/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752485377.jpg)
Supreme Court
ବୈବାହିକ ବିବାଦ ମାମଲାରେ ପତିପତ୍ନୀଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଗୁପ୍ତ ରେକର୍ଡିଂକୁ ପ୍ରମାଣ ଭାବେ ଗ୍ରହଣ କରାଯାଇପାରିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଏ ସଂପର୍କରେ ଦେଇଥିବା ଏକ ରାୟକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ହାଇକୋର୍ଟ ଏକ ମାମଲାର ବିଚାର କରି କହିଥିଲେ, ପତି ବା ପତ୍ନୀ ଗୁପ୍ତ ଭାବେ ଟେଲିଫୋନ୍ ବାର୍ତ୍ତାଳାପ ରେକର୍ଡ କରିବା ଜଣକର ବ୍ୟକ୍ତିଗତ ଗୋପନୀୟତାରେ ଆଞ୍ଚ ଆଣୁଛି । ତେଣୁ ଏହାକୁ ଫାମିଲି କୋର୍ଟରେ ଆଇନତଃ ପ୍ରମାଣ ଭାବେ ଗ୍ରହଣ କରାଯାଇପାରିବନି । ହାଇକୋର୍ଟଙ୍କ ଏହି ଆଦେଶକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ ।
ଏହି ମାମଲାରେ ଜଣେ ସ୍ୱାମୀ ତାଙ୍କ ପତ୍ନୀଙ୍କ ସହ ହୋଇଥିବା ଟେଲିଫୋନ୍ ବାର୍ତ୍ତାଳାପକୁ ଗୁପ୍ତ ଭାବେ ରେକର୍ଡ କରି ଏକ କମ୍ପାକ୍ଟ ଡିସ୍କ (CD) ବା ମେମୋରୀ କାର୍ଡରେ ସାଇତି ରଖିଥିଲେ। ଏହି ରେକର୍ଡିଂକୁ ସେ ବିବାହ ବିଚ୍ଛେଦ ମାମଲାରେ ପ୍ରମାଣ ଭାବେ ଉପସ୍ଥାପନ କରିବାକୁ ଚାହିଁଥିଲେ, ଯେଉଁଥିରେ ସେ ପତ୍ନୀଙ୍କ ଦ୍ୱାରା ମାନସିକ ନିର୍ଯାତନାର ଅଭିଯୋଗ ଆଣିଥିଲେ। ବଥିଣ୍ଡାର ଫାମିଲି କୋର୍ଟ ୨୦୨୦ରେ ଏହି ରେକର୍ଡିଂକୁ ପ୍ରମାଣ ଭାବେ ଗ୍ରହଣ କରିବାକୁ ଅନୁମତି ଦେଇଥିଲେ ।
କିନ୍ତୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ୨୦୨୧ରେ ଏହାକୁ ଖାରଜ କରିଦେଇଥିଲେ । କାରଣ ଏହା ଗୋପନୀୟତା ଅଧିକାରର ଉଲ୍ଲଂଘନ ବୋଲି ବିବେଚନା କରାଯାଇଥିଲା। ସ୍ୱାମୀ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ସ୍ପେଶାଲ ଲିଭ ପିଟିସନ (SLP) ଦାୟର କରିଥିଲେ। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ବି.ଭି. ନାଗରତ୍ନା ଓ ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମାଙ୍କୁ ନେଇ ଗଠିତ ବେଞ୍ଚ ଏହି ମାମଲାର ଶୁଣାଣି କରିଥିଲେ । ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ବ୍ୟତିକ୍ରମ ବୈବାହିକ ବିବାଦରେ ନ୍ୟାୟ ପ୍ରଦାନ ପାଇଁ ଗୁରୁତ୍ୱପୂର୍ଣ୍ଣ । କାରଣ ଏହା ପକ୍ଷକୁ ନିଜର ଦାବିକୁ ପ୍ରମାଣିତ କରିବା ପାଇଁ ପ୍ରାସଙ୍ଗିକ ପ୍ରମାଣ ଉପସ୍ଥାପନ କରିବାର ଅଧିକାର ଦେଇଥାଏ।
ଜଷ୍ଟିସ ନାଗରତ୍ନା ତାଙ୍କ ରାୟରେ ଦର୍ଶାଇଛନ୍ତି ଯେ ଗୋପନୀୟତାର ଅଧିକାର (ଭାରତୀୟ ସମ୍ବିଧାନର ଧାରା ୨୧ ଅନୁଯାୟୀ) ଏକ ମୌଳିକ ଅଧିକାର ହେଲେ ମଧ୍ୟ, ଏହା ସମ୍ପୂର୍ଣ୍ଣ ନୁହେଁ ଏବଂ ନ୍ୟାୟିକ ପ୍ରକ୍ରିୟାରେ ଯୁକ୍ତିଯୁକ୍ତ ସୀମା ମଧ୍ୟରେ ରହିପାରେ।
ସୁପ୍ରିମକୋର୍ଟ ମତ ଦେଇଛନ୍ତି ଯେ ଯଦି ପତିପତ୍ନୀ ପରସ୍ପର ଉପରେ ଗୁପ୍ତଚରବୃତ୍ତି କରୁଛନ୍ତି, ତେବେ ଏହା ସେମାନଙ୍କ ବିବାହରେ ବିଶ୍ୱାସର ଅଭାବ ଏବଂ ସମ୍ପର୍କରେ ଫାଟର ଲକ୍ଷଣ। ଏପରି ପରିସ୍ଥିତିରେ, ଗୁପ୍ତ ରେକର୍ଡିଂକୁ ପ୍ରମାଣ ଭାବେ ଗ୍ରହଣ କରିବା ନ୍ୟାୟିକ ପ୍ରକ୍ରିୟାରେ ସହାୟକ ହୋଇପାରେ।
ଫାମିଲି କୋର୍ଟ ଆଇନର ଧାରା ୧୪ ଓ ୨୦ ଅନୁଯାୟୀ, ଫାମିଲି କୋର୍ଟକୁ ଏପରି ପ୍ରମାଣ ଗ୍ରହଣ କରିବାର ଅଧିକାର ରହିଛି, ଯାହା ବିବାଦକୁ ନ୍ୟାୟସଙ୍ଗତ ଭାବେ ସମାଧାନ କରିବାରେ ସହାୟକ ହୋଇପାରେ, ଯଦିଓ ଏହା ଭାରତୀୟ ପ୍ରମାଣ ଆଇନ ଅନୁଯାୟୀ ସମ୍ପୂର୍ଣ୍ଣ ପ୍ରାସଙ୍ଗିକ ବା ଗ୍ରହଣୀୟ ନୁହେଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)