• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜଳୁଛି କାଲ୍ଲାକୁରୁଚି । ଚାରିଆଡ଼େ ଭଙ୍ଗାରୁଜା, ପୋଡ଼ାଜଳା । ତାମିଲନାଡୁର କାଲ୍ଲାକୁରୁଚିରେ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ । ନ୍ୟାୟ ଦାବିରେ ଶତାଧିକ ଲୋକ ଗତକାଲି ବ୍ୟାପକ ପୋଡ଼ାଜଳା ସହ ପଥର ମାଡ଼ କରିଥିଲେ । ଆନ୍ଦୋଳନକାରୀ ଛାତ୍ରୀ ପଢୁଥିବା ସ୍କୁଲ ବସରେ ନିଆଁ ଲଗାଇ ଦେଇଥିଲେ । ଆତ୍ମହତ୍ୟା ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ୍ ଛାତ୍ରୀଙ୍କ ସ୍କୁଲର ଆଉ ୨ ଜଣ ଶିକ୍ଷୟିତ୍ରୀଙ୍କୁ ଗିରଫ କରିଛି । ଏହାକୁ ମିଶାଇ ଗିରଫଦାରୀ ସଂଖ୍ୟା ୫କୁ ବୃଦ୍ଧି ପାଇଛି ।

ପୂର୍ବରୁ ସ୍କୁଲର ପ୍ରିନ୍ସିପାଲଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଥିଲା । ବର୍ତ୍ତମାନ ସ୍କୁଲ ପରିସରରେ ୧୪୪ ଧାରା ଜାରି କରାଯାଇଛି । ସେପଟେ ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରାଯାଇଛି । ସେହିପରି ଗତକାଲିର ହିଂସା ପାଇଁ ୧୨୦ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ସେମାନଙ୍କୁ କୋର୍ଟରେ ହାଜର କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଛାତ୍ରୀଙ୍କୁ ତାଙ୍କ ସ୍କୁଲର ଶିକ୍ଷୟିତ୍ରୀମାନେ ର୍ନିଯାତନା ଦେଉଥିଲେ । ଜୁଲାଇ ୧୩ରେ ସ୍କୁଲ ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ ଛାତ୍ରୀ । ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଛାତ୍ରୀଙ୍କ ଶରୀରରେ ଏକାଧିକ କ୍ଷତଚିହ୍ନ ଥିବା ଜଣାପଡ଼ିଛି । ପ୍ରଥମେ ଜଣେ ଶିକ୍ଷୟିତ୍ରୀ ତାଙ୍କୁ ର୍ନିଯାତନା ଦେଉଥିବା କୁହାଯାଉଥିଲା । ହେଲେ ତଦନ୍ତ ବେଳେ ଆଉ କିଛି ଶିକ୍ଷୟିତ୍ରୀଙ୍କ ନାଁ ସାମ୍ନାକୁ ଆସିଥିଲା ।

 

ଏସବୁ ଭିତରେ ପୋଲିସ୍‌ ସୋମବାର ସ୍କୁଲର କେମେଷ୍ଟ୍ରୀ ଶିକ୍ଷୟିତ୍ରୀ ହରପ୍ରିୟା ଓ ଗଣିତ ଶିକ୍ଷୟିତ୍ରୀ କିରତିକାଙ୍କୁ ଗିରଫ କରିଛି । ପୂର୍ବରୁ ସ୍କୁଲ ପ୍ରିନ୍ସିପାଲ ଓ ମ୍ୟାନେଜମେଣ୍ଟର ୨ ଜଣଙ୍କୁ ଗିରଫ କରାଯାଇଥିଲା । ଆତ୍ମହତ୍ୟା ଘଟଣାକୁ ନେଇ ସାଲେମ ଜିଲ୍ଲାରେ ଲୋକମାନେ ବିକ୍ଷୋଭ କରିବା ସହ ପୋଡ଼ାଜଳା କରିଛନ୍ତି । ସେମାନେ ସ୍କୁଲ ବସ ଓ ପୋଲିସ୍‌ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି । ଏଥିରେ ଏକାଧିକ ପୋଲିସ୍‌ ଅଧିକାରୀ ଆହତ ହୋଇଛନ୍ତି । ପ୍ରଥମେ ସ୍କୁଲ ସାମ୍ନାରେ ପ୍ରାୟ ୫୦୦ ଜଣ ଲୋକ ବିକ୍ଷୋଭ କରିବାକୁ ଏକାଠି ହୋଇଥିଲେ ।

ସେମାନେ ଶାନ୍ତପୂର୍ଣ୍ଣ ଭାବେ ବିକ୍ଷୋଭ କରୁଥିବା ବେଳେ ହଠାତ୍‌ ଏଭଳି ହିଂସାତ୍ମକ ରୂପ ଧାରଣ କରିଥିଲା । ବିକ୍ଷୋଭକାରୀମାନେ ସ୍କୁଲ ଓ ସେଠାରେ ମୁତୟନ ଥିବା ପୋଲିସ୍‌ କର୍ମଚାରୀଙ୍କ ଉପରକୁ ପଥର ମାଡ଼ କରିଥିଲେ । ସେହିପରି ବସ୍‌ରେ ନିଆଁ ଲଗାଇବା ସହ ସ୍କୁଲ ସମ୍ପତ୍ତିକୁ ଭଙ୍ଗାରୁଜା କରିଥିଲେ । ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ୍‌ ପକ୍ଷରୁ ଲାଠି ମାଡ଼ କରାଯିବାରୁ ତୀବ୍ର ସଂଘର୍ଷ ଦେଖିବାକୁ ମିଳିଥିଲା ।