• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବାବା ରାମଦେବଙ୍କ ଉପରେ ବର୍ଷିଛନ୍ତି ସର୍ବୋଚ୍ଚ ଅଦାଲତ । ଔଷଧୀୟ ଦ୍ରବ୍ୟର ବିଜ୍ଞାପନ ସଂପର୍କରେ ପତଞ୍ଜଳି ଆୟୁର୍ବେଦ ବିରୋଧରେ ହୋଇଥିବା ମାମଲାର ଶୁଣାଣି ବେଳେ ଯୋଗ ଗୁରୁଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ରାମଦେବଙ୍କ ଏପରି "ଦାୟିତ୍ୱହୀନ ଆଚରଣ" ପାଇଁ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ ।

ଏହାର ପରବର୍ତ୍ତୀ ଶୁଣାଣି ଆସନ୍ତା ଏପ୍ରିଲ ୨୬ ରେ ହେବ । ଜଷ୍ଟିସ୍ ହିମା କୋହଲି ଏବଂ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି । ଶୁଣାଣି ବେଳେ ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଲକୃଷ୍ଣ ଉପସ୍ଥିତ ଥିବା ଜଣାପଡ଼ିଛି ।

ଯୋଗ ଗୁରୁ କହିଛନ୍ତି ଯେ, ଭୁଲ ପାଇଁ ଆମେ ନିସର୍ତ୍ତ ଭାବେ କ୍ଷମା ମାଗୁଛୁ । ସେତେବେଳେ ଯାହା କରିଥିଲୁ ତାହା ଠିକ୍ ନୁହେଁ । ଭବିଷ୍ୟତରେ ଏହାକୁ ମନେ ରଖିବୁ ବୋଲି ମଧ୍ୟ କହିଛନ୍ତି । ତେବେ ସୁପ୍ରିମକୋର୍ଟ ଏହାର ଜବାବରେ କହିଛନ୍ତି, ଆଇନ ସମସ୍ତଙ୍କ ପାଇଁ ସମାନ । ଯେଉଁ ରୋଗର ଉପଚାର ନାହିଁ ତାହାର କେମିତି ବିଜ୍ଞାପନ କଲ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି ।

ଏହା ଏକ ଦାୟିତ୍ୱହୀନ ଆଚରଣ । ଆପଣଙ୍କର କ୍ଷମା ଗ୍ରହଣ କରିବା ଉଚିତ ନୁହେଁ, ତେବେ ଏହା ଉପରେ ଚିନ୍ତା କରାଯିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ଅମାନୁଲ୍ଲା କହିଛନ୍ତି, "ଆପ ଦିଲ ସେ ମାଫି ନହିଁ ମାଙ୍ଗ୍ ରହେଁ ହେଁ .. ସୂଚନାଯୋଗ୍ୟ, କୋଭିଡ ସମୟରେ ଏହାର ଉପଚାର କେବଳ ଆୟୁର୍ବେଦରେ ସମ୍ଭବ ବୋଲି ପତଞ୍ଜଳି ପ୍ରଚାର କରିଥିଲା ।

ଏହାର ମେଡିସିନ ଏଲୋପାଥିରେ ନାହିଁ ବୋଲି କହିଥିଲା କମ୍ପାନୀ । ଏହାକୁ ନେଇ ପତଞ୍ଜଳି ଉପରେ ଖୁବ ବର୍ଷିଥିଲେ ସୁପ୍ରିମକୋର୍ଟ । ଡ୍ରଗ୍ସ ଏବଂ ମ୍ୟାଜିକ୍ ପ୍ରତିକାର (ଆପତ୍ତିଜନକ ବିଜ୍ଞାପନ) ଅଧିନିୟମ, ୧୯୫୪ ଅନୁସାରେ ସମସ୍ତ ବିଜ୍ଞାପନ ବନ୍ଦ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଗତ ଫେବ୍ରୁଆରୀ ୨୭ ରେ ସୁପ୍ରିମକୋର୍ଟ ପତଞ୍ଜଳି ଆୟୁର୍ବେଦକୁ ରକ୍ତଚାପ, ମଧୁମେହ, ଆର୍ଥ୍ରାଇଟିସ୍, ଆଜମା ଏବଂ ମୋଟାପଣ ଭଳି ରୋଗ ଉପରେ ଉତ୍ପାଦିତ ଔଷଧର ବିଜ୍ଞାପନ ପ୍ରକାଶ କରିବାକୁ ବାରଣ କରିଥିଲେ । ଏହା ପରେ ମଧ୍ୟ ପତଞ୍ଜଳି ଏପରି ବିଜ୍ଞାପନ ପ୍ରକାଶ କରିବା ଜାରି ରଖିଥିଲା ।

ଭ୍ରମାତ୍ମକ ବିଜ୍ଞାପନର ପ୍ରସାରଣ ଅଭିଯୋଗରେ ପତଞ୍ଜଳି ଆୟୁର୍ବେଦ ବିରୋଧରେ ଭାରତୀୟ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ଦ୍ୱାରା ଦାଖଲ କରାଯାଇଥିବା ଆବେଦନ ଉପରେ ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।