• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

୧ କୋଟି ଟଙ୍କାର ବୀମା ରାଶି ପାଇଁ ସାଙ୍ଗକୁ କଲା ହତ୍ୟା। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ତାମିଲନାଡ଼ୁରେ। ତାମିଲନାଡୁର ଜଣେ ବ୍ୟକ୍ତି ୧ କୋଟି ଟଙ୍କା ବୀମା ରାଶି ପାଇଁ କେବଳ ନିଜକୁ ମୃତ ଘୋଷଣା କରିନାହାନ୍ତି ବରଂ ତାଙ୍କ ବନ୍ଧୁଙ୍କୁ ମଧ୍ୟ ହତ୍ୟା କରିଛନ୍ତି। ଚେନ୍ନାଇର ସୁରେଶ ନାମକ ଜଣେ ବ୍ୟକ୍ତି ମିଛରେ ନିଜକୁ ମୃତ ଘୋଷଣା କରି ପରିବାର ଲୋକଙ୍କ ଦ୍ୱାରା ୧ କୋଟି ଟଙ୍କା ବୀମା ରାଶି ହାସଲ କରିବାକୁ ଏଭଳି ଯୋଜନା କରିଥିଲେ। ଏହା ସହ ନିଜ ଚେହେରା ସହିତ ମେଳ ଖାଉଥିବା ଜଣେ ବ୍ୟକ୍ତିଙ୍କୁ ହତ୍ୟା ମଧ୍ୟ କରିଥିଲେ।

ପୋଲିସର ସୂଚନାନୁସାରେ, ଆୟାନଭାରାମ ନିବାସୀ ସୁରେଶ ହରିକୃଷ୍ଣନ ଜୀବନ ବୀମା ପଲିସିରେ ୧ କୋଟି ଟଙ୍କା ଦାବି କରି ତାଙ୍କ ମୃତ୍ୟୁକୁ ନକଲି କରିବାକୁ ଯୋଜନା କରିଥିଲେ । ତା’ପରେ ସେ, ତାଙ୍କର ଦୁଇ ସାଙ୍ଗଙ୍କ ସହିତ ମିଶି ନିଜ ଚେହେରା ସହ ମେଳ ଖାଉଥିବା ଜଣେ ବ୍ୟକ୍ତିଙ୍କୁ ଖୋଜିଥିଲେ। ଏହି ତିନି ଜଣ ମିଶି ଦିଲ୍ଲିବାବୁ ନାମରେ ଜଣେ ବ୍ୟକ୍ତିଙ୍କୁ ଖୋଜିଥିଲେ। ଯାହାଙ୍କୁ ଦଶ ବର୍ଷ ପୂର୍ବରୁ ସୁରେଶ ଜାଣିଥିଲା।

ଏହାପରେ ତିନିଜଣ ମିଶି ମଦ୍ୟପାନ ଲାଗି ଦିଲ୍ଲିବାବୁଙ୍କୁ ପୁଡ୍ଡୁଚେରୀ ନେଇଗଲେ । ମଦ୍ୟପାନ କରାଇ ସେମାନେ ଦିଲ୍ଲିବାବୁଙ୍କୁ ସୁରେଶଙ୍କ ପରିବାର ମାଲିକାନାରେ ଥିବା ବିଲରେ ଗଢ଼ାଯାଇଥିବା ଗୋଟାଏ କୁଡ଼ିଆକୁ ନେଇଯାଇଥିଲେ । ଦିଲ୍ଲିବାବୁଙ୍କୁ ସେହି କୁଡ଼ିଆରେ ପୂରାଇ ସେମାନେ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣା ପରେ ସୁରେଶ ଫେରାର୍‌ ହୋଇଯାଇଥିଲା। ସୁରେଶ ନିଆଁରେ ପୋଡ଼ି ମରି ଯାଇଛି ଭାବି ତାଙ୍କ ପରିବାର ଲୋକେ ଶେଷକୃତ୍ୟ କରିଥିଲେ।

ଅନ୍ୟପଟେ ନିଜ ପୁଅକୁ ନ ପାଇ ଦିଲ୍ଲିବାବୁଙ୍କ ମା’ ଲୀଳାବତୀ ଥାନାରେ ଏତଲା ଦେଇଥିଲେ। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ମାଡ୍ରାସ୍‌ ହାଇକୋର୍ଟରେ ପିଟିସନ୍‌ ଦାଏର କରିଥିଲେ ଲୀଳାବତୀ । ତଦନ୍ତ କରିବା ପରେ ପୋଲିସ୍‌ ଜାଣିବାକୁ ପାଇଥିଲା କି ଶେଷ ଥର ପାଇଁ ଦିଲ୍ଲିବାବୁଙ୍କୁ ସୁରେଶଙ୍କ ସହ ଦେଖିବାକୁ ମିଳିଥିଲା। ଏହାକୁ ଆଧାର କରି ପୋଲିସ ସୁରେଶଙ୍କ ଗାଁକୁ ଯାଇଥିଲା। କିନ୍ତୁ ସୁରେଶ ମୃତ ବୋଲି ସେଠାରେ ଥିବା ସମ୍ପର୍କୀୟମାନେ କହିଥିଲେ। କିନ୍ତୁ ପୋଲିସ୍‌ର ସନ୍ଦେହ ବଢ଼ିଥିଲା।

ଏହାପରେ ପୋଲିସ୍‌ ସୁରେଶ ଓ ଦିଲ୍ଲିବାବୁଙ୍କ ମୋବାଇଲ ଟ୍ରାକ୍‌ କରିଥିଲେ। ଫୋନ୍‌ ଟ୍ରାକ୍‌ କରିବା ପରେ ପୋଲିସ୍‌ ଜାଣିବାକୁ ପାଇଥିଲା କି ଯେଉଁ କୁଡ଼ିଆରେ ଦିଲ୍ଲିବାବୁଙ୍କୁ ଜାଳିଥିଲେ ସେଠାରେ ତାଙ୍କ ଫୋନ୍‌ ସିଗନାଲ୍‌ ସକ୍ରିୟ ଥିଲା। ଏହାପରେ ପୋଲିସ୍‌ ସୁରେଶ ଜୀବିତ ଥିବା ତାଙ୍କ ସାଙ୍ଗମାନଙ୍କଠୁ ଜାଣିବାକୁ ପାଇଥିଲା। ତେବେ ପଚରାଉଚରା ପରେ ସୁରେଶ ଓ କିର୍ତ୍ତୀରାଜନ୍ ଦିଲ୍ଲିବାବୁଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ। ଏହାପରେ ପୋଲିସ୍ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।