/odishatv-khabar/media/post_attachments/uploadimage/library/16_9/16_9_0/Emergency_1750830362.jpg)
Emergency
ଜରୁରୀକାଳୀନ ପରିସ୍ଥିତିକୁ ପୂରିଲା ୫୦ ବର୍ଷ । ୧୯୭୫ ମସିହା ଜୁନ୍ ୨୫ରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା । ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ୨୬ ଜୁନ୍ ରେ ରେଡିଓ ମାଧ୍ୟମରେ ଇମରଜେନ୍ସି ନେଇ ଦେଶବାସୀଙ୍କୁ ସୂଚନା ଦେଇଥିଲେ । ରାଜନୈତିକ ଅସ୍ଥିରତା ପାଇଁ ଦେଶରେ ଜରୁରୀ ପରିସ୍ଥିତି ଲାଗୁ କରାଯାଇଥିଲା ବୋଲି କୁହାଯାଏ । ଜରୁରୀକାଳୀନ ସମୟରେ ଅନେକ ଜିନିଷ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଗଣମାଧ୍ୟମରେ ସ୍ୱର ଦମନ କରିବା ସହ ନାଗରିକଙ୍କ ସ୍ୱାଧୀନତା ମଧ୍ୟ ସୀମିତ କରାଯାଇଥିଲା । ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ନିଜର ଏକଛତ୍ରବାଦୀ ମାନସିକତା ପ୍ରଦର୍ଶନ କରି ଦେଶରେ ଜରୁରୀକାଳୀନ ପରିସ୍ଥିତି ଲଗାଇ ଭାରତୀୟ ଗଣତନ୍ତ୍ରର ଆତ୍ମାକୁ ତଣ୍ଟି ଚିପି ହତ୍ୟା କରିଥିଲେ ବୋଲି ଅଭିଯୋଗ କରିଛି ବିଜେପି । ଲକ୍ଷ ଲକ୍ଷ ଲୋକଙ୍କୁ ବିନା କାରଣରେ ଜେଲରେ ଭର୍ତ୍ତି କରିଦେଇଥିଲେ ।
ଅଧିକ ପଢ଼ନ୍ତୁ: ଜଏଣ୍ଟ ଅର୍ଡର ଜାରି କରିବାକୁ ସିଡିଏସଙ୍କୁ ମିଳିଲା କ୍ଷମତା
ଜରୁରୀକାଳୀନ ପରିସ୍ଥିତିର ଇତିହାସ:-
୧୯୭୫ ମସିହା ଜୁନ ୨୫ ତାରିଖରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି ୧୯୭୭ ମସିହା ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ଚାଲିଥିଲା । ଏହି ସମୟ ଭାରତ ଇତିହାସର ଏକ ବିବାଦୀୟ ସମୟ । ଦେଶର ଆଭ୍ୟନ୍ତରୀଣ ଅଶାନ୍ତି କାରଣରୁ ସମ୍ବିଧାନର ଧାରା ୩୫୨ ଅନୁଯାୟୀ, ଏହା ଲାଗୁ କରାଯାଇଥିଲା ।
୧୯୭୦ ଦଶକରେ ରାଜନୈତିକ ଅସ୍ଥିରତା ବୃଦ୍ଧି ପାଇବାରେ ଲାଗିଥିଲା । ବିରୋଧି ଦଳ ନେତା ଜୟପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ବିହାର ଏବଂ ଗୁଜୁରାଟରେ ଆନ୍ଦୋଳନ ବୃଦ୍ଧି ପାଉଥିଲା । ବେରୋଜଗାରୀ, ମୁଦ୍ରାସ୍ପ୍ରୀତି ବୃଦ୍ଧି ଓ ଦୁନୀତିକୁ ଭିତ୍ତି କରି ଏହି ଆନ୍ଦୋଳନ ଜାରି ରହିଥିଲା ।
ଏହା ଭିତରେ ୧୯୭୫ ଜୁନ୍ ୧୨ରେ ଆଲ୍ହାବାଦ ହାଇକୋର୍ଟ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ଏକ ଗମ୍ଭୀର ରାୟ ଶୁଣାଇଥିଲେ । ୧୯୭୧ ମସିହାରେ ଲୋକସଭା ନିର୍ବାଚନର ପ୍ରଚାର ବେଳେ ଅନିୟମିତତା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ ଆଲ୍ହାବାଦ ହାଇକୋର୍ଟ । ଏ ନେଇ ଜନ ପ୍ରତିନିଧି ଆଇନ ୧୯୫୧ ଅନୁଯାୟୀ, ଆସନ୍ତା ୬ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢିବା ପାଇଁ ଅଯୋଗ୍ୟ ଘୋଷଣା କରିଥିଲେ । ସୁପ୍ରିମକୋର୍ଟ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରେ ରହିବା ଏବଂ ସଂସଦ କାର୍ଯ୍ୟରେ ଯୋଗଦେବା ପାଇଁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଥିଲେ । କିନ୍ତୁ ଭୋଟ ଦେବା ପାଇଁ ପ୍ରତିବନ୍ଧକ ଲଗାଇଥିଲେ ।
ତେବେ ତାଙ୍କ ବିରୋଧରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢିବାରେ ଲାଗୁଥିଲା । ଇନ୍ଦିରା ଗାନ୍ଧୀଙ୍କ ଇସ୍ତଫା ଦାବି କରୁଥିଲେ ବିରୋଧି ଦଳ ସମେତ ସାଧାରଣ ଲୋକେ । ବିରୋଧୀ ଦଳ ନେତା ଜୟପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ବିରୋଧ ଏତେ ମାତ୍ରାରେ ବଢିଗଲା ଯେ, ରାଷ୍ଟ୍ରପତି ଫକରୁଦ୍ଦିନ ଅଲ୍ଲୀ ଅହମ୍ମଦ ଧାରା ୩୫୨ ଅନୁଯାୟୀ ଆଭ୍ୟନ୍ତରୀଣ ଅଶାନ୍ତ ଦର୍ଶାଇ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । ଅନ୍ୟ ବିରୋଧି ଦଳଙ୍କୁ ପୋଲିସ୍ ଓ ସଶସ୍ତ୍ର ବାହିନୀ ବିରୋଧରେ ଉସୁକାଇବା ଅଭିଯୋଗରେ ଜୟପ୍ରକାଶ ନାରାୟଣଙ୍କ ବିରୋଧରେ ପ୍ରେସ ନୋଟ ଜାରି କରିଥିଲେ ।
ତୃତୀୟ ଥର ପାଇଁ ଭାରତରେ ୧୯୭୫ ମସିହାରେ ଜରୁରୀକାଳୀନ ପରିସ୍ଥିତି ଲାଗିଥିଲା । ଏହା ପୂର୍ବରୁ ୧୯୬୨ ମସିହାରେ ଚାଇନା ସହିତ ଭାରତର ଯୁଦ୍ଧ ଓ ୧୯୭୧ରେ ପାକିସ୍ତାନ ସହିତ ଭାରତର ଯୁଦ୍ଧ ସମୟରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା । ପୂର୍ବ ଦୁଇ ଥର ଯୁଦ୍ଧ ଓ ବାହ୍ୟ ଅଶାନ୍ତି ଫଳରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିବା ବେଳେ ଏଥର ଦେଶର ଆଭ୍ୟନ୍ତରୀଣ ଅଶାନ୍ତିକୁ ନେଇ ଲାଗୁ କରାଯାଇଥିଲା ।
ଅଧିକ ପଢ଼ନ୍ତୁ: ବଢ଼ିଲା ଟ୍ରେନ ଭଡ଼ା, ଏଣିକି ଦେବାକୁ ପଡିବ ଏତିକି ଟଙ୍କା
ଏହି ସମୟରେ ସାଧାରଣ ଲୋକଙ୍କ କଣ୍ଠରୋଧ କରାଯାଇଥିଲା । ୨୭ ଜୁନ ୧୯୭୫ରେ ଧାରା ୩୫୮ ଓ ଧାରା ୩୫୯ ଲାଗୁ କରାଯାଇଥିଲା । ଧାରା ୩୫୮ ଅନୁଯାୟୀ, ଧାରା ୧୯ରେ ଥିବା ସାଧାରଣ ସୁରକ୍ଷା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ସାଧାରଣ ନାଗରିକଙ୍କୁ ମୁକ୍ତ ଭାଷଣ, ବାକ ସ୍ୱାଧୀନତା ଓ ଅବିବ୍ୟକ୍ତି ଉପରେ ରୋକ ଲାଗିଥିଲା । ସେହିପରି ଧାରା ୩୫୯ ଅନୁଯାୟୀ, ଧାରା ୧୪,୨୧ ଓ ୨୨ରେ ଥିବା ମୌଳିକ ଅଧିକାର ଯେପରିକି ବ୍ୟକ୍ତିଗତ ସ୍ୱାଧୀନତା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ସାଧାରଣ ଲୋକମାନେ ଆଶ୍ୱସ୍ତି ପାଇଁ କୋର୍ଟ ମଧ୍ୟ ଯାଇ ପାରିଲେ ନାହିଁ ।
୨୬ ଜୁନ ୧୯୭୫ରେ ଖବରକାଗଜ ଉପରେ ସେନ୍ସରସିପ୍ ଲଗା ଯାଇଥିଲା । ଖବରକାଗଜରେ ସ୍ତମ୍ଭ ଓ ଖବର ଛାପିବା ପୂର୍ବରୁ ସମ୍ପାଦକମାନଙ୍କୁ ସରକାରଙ୍କ ଅନୁମତି ଲୋଡିବାକୁ ପଡିଥିଲା । ୨୦ ଜୁଲାଇ ୧୯୭୫ରେ ଚଳଚ୍ଚିତ୍ର ଉପରେ ନଜର ରଖିବା ପାଇଁ ବୋର୍ଡ ଅଫ ଫିଲ୍ମ ସେନ୍ସରକୁ ପୁନର୍ଗଠିତ କରାଯାଇଥିଲା । ୧ ଫେବୃଆରୀ ୧୯୭୬ରେ ଭାରତର ଚାରିଟି ମୁଖ୍ୟ ନ୍ୟୁଜ ଏଜେନ୍ସି ପିଟିଆଇ, ୟୁଏନଆଇ, ସମାଚାର ଭାରତୀ ଏବଂ ହିନ୍ଦୁସ୍ତାନ ସମାଚାରକୁ ଏକକ ସଂସ୍ଥାରେ ପରିବର୍ତ୍ତନ କରାଯାଇଥିଲା । ପ୍ରେସ କାଉନସିଲ୍ ଅଫ ଇଣ୍ଡିଆକୁ ଉଚ୍ଛେଦ କରାଯାଇଥିଲା ।
୧୯୭୭ ମସିହା ମାର୍ଚ୍ଚ ୧୬ରୁ ୨୦ ମଧ୍ୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ୨୧ ମାର୍ଚ୍ଚ ୧୯୭୭ରେ ଜରୁରୀକାଳୀନ ପରିସ୍ଥିତିକୁ ହଟାଇ ଦିଆଯାଇଥିଲା । ନିର୍ବାଚନରେ କଂଗ୍ରେସ ପରାଜୟ ହେବା ପରେ ଭାରତୀୟ ଜନତା ପାର୍ଟି ୨୪ ମାର୍ଚ୍ଚ ୧୯୭୭ରେ ସରକାର ଗଠନ କରିଥିଲା । ଏହା ପରେ ଜରୁରୀକାଳୀନ ପରିସ୍ଥିତି ସମୟରେ ହୋଇଥିବା ଅପବ୍ୟବହାର ଓ ସାଧାରଣ ନାଗରିକଙ୍କୁ ନିର୍ଯାତନାର ସମୀକ୍ଷା କରିବା ପାଇଁ ମେ ୧୯୭୭ରେ ଶାହ କମିଶନ ଗଠନ କରାଯାଇଥିଲା ।
ଜଷ୍ଟିସ୍ ଜେ.ସି ଶାହଙ୍କ ଅଧ୍ୟକ୍ଷତାରେ ଜରୁରୀକାଳୀନ ପରିସ୍ଥିତିର ପ୍ରଭାବ ସମ୍ପର୍କରେ ତଦନ୍ତ କରାଯାଇଥିଲା । ତଦନ୍ତ ରିପୋର୍ଟରେ ଜଣା ପଡିଥିଲା ଯେ, ଭାରତରେ ଜେଲରେ ୧,୮,୩୬୯ କଏଦୀଙ୍କ ପାଇଁ ରହିବା କ୍ଷମତା ଥିବା ବେଳେ ୨,୨.୧୪୬ ଜଣ କଏଦୀଙ୍କୁ ରଖାଯାଇଥିଲା । ୧ ଲକ୍ଷ ୨୬ ହଜାରରୁ ଅଧିକ କଏଦୀ ବିଚାରାଧୀନ ଥିଲେ । ୨୫,୯୬୨ ଜଣ ସରକାରୀ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା । ଖବରକାଗଜ କାର୍ଯ୍ୟାଳୟକୁ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା । ଗଣମାଧ୍ୟମ ସଂସ୍ଥା ଗୁଡିକୁ ସ୍ତମ୍ଭ ଅନୁଯାୟୀ ବନ୍ଧୁତ୍ୱପୂର୍ଣ୍ଣ, ନିରପେକ୍ଷ ଓ ବିରୋଧୀ ଭଳି ବର୍ଗରେ ବର୍ଗୀକରଣ କରାଯାଇଥିଲା ।
ଜରୁରୀକାଳୀନ ମୁଖ୍ୟତଃ ଗଣତନ୍ତ୍ର ଓ ସମ୍ବିଧାନ ଉପରେ ପ୍ରଭାବ ପକାଇଥିଲା । ୧୯୭୫ ମସିହାରେ ଜରୁରୀ ପରିସ୍ଥିତି ସମୟରେ ଯେଉଁମାନେ ଅମାନୁଷିକ ଯନ୍ତ୍ରଣା ଭୋଗିଥିଲେ, ସେମାନଙ୍କ ଅବଦାନକୁ ସ୍ମରଣ କରିବା ପାଇଁ ଆଜିର ଦିନକୁ ସମ୍ବିଧାନ ହତ୍ୟା ଦିବସ ଭାବରେ ପାଳନ କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)