• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ନବନିର୍ମିତ ମହର୍ଷି ବାଲ୍ମିକୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଜି ଅଯୋଧ୍ୟା ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଏହି ଅନ୍ତର୍ଜାତୀୟ ବିମାନ ବନ୍ଦରର ଉଦଘାଟନ କରିଛନ୍ତି । ଏହି ଉଦଘାଟନୀ ସମାରୋହରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗ ଦେଇଥିଲେ ।

ମନ୍ଦିର ନିର୍ମାଣ ଲାଗି ବ୍ୟବହୃତ ନଗର କଳା ଶୈଳୀରେ ବିମାନବନ୍ଦରର ନିର୍ମାଣ କରାଯାଇଛି । ଟର୍ମିନାଲ ବିଲଡିଂର ପ୍ରାଙ୍ଗଣରେ ଶ୍ରୀରାମ ମନ୍ଦିରର ସ୍ଥାପତ୍ୟକୁ ଚିତ୍ରିତ କରାଯାଇଛି । ରାମାୟଣର କଥାବସ୍ତୁ ବା ବିଭିନ୍ନ କାଣ୍ଡକୁ ଅଟ୍ଟାଳିକାର ଖମ୍ବ ଗୁଡିକରେ ଖୋଦେଇ କରାଯାଇଛି । ରେକର୍ଡ ୨୦ ମାସରେ ଏହି ନୂଆ ଏୟାର ପୋର୍ଟର ନିର୍ମାଣ କରାଯାଇଛି ।

ଏହି ବିମାନ ବନ୍ଦର ବାର୍ଷିକ ପ୍ରାୟ ୧୦ ଲକ୍ଷ ଯାତ୍ରୀଙ୍କୁ ସେବା ପ୍ରଦାନ କରିବ । ଏହି ଅବସରରେ ମୋଟ ୧୫ ହଜାର ୭୦୦ କୋଟିର ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଅଯୋଧ୍ୟାରେ ୨୧୮୦ କୋଟି ରୁ ଅଧିକ ଟଙ୍କା ବ୍ୟୟରେ ବିକଶିତ ହେବାକୁ ଥିବା ଗ୍ରୀନଫିଲ୍ଡ ଟାଉନସିପ୍ ଏବଂ ପ୍ରାୟ ୩୦୦ କୋଟି ଟଙ୍କା ବ୍ୟୟରେ ବିକଶିତ ହେବାକୁ ଥିବା ବଶିଷ୍ଠ କୁଞ୍ଜ ଆବାସିକ ଯୋଜନାର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ।

ସେହିପରି ପ୍ରଧାନମନ୍ତ୍ରୀ ଲକ୍ଷ୍ନୌ-ଅଯୋଧ୍ୟା ଜାତୀୟ ରାଜପଥ-୨୮, ଅଯୋଧ୍ୟାରେ ସିପେଟ୍ କେନ୍ଦ୍ର ପ୍ରତିଷ୍ଠା ଏବଂ ଅଯୋଧ୍ୟା ମହାନଗର ନିଗମର ନିର୍ମାଣ ଆଦି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ଅଯୋଧ୍ୟା ଧାମରୁ ୨ଟି ଅମୃତ ଭାରତ ଓ ୬ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ।

ସେଥିରୁ ଓଡିଶା ଦେଇ ମାଲଦା ଟାଉନ-ବେଙ୍ଗାଲୁରୁ ଅମୃତ ଭାରତ ଏକ୍ସପ୍ରେସ ଚାଲିବ । ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଓଡ଼ିଶାରେ ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ, ବ୍ରହ୍ମପୁର ରେଳ ଷ୍ଟେସନରେ ରହିବ । ଅମୃତ ଭାରତ ଟ୍ରେନ୍ ହେଉଛି ଦେଶର ଏକ ନୂତନ ଧରଣର ସୁପରଫାଷ୍ଟ ଯାତ୍ରୀବାହୀ ଟ୍ରେନ୍ । ଅଣ-ଶୀତତାପ ନିୟନ୍ତ୍ରିତ କୋଚ୍ ସହିତ LHB କୋଚ ରହିବ ।

ଏହା ପୁସ୍ ପୁଲ ଟ୍ରେନ୍ ଭାବେ ଉଭୟ ପାର୍ଶ୍ୱରେ ଇଂଜିନ ସହିତ ଚଳାଚଳ କରିବ । ଏହା ରେଳ ଯାତ୍ରୀମାନଙ୍କ ପାଇଁ ସୁନ୍ଦର ତଥା ଆକର୍ଷଣୀୟ ଡିଜାଇନ୍ ସିଟ୍, ଉନ୍ନତ ଲଗେଜ୍ ର୍ୟାକ୍, ଉପଯୁକ୍ତ ମୋବାଇଲ୍ ଧାରକ ସହିତ ମୋବାଇଲ୍ ଚାର୍ଜିଂ ପଏଣ୍ଟ, ଏଲଇଡି ଲାଇଟ୍, ସିସିଟିଭି, ସର୍ବସାଧାରଣ ସୂଚନା ବ୍ୟବସ୍ଥା ଭଳି ଉନ୍ନତ ସୁବିଧା ଯୋଗାଇଦେବ ।