍ ଟ୍ୟାଙ୍କ୍ (MBT) ଅର୍ଜୁନ, ଉଚ୍ଚ ଗତିଶୀଳତା ଯାନବାହନ, ଲାଇଟ କମ୍ବାଟ ଏୟାରକ୍ରାପ୍ଟ (LCA) ତେଜସ୍, ଆଡଭାନ୍ସଡ୍ ଲାଇଟ ହେଲିକପ୍ଟର (ALH), ଲାଇଟ ୟୁଟିଲିଟି ହେଲିକପ୍ଟର (LUH), ଅସ୍ତ୍ର ଚିହ୍ନଟକାରୀ ରାଡାର, 3D ଟାକ୍ଟିକାଲ୍ କଣ୍ଟ୍ରୋଲ୍ ରାଡାର ଏବଂ ସଫ୍ଟୱେର୍ ଡିଫାଇଣ୍ଡ୍ ରେଡିଓ (SDR) ପରି ଉନ୍ନତ ସାମରିକ ଅସ୍ତ୍ରଶସ୍ତ୍ର ଏବଂ ପ୍ରତିରକ୍ଷା ଉପକରଣକୁ ସାମିଲ କରି ନିଜ ଅସ୍ତ୍ରଭଣ୍ଡାରକୁ ସଶକ୍ତ ଏବଂ ଅତ୍ୟାଧୁନିକ କରିପାରିଛି ଭାରତ । ସେତିକି ନୁହେଁ, ବ୍ରହ୍ମୋସ୍ ମିସାଇଲ୍ ଉପରେ ବି ସାରା ବିଶ୍ୱର ନଜର ।
Also Read
ପ୍ରଥମ ଥର ପାଇଁ ଯୁଦ୍ଧରେ ଏହି କ୍ରୁଜ୍ ମିସାଇଲକୁ ବ୍ୟବହାର କରିଥିଲା ଭାରତୀୟ ସେନା । ବ୍ରହ୍ମୋସ୍ ମାଡରେ ଛାରଖାର ହୋଇ ଯାଇଥିଲା ପାକିସ୍ତାନ । ଲାଙ୍ଗୁଡ ଜାକି ପଳାୟନ କରିଥିଲା । ସେଇ ବ୍ରହ୍ମୋସ ପାଇଁ ଆଜି ଭାରତ ବିଶ୍ୱ ଦରବାରରେ ଗର୍ବିତ । ବ୍ରହ୍ମୋସ କିଣିବାକୁ ଫିଲିପାଇନ୍ସ, ଇଣ୍ଡୋନେସିଆ, ଭିଏତନାମ, ମାଲେସିଆ ପରି ଅନେକ ଦେଶ ଆଗ୍ରହ ପ୍ରକାଶ କରିଛନ୍ତି । ଏହା ସତ୍ତ୍ୱେ ବି ପାକିସ୍ତାନ କଥା କଥାକେ ପରମାଣୁ ଅସ୍ତ୍ରର ଧମକ ଦେଉଛି । ଭାରତ ପାକିସ୍ତାନର ଏହି ଫମ୍ପା ଧମକକୁ ଫୁଟକି ମାରି ଉଡେଇ ଦେଇଛି । କାରଣ ଭାରତ ପାଖରେ ବି ରହିଛି ପରମାଣୁ ଶକ୍ତି । ପାକିସ୍ତାନକୁ ବି ସେ ଏହାର ଜବାବ ଦେଇ ପାରିବ ।
ଭାରତର ପ୍ରଥମ ପରମାଣୁ ପରୀକ୍ଷଣ
କହିବାକୁ ଗଲେ ଭାରତ ଆଜି ଏକ ପରମାଣୁ ଶକ୍ତି ସମ୍ପନ୍ନ ଦେଶ । ଆଜକୁ ଠିକ ୫୧ ବର୍ଷ ତଳେ ଭାରତ ଏହାର ନିଅଁ ପକାଇଥିଲା । ସେହି ନିଅଁ ଉପରେ ଛିଡା ହୋଇଛି ଶକ୍ତିଶାଳୀ ଭାରତ । ୫୧ ବର୍ଷ ତଳେ ଭାରତ କରିଥିଲା ପ୍ରଥମ ପରମାଣୁ ପରୀକ୍ଷଣ। ଭାରତର ପରମାଣୁ ପରୀକ୍ଷଣରେ ସ୍ତବ୍ଧ ହୋଇ ଯାଇଥିଲା ସାରା ବିଶ୍ୱ । ଦୁନିଆ ଦେଖିଥିଲା ଭାରତର ଶକ୍ତି । ଭାରତର ଏହି ପରମାଣୁ ପରୀକ୍ଷଣକୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଶାନ୍ତିପୂର୍ଣ୍ଣ ପରୀକ୍ଷଣର ମାନ୍ୟତା ଦେଇଥିଲେ । ହେଲେ ଏହାକୁ ନେଇ ଆମେରିକା ଭୟଭୀତ ହୋଇ ପଡ଼ିଥିଲା । ଭାରତକୁ ପରମାଣୁ ସାମଗ୍ରୀ ଏବଂ ଇନ୍ଧନ ଯୋଗାଣ ଉପରେ ପ୍ରତିବନ୍ଧକ ଲଗାଇଥିଲା ।
ଏହି ଆଟମିକ ପରୀକ୍ଷଣ ଭାରତ ଇତିହାସର ଏକ ନିର୍ଣ୍ଣାୟକ ମୋଡ ଥିଲା । ଏହା ଭାରତର ପରମାଣୁ ଯାତ୍ରାର ଆରମ୍ଭ ସୂଚନା ଦେଇଥିଲା । ଏହାପରେ ଭାରତ ପରମାଣୁ ଶକ୍ତିଧାରୀ ଦେଶଙ୍କ ତାଲିକାରେ ନିଜକୁ ସାମିଲ କରାଇ ପାରିଥିଲା । ଯାହା ବି ହେଉ, ଭାରତ ଖୁବ ସତର୍କତା ଏବଂ ପ୍ରାକ ପ୍ରସ୍ତୁତି ସହ ଏହି ପରମାଣୁ ପରୀକ୍ଷଣ କରାଇଥିଲା । ତଥାପି ପରୀକ୍ଷଣ ସମୟ ଧାର୍ଯ୍ୟ ସମୟଠାରୁ ୫ ମିନିଟ ବିଳମ୍ବରେ କରାଯାଇଥିଲା । ହେଲେ କାହିଁକି ସେଦିନ ପରୀକ୍ଷଣ ସମୟରେ ୫ ମିନିଟ ବିଳମ୍ବ ଘଟିଲା ? କ’ଣ ଥିଲା ସମସ୍ୟା ?
ଅଧିକ ପଢ଼ନ୍ତୁ: ଆକାଶତୀର : ଭାରତର ନୂତନ ଯୁଦ୍ଧ କ୍ଷମତାର ଅଦୃଶ୍ୟ ରକ୍ଷାକବଚ
ପରୀକ୍ଷଣରେ କାହିଁକି ୫ ମିନିଟ ବିଳମ୍ବ ଘଟିଲା ?
ମେ ୧୮ ତାରିଖ ଦିନ ପରମାଣୁ ପରୀକ୍ଷଣ ପାଇଁ ସବୁ ପ୍ରକାର ପ୍ରସ୍ତୁତି ହୋଇ ସାରିଥିଲା । ବିସ୍ଫୋଟ ଉପରେ ନଜର ରଖିବା ପାଇଁ୫ କିଲୋମିଟର ଦୂରରେ ବ୍ୟବସ୍ଥା କରାଯାଇଥିଲା । ଏହି ସ୍ଥାନରୁ ସମସ୍ତ ବରିଷ୍ଠ ସେନା ଅଧିକାରୀ ଏବଂ ବୈଜ୍ଞାନିକ ନଜର ରଖିଥିଲେ । ଶେଷ ଯାଞ୍ଚ କରିବା ଲାଗି ବୈଜ୍ଞାନିକ ବୀରେନ୍ଦ୍ର ସେଠୀଙ୍କୁ ପରୀକ୍ଷଣ ସ୍ଥାନକୁ ପଠାଯିବା ଲାଗି ନିଷ୍ପତ୍ତି ନିଆ ଯାଇଥିଲା । ବୀରେନ୍ଦ୍ର ସେଠୀ ପରୀକ୍ଷଣ ସ୍ଥଳକୁ ଯାଇଥିଲେ । ଯାଞ୍ଚ କଲେ । ସବୁ ଠିକଠାକ ଥିବା ଦେଖିବା ପରେ ଆଶ୍ୱସ୍ତ ହୋଇଥିଲେ । ବୀରେନ୍ଦ୍ର ସେଠୀ ଫେରିଲେ ପରୀକ୍ଷଣ କରାଯିବ । ହେଲେ ଯାଞ୍ଚ ସାରି ବୀରେନ୍ଦ୍ର ସେଠୀ ଫେରିବା ବେଳକୁ ପରୀକ୍ଷଣ ସ୍ଥଳରେ ଥିବା ଜିପ ଷ୍ଟାର୍ଟ ହୋଇ ନ ଥିଲା । ବିସ୍ଫୋଟ ସମୟ ସକାଳ ୮ ଟା ସ୍ଥିର କରା ଯାଇଥିଲା । ସେକେଣ୍ଡ କଣ୍ଟା ଆଗକୁ ମାଡି ଚାଲୁଥିଲା । ହେଲେ ଜିପ ଷ୍ଟାର୍ଟ ହେଉନ ଥିଲା । ଶେଷରେ ସେ ଦୁଇ କିଲୋମିଟର ଚାଲି ଚାଲି ନିକଟରେ ଥିବା କଣ୍ଟ୍ରୋଲ ରୁମରେ ପହଞ୍ଚିଥିଲେ । ଏହି ସମସ୍ତ ଘଟଣାକ୍ରମ ମାତ୍ର ୫ ମିନିଟ ଭିତରେ ଘଟିଥିଲା । ଆଉ ତା’ପରେ ଭାରତ କରିଥିଲା ପ୍ରଥମ ପରମାଣୁ ପରୀକ୍ଷଣ ।
୭ ବର୍ଷର ପରିଶ୍ରମରେ ଲାଗିଥିଲା ରଙ୍ଗ
ଏହି ଟପ ସିକ୍ରେଟ ପ୍ରୋଜେକ୍ଟ ଉପରେ ଦୀର୍ଘ ସମୟ ଧରି ଏକ ଟିମ କାମ କରୁଥିଲେ । ୭୫ ଜଣ ବୈଜ୍ଞାନିକ ଏବଂ ଇଞ୍ଜିନିୟରଙ୍କୁ ନେଇ ଗଠିତ ଏହି ଟିମ ୧୯୬୭ରୁ ୧୯୭୪ ..୭ ବର୍ଷ ଧରି କଠିନ ପରିଶ୍ରମ କରିଥିଲେ । ଏହି ପ୍ରୋଜେକ୍ଟର କମାଣ ଭାବା ଆଟମିକ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଡା.ରାଜା ରମନ୍ନାଙ୍କ ହାତରେ ଥିଲା । ରମନ୍ନାଙ୍କ ଟିମରେ ସେତେବେଳେ ଡ.ଏପିଜେ ଅବଦୁଲ କଲାମ ମଧ୍ୟ ଥିଲେ । ପରବର୍ତ୍ତୀ ସମୟରେ ଅର୍ଥାତ ୧୯୯୮ରେ ପୋଖରାନ ପରୀକ୍ଷଣ କଲାମଙ୍କ ନେତୃତ୍ୱରେ ହିଁ କରାଯାଇଥିଲା ।
ଦିଆଯାଇଥିଲା ମୌଖିକ ଅନୁମତି
୧୯୭୨ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଭାବା ଆଟମିକ ରିସର୍ଚ୍ଚ ସେଣ୍ଟର ପରିଦର୍ଶନରେ ଆସିଥିଲେ । ସେତେବେଳେ ସେ ବୈଜ୍ଞାନିକମାନଙ୍କୁ ପରମାଣୁ ପରୀକ୍ଷଣ କରିବା ପାଇଁ ଅନୁମତି ଦେଇଥିଲେ । ହେଲେ ଇନ୍ଦିରା ଗାନ୍ଧୀଙ୍କର ଏହି ଅନୁମତି କେବଳ ମୌଖିକ ଥିଲା । ପରୀକ୍ଷଣ କରାଯିବାର ଦିନକ ପୂର୍ବଯାଏ ଏହି ପୂରା ଅପରେସନକୁ ଗୋପନୀୟ ରଖାଗଲା । ଏପରିକି ପରୀକ୍ଷଣ ସମ୍ପର୍କରେ ଆମେରିକା ମଧ୍ୟ ଏ ସମ୍ପର୍କରେ ସାମାନ୍ୟ ପ୍ରାକ ସୂଚନା ପାଇ ପାରିଲା ନାହିଁ ।
ପରୀକ୍ଷଣ ପରେ ସାରା ବିଶ୍ୱ ଚମକି ପଡିଥିଲା । ଆମେରିକ ଭାରତ ଉପରେ ପୂରା ରାଗି ଯାଇଥିଲା । ଏପରିକି ଭାରତ ଉପରେ ବିଭିନ୍ନ ପ୍ରତିବନ୍ଧକ ମଧ୍ୟ ଲଗାଇଥିଲା । ଭାରତର ଏହି ସଙ୍କଟ ମୁହୂର୍ତ୍ତରେ ସୋଭିଏତ ଋଷ ହିଁ ସାଥ ଦେଇଥିଲା ।
ଦ୍ୱନ୍ଦ୍ୱରେ ଥିଲେ ଦେଶର ଶୀର୍ଷ ନେତୃତ୍ୱ
ଦେଶର ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ଏହି ପରୀକ୍ଷଣକୁ ନେଇ ମତଭେଦ ଦେଖା ଦେଇଥିଲା । ଭାରତ ପରମାଣୁ ଶକ୍ତିକୁ ନେଇ କେଉଁ ରାସ୍ତାରେ ଆଗକୁ ବଢିବାକୁ ଚାହୁଁଛି ? ଏହାକୁ ନେଇ ଯୁକ୍ତି ଲାଗି ରହିଥିଲା । ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ବଢ଼ୁଥିବା ସୁରକ୍ଷା ଚିନ୍ତା ସତ୍ତ୍ୱେ ପରମାଣୁ ଅସ୍ତ୍ର ବିକାଶକୁ ନେଇ ଦ୍ୱିଧାରେ ଥିଲେ । ବିଶେଷକରି ଚୀନ୍ ସହିତ ଯୁଦ୍ଧ ଏବଂ ୧୯୬୪ ମସିହାରେ ଲୋପ୍ ନୁରରେ ଚୀନ୍ ଦ୍ୱାରା ପରମାଣୁ ପରୀକ୍ଷଣ ପରେ ନେହରୁଙ୍କ ଚିନ୍ତା ବଢିଥିଲା । ନେହେରୁଙ୍କ ପରେ ପ୍ରଧାନମନ୍ତ୍ରୀ ହୋଇଥିଲେ ଲାଲ ବାହାଦୁର ଶାସ୍ତ୍ରୀ । ଚୀନର ପରମାଣୁ ପରୀକ୍ଷଣ ପରେ ଭାରତ ମଧ୍ୟ ଆଣବିକ ପରୀକ୍ଷଣ କରିବା ଉଚିତ ବୋଲି ବିଭିନ୍ନ ଆଡୁ ଚାପ ପଡୁଥିଲା । ହେଲେ ଶାସ୍ତ୍ରୀ ଏହି ଘରୋଇ ଚାପକୁ ବିରୋଧ କରୁଥିଲେ। ୧୯୬୪ ମସିହାରେ ସେ ଯେତେବେଳେ ବ୍ରିଟେନ ଗସ୍ତ କରିଥିଲେ, ସେତେବେଳେ ପରମାଣୁ ଶକ୍ତିଦ୍ୱାରା ସୁରକ୍ଷା ସମ୍ପର୍କିତ ଗ୍ୟାରେଣ୍ଟି ପାଇବାକୁ ଚେଷ୍ଟା କରିଥିଲେ।
'ସ୍ମାଇଲିଂ ବୁଦ୍ଧ' ଥିଲା କୋଡ୍
୧୯୬୬ରେ ଯେତେବେଳେ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଥିଲେ, ସେ ଏକ ଭିନ୍ନ ପଥ ବାଛିଥିଲେ। ତାଙ୍କ ପୂର୍ବପୁରୁଷମାନଙ୍କ ପଦାଙ୍କ ଅନୁସରଣ ନ କରି ଇନ୍ଦିରା ଗାନ୍ଧୀ ପକ୍ଷପାତିତାପୂର୍ଣ୍ଣ ପରମାଣୁ ଅପ୍ରସାର ଚୁକ୍ତିନାମାକୁ ନେଇ ଏକ କଠୋର ଏବଂ ବାସ୍ତବବାଦୀ ରାଜନୈତିକ ଦୃଷ୍ଟିକୋଣ ଗ୍ରହଣ କରିଥିଲେ। ସେ ଭାରତର ପରମାଣୁ ପ୍ରତିଷ୍ଠାନକୁ ଆଗାମୀ କିଛି ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ କରି ପରମାଣୁ ବିସ୍ଫୋରଣ କରିବାର କ୍ଷମତାରେ ବିକଶିତ କରିବା ପାଇଁ ସବୁଜ ସଙ୍କେତ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କଠାରୁ ସବୁଜ ସଙ୍କେତ ପାଇବା ପରେ ପରମାଣୁ ବୈଜ୍ଞାନିକମାନେ ଲାଗି ପଡିଥିଲେ । ୬୦ ଦଶକରେ ଭାରତର ପରମାଣୁ ବୈଜ୍ଞାନିକମାନଙ୍କ ଜୋରଦାର ଉଦ୍ୟମ ପରେ, ଦେଶ ପାଇଁ ଏକ ବଡ଼ ମୁହୂର୍ତ୍ତ ପ୍ରସ୍ତୁତ ହୋଇ ପାରିଥିଲା। ୧୮ ମଇ, ୧୯୭୪ ରେ, 'ସ୍ମାଇଲିଂ ବୁଦ୍ଧ' କୋଡ୍ ନାମରେ ସୁଦୂର ରାଜସ୍ଥାନରେ ପୋଖରାନ-୧ ପରମାଣୁ ବିସ୍ଫୋରଣ କରାଯାଇଥିଲା।
ସାରା ଦେଶରେ ଖେଳିଯାଇଥିଲା ଖୁସିର ଲହରୀ
ସରକାରୀ ସ୍ତରରେ ଏହି ପରୀକ୍ଷଣକୁ ‘ଶାନ୍ତିପୂର୍ଣ୍ଣ ପରମାଣୁ ବିସ୍ଫୋରଣ’ କୁହାଯାଇଥିଲା । ହେଲେ ବାସ୍ତବତା ଦୃଷ୍ଟିରୁ ଦେଖିଲେ,ପୋଖରାନ-୧ ମାଧ୍ୟମରେ ଭାରତ ତାର ପରମାଣୁ ଅସ୍ତ୍ର ନିର୍ମାଣର କୌଶଳ ବିଶ୍ୱ ଦରବାରରେ ପ୍ରଦର୍ଶନ କରିଥିଲା । ଏହାଦ୍ୱାରା ଭାରତ ପରମାଣୁ ଅସ୍ତ୍ରଧାରୀ ଦେଶଙ୍କର ବିଶେଷ କ୍ଲବରେ ନିଜକୁ ସାମିଲ କରିପାରିଥିଲା । ସଫଳ ଭୂତଳ ପରମାଣୁ ବିସ୍ଫୋରଣ ପରେ ସାରା ଦେଶରେ ଖେଳି ଯାଇଥିଲା ଖୁସି ଆଉ ଗର୍ବର ଲହରୀ । ତଥାପି, ସମଗ୍ର ବିଶ୍ୱ ଏହାକୁ ନିନ୍ଦା କରିଥିଲା ଏବଂ ଉପମହାଦେଶରେ ପରମାଣୁ ଅସ୍ତ୍ର ପ୍ରତିଯୋଗିତାର ଆଶଙ୍କା ପ୍ରକାଶ କରିଥିଲା।