Stamp Vendor
୨୨ ବର୍ଷ ଧରି ଚାଲିଲା ଆଇନଗତ ଲଢ଼େଇ । ଷ୍ଟାମ୍ପ ଭେଣ୍ଡର ଭାବେ ଦୁଇ ଟଙ୍କା ଲାଞ୍ଚ ନେଇ ଧରା ପଡିଥିଲେ । ଷ୍ଟାମ୍ପ ଭେଣ୍ଡରମାନେ ଦୁର୍ନୀତି ନିବାରଣ ଆଇନ ଅନ୍ତର୍ଭୁକ୍ତ ହେବେ କି ନାହିଁ, ତାକୁ ନେଇ ସୃଷ୍ଟି ହୋଇଥିଲା ବିବାଦ ।
୨୦୦୩ ମସିହା ଡିସେମ୍ୱର ମାସରେ ଦିଲ୍ଲୀର ଜଣେ ଷ୍ଟାମ୍ପ ଭେଣ୍ଡର ୧୦ ଟଙ୍କାର ଷ୍ଟାମ୍ପ ପେପରକୁ ୧୨ ଟଙ୍କାରେ ବିକ୍ରି କରିଥିଲେ । ସେ କେମିକାଲ ବୋଳା ଟଙ୍କା ନେବା ବେଳେ ଦୁର୍ନୀତି ନିବାରଣ ବିଭାଗ କର୍ମଚାରୀଙ୍କ ଦ୍ୱାରା ଧରାପଡିଥିଲେ । ୨ ଟଙ୍କାର ଦୁର୍ନୀତିକୁ ନେଇ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ନ୍ୟାୟପାଳିକାକୁ କସରତ କରିବାକୁ ପଡିଛି । ଷ୍ଟାମ୍ପ ଭେଣ୍ଡରମାନେ ଦୁର୍ନୀତି ନିବାରଣ ଆଇନ ଅନୁସାରେ ‘ପବ୍ଲିକ ସର୍ଭାଣ୍ଟ’ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
୨୦୦୩ ଡିସେମ୍ୱର ୯ ତାରିଖରେ ଦିଲ୍ଲୀର ଜନକପୁରୀ ସବରେଜିଷ୍ଟ୍ରାର ଅଫିସ ନିକଟରେ ଏହି ଷ୍ଟାମ୍ପ ଭେଣ୍ଡର ଜଣକ ଷ୍ଟାମ୍ପ ପେପରରେ ୨ ଟଙ୍କା ଅଧିକ ନେଇ ଯାଇଥିଲେ । ଧରାପଡିବା ପରେ ତାଙ୍କ ବିରୋଧରେ କେଶ୍ ହେଲା । ୨୦୦୮ ମସିହାରେ ଦିଲ୍ଲୀର ଏକ କୋର୍ଟ ତାଙ୍କୁ ବର୍ଷେ ଜେଲ୍ ଦଣ୍ଡ ସହ ୧୦୦୦ ଟଙ୍କା ଜରିମାନାରେ ଦଣ୍ଡିତ କରିଥିଲେ । ପରେ ଦିଲ୍ଲୀ ହାଇକୋର୍ଟରେ ଏହି ଆଦେଶକୁ ଚାଲେଞ୍ଜ କରିଥିଲେ ଷ୍ଟାମ୍ପ ଭେଣ୍ଡର । ଦିଲ୍ଲୀ ହାଇକୋର୍ଟରେ ୬ ବର୍ଷ ଧରି ଏହି କେଶ୍ ଚାଲିଥିଲା । ତଳ କୋର୍ଟର ଆଦେଶକୁ କାଏମ୍ ରଖିଥିଲେ ଦିଲ୍ଲୀ ହାଇକୋର୍ଟ । ଷ୍ଟାମ୍ପ ଭେଣ୍ଡରମାନେ ଦୁର୍ନୀତି ନିବାରଣ ଆଇନ ଅନ୍ତର୍ଭୁକ୍ତ ବୋଲି କହିଥିଲେ ।
ଅଧିକ ପଢ଼ନ୍ତୁ: ପାକ୍ ବିରୋଧରେ ଭାରତର ବଡ଼ ଆକ୍ସନ, ପାକିସ୍ତାନରୁ ସମସ୍ତ ପ୍ରକାର ଆମଦାନୀ ବ୍ୟାନ୍
ଏହି ମାମଲା ପରେ ସୁପ୍ରିମକୋର୍ଟ ଯାଇଥିଲା । ସୁପ୍ରିମକୋର୍ଟରେ ୧୧ ବର୍ଷ ଚାଲିଲା କେଶ୍ । ତଳ କୋର୍ଟ ଓ ହାଇକୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିବା ଷ୍ଟାମ୍ପ ଭେଣ୍ଡରଙ୍କୁ ସୁପ୍ରିମକୋର୍ଟ ଉପଯୁକ୍ତ ପ୍ରମାଣ ଅଭାବରୁ ଖଲାସ କରିଛନ୍ତି । ତେବେ ୪୫ ପୃଷ୍ଠାର ରାୟରେ ସୁପ୍ରିମକୋର୍ଟ କହିଛନ୍ତି, ସାରା ଦେଶରେ ଷ୍ଟାମ୍ପ ଭେଣ୍ଡରମାନେ ପବ୍ଲିକ ଡ୍ୟୁଟି କରୁଛନ୍ତି । ଏଥିପାଇଁ ସରକାରଙ୍କ ଠାରୁ ପାରିତୋଷିକ ପାଉଛନ୍ତି । ତେଣ ଦୁର୍ନୀତି ନିବାରଣ ଆଇନ ଆଖିରେ ସେମାନେ ପବ୍ଲିକ ସର୍ଭାଣ୍ଟ । ଦୁର୍ନୀତି ନିବାରଣ ପାଇଁ ବ୍ୟବସ୍ଥାପିକା ଦ୍ବାରା ପବ୍ଲିକ ସର୍ଭାଣ୍ଟର ସଂଜ୍ଞା ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି । ଜଣେ ବ୍ୟକ୍ତି କେଉଁ ପ୍ରକାରର କାମ କରୁଛନ୍ତି, ତାର ଗୁରୁତ୍ୱକୁ ଦେଖି ସେ ଏହି ଆଇନ ପରିସରଭୁକ୍ତ ହେବେ କି ନାହିଁ ତାହା ସ୍ଥିର କରାଯାଏ ।
ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି, ଷ୍ଟାମ୍ପ ଭେଣ୍ଡରମାନେ ସରକାରଙ୍କ ଠାରୁ ଲାଇସେନ୍ସ ପାଇଛନ୍ତି । ଷ୍ଟାମ୍ପ ପେପର ବିକ୍ରି କଲେ ସେମାନେ ଡିସକାଉଣ୍ଟ ପାଉଛନ୍ତି । ସରକାରଙ୍କ ଠାରୁ ପାରିତୋଷିକ ପାଉଥିବାରୁ ସେମାନେ ପବ୍ଲିକ ସର୍ଭାଣ୍ଟ ଭାବେ ଗଣା ହେବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ୨ ଟଙ୍କା ଅଧିକ ନେଇ ୨୨ ବର୍ଷ ଧରି ଆଇନଗତ ଲଢ଼େଇ ପରେ ମୁକୁଳିଛନ୍ତି ଏହି ଷ୍ଟାମ୍ପ ଭେଣ୍ଡର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746260898.jpg)