• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଲାଲୁ ପ୍ରସାଦ ଯାଦବଙ୍କ ପରିବାରକୁ ବରବାଦ କରିବାକୁ ହେଉଛି କି ଷଡ଼ଯନ୍ତ୍ର ? ଆରଜେଡି ସୁପ୍ରିମୋଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ପତ୍ନୀ ଐଶ୍ୱର୍ଯ୍ୟାଙ୍କ ସହ ଛାଡପତ୍ର ସମ୍ପର୍କରେ କୋର୍ଟରେ ଶୁଣାଣି ପରେ ଶ୍ୱଶୁର ଘର ଲୋକଙ୍କୁ ଟାର୍ଗେଟ କରିଛନ୍ତି । ଏଥିପାଇଁ ସେ ସୋସିଆଲ ମିଡିଆର ସାହାଯ୍ୟ ନେଇଛନ୍ତି । ଫେସବୁକରେ ଲାଇଭ୍‌ ଆସି ତେଜ୍‌ ପ୍ରତାପ କହିଛନ୍ତି, ତାଙ୍କୁ ଏବଂ ତାଙ୍କ ପରିବାରକୁ ଶ୍ୱଶୁର ଘର ଲୋକ ହଇରାଣ କରୁଛନ୍ତି ।

ସେମାନଙ୍କ ଠାରୁ କୋଟି ଟଙ୍କା ଦାବି କରାଯାଉଛି । ଲାଲୁ ପରିବାରକୁ ଧ୍ୱଂସ କରିବା ପାଇଁ ଏକ ଷଡଯନ୍ତ୍ର ରଚାଯାଉଛି । ଏହାସହ ତେଜ ପ୍ରତାପ ଶ୍ୱଶୁର ଘର ଲୋକଙ୍କୁ ସିଧାସଳଖ ଚେତାବନୀ ମଧ୍ୟ ଦେଇଛନ୍ତି । ଏପରି ହଇରାଣ ହରକତ କଲେ, ସେ ଚୁପ୍ ରହିବେ ନାହିଁ । ସମସ୍ତଙ୍କ ପୋଲ୍‌ ଖୋଲିଦେବେ ବୋଲି କହିଛନ୍ତି ।

ପ୍ରାୟ ସାଢ଼େ ଆଠ ମିନିଟର ଫେସବୁକ୍ ଲାଇଭ କରି ତେଜ ପ୍ରତାପ କହିଛନ୍ତି , ତାଙ୍କ ବାପା ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ନାହିଁ । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏପରି ଅବସ୍ଥାରେ ମଧ୍ୟ ତାଙ୍କୁ ବଦନାମ କରିବା ପାଇଁ ଷଡଯନ୍ତ୍ର ହେଉଛି । କେବଳ ଏତିକି ନୁହେଁ ମା ରାବିଡ଼ି ଦେବୀଙ୍କୁ ମଧ୍ୟ ଦୁର୍ବ୍ୟବହାର କରିବା ସହ ଆକ୍ରମଣ କରାଯାଇଥିଲା । ଭାଇ, ଭଉଣୀ ଓ ପରିବାର ଲୋକଙ୍କୁ ଶ୍ୱଶରୁ ଘର ଲୋକେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଛନ୍ତି । ଗତ ୪ ବର୍ଷ ଧରି ଅପମାନର ଶିକାର ହେବାକୁ ପଡ଼ୁଛି ବୋଲି ସେ କହିଛନ୍ତି ।

ଐଶ୍ୱର୍ଯ୍ୟାଙ୍କ ସହ ଛାଡପତ୍ର ମାମଲା କୋର୍ଟ ମାଧ୍ୟମରେ ଶେଷ କରିବାକୁ ଚାହୁଁଛନ୍ତି ତେଜ ପ୍ରତାପ । ନ୍ୟାୟ ପ୍ରକ୍ରିୟା ଏବଂ କୋର୍ଟ ଉପରେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି । ହେଲେ ଶ୍ୱଶୁର ଘର ଲୋକ ଜାଣିଶୁଣି ହଇରାଣ କରୁଛନ୍ତି । ଅଧିକ ହଇରାଣ କଲେ ସେ ଚୁପ୍‌ ବସିବେ ନାହିଁ ଚେତାବନୀ ଦେଇଛନ୍ତି। ପ୍ରମାଣ ସ୍ୱରୂପ ପାଖରେ ଏକ ହଜାର ଭିଡିଓ କ୍ଲିପ୍‌ ଅଛି ବୋଲି ସେ କହିଛନ୍ତି । ଯଦି ସେମାନେ ଚାହାଁନ୍ତି, ସେମାନେ ଶ୍ୱଶୁର ଘର ଲୋକଙ୍କୁ ବଦନାମ କରିପାରିବେ । କିନ୍ତୁ ଏହା ଉଭୟ ପରିବାରର ବ୍ୟକ୍ତିଗତ ବିଷୟ । ତେଣୁ ଏହାକୁ ସର୍ବସାଧାରଣରେ ଦେଖାଇ ଅପମାନିତ କରିବାକୁ ଚାହୁଁନାହାନ୍ତି ବୋଲି ସେ କହିଛନ୍ତି ।